ଗୋଖାଦ୍ୟ ଦୁର୍ନୀତି : ଆଜି ଲାଲୁଙ୍କୁ ଦଣ୍ଡାଦେଶ!

ରାଞ୍ଚି: ବହୁ ଚର୍ଚ୍ଚିତ ବିହାର ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ମୁଖ୍ୟ ଲାଲୁପ୍ରସାଦ ଯାଦବ ଏବଂ ଅନ୍ୟ ୧୪ ଜଣଙ୍କୁ ଶୁକ୍ରବାର ଦଣ୍ଡାଦେଶ ହେବ ବୋଲି ଜଣାଯାଇଛି। ଏହି ମାମଲାରେ ଦୋଷୀମାନଙ୍କୁ ଆଜି(ଗୁରୁବାର) ଦଣ୍ଡବିଧାନ ହେବାକୁ ଥିବା ବେଳେ ତାହାକୁ ଆସନ୍ତାକାଲି(ଶୁକ୍ରବାର) ଘୋଷଣା କରାଯିବ ବୋଲି ରାଞ୍ଚି ସ୍ଥିତ ସିବିଆଇର ସ୍ୱତନ୍ତ୍ର ଅଦାଲତ କହିଛନ୍ତି। ଫଳରେ ଦଣ୍ଡାଦେଶ ଶୁଣିବା ଲାଗି ଆଜି ଅଦାଲତରେ ପ୍ରତ୍ୟକ୍ଷ ଭାବେ ହାଜର ହୋଇଥିବା ଲାଲୁଙ୍କୁ ପୁଣି ରାଞ୍ଚି ସ୍ଥିତ ବିର୍ଶା ମୁଣ୍ଡା କେନ୍ଦ୍ରୀୟ ଜେଲ୍‌କୁ ପଠାଇ ଦିଆଯାଇଛି। ସେହିପରି ଏହି ଦଣ୍ଡ ଘୋଷଣା ଆସନ୍ତାକାଲି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ହେବ ବୋଲି ଲାଲୁଙ୍କ ଓକିଲ ସୂଚନା ଦେଇଛନ୍ତି। ଅପରପକ୍ଷେ, ଅଦାଲତର ରାୟକୁ ସମାଲୋଚନା କରିଥିବା ଆର୍‌ଜେଡି ଉପସଭାପତି ରଘୁବଂଶ ଯାଦବ, ଦଳର ବରିଷ୍ଠ ନେତା ଶିବାନନ୍ଦ ତିଓ୍ଵାରି, ବିହାର ବିଧାନସଭାର ବିରୋଧୀ ଦଳ ନେତା ତଥା ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବ ଏବଂ କଂଗ୍ରେସ ମୁଖପାତ୍ର ମନିଷ ତିଓ୍ଵାରିଙ୍କୁ ଅଦାଲତ ଅବମାନନା ନୋଟିସ ଜାରି କରାଯାଇଛି।

୧୯୯୦ ମସିହାରୁ ୧୯୯୪ ମସିହା ମଧ୍ୟରେ ବିହାରର ଦେଓଘର ସରକାରୀ ତହବିଲରୁ ଗୋଖାଦ୍ୟ ବାବଦ ଜାଲ୍‌ କାଗଜପତ୍ର ମାଧ୍ୟମରେ ସାଢ଼େ ୮୪ ଲକ୍ଷ ଟଙ୍କା ଉଠାଇ ନିଆଯାଇଥିବା ମାମଲାରେ ଲାଲୁଙ୍କ ସମେତ ମୋଟ ୧୫ ଜଣଙ୍କୁ ସିବିଆଇର ସ୍ୱତନ୍ତ୍ର ଅଦାଲତ ଗତ ୨୩ ତାରିଖରେ ଦୋଷୀ ସାବ୍ୟସ୍ତ କରିଥିଲେ। ଦଣ୍ଡବିଧାନ ଚଳିତ ମାସ ୩ ତାରିଖ(ଗତକାଲି) ହେବ ବୋଲି କୁହାଯାଇଥିଲା। ତେବେ ବିନ୍ଧେଶ୍ୱରୀ ପ୍ରସାଦ ନାମକ ଜନୈକ ଓକିଲଙ୍କ ପରଲୋକ ହେତୁ ଦଣ୍ଡାଦେଶ ତାରିଖକୁ ଗୁରୁବାର(୪ ତାରିଖ)କୁ ଘୁଞ୍ଚାଇ ଦିଆଯାଇଥିଲା। ଆଜି ସ୍ୱତନ୍ତ୍ର ଅଦାଲତରେ ଲାଲୁଙ୍କୁ ହାଜର କରାଯାଇଥିବା ବେଳେ ତାଙ୍କ ପରିବାର ଲୋକ କେହି ଉପସ୍ଥିତ ନଥିଲେ। ଏହି ଅବସରରେ ଜଷ୍ଟିସ ଶିବ ପାଲ୍‌ ସିଂହ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଦଣ୍ଡାଦେଶ ଶୁଣିବା ଚାହାନ୍ତି କି ବୋଲି ଲାଲୁଙ୍କୁ ପଚାରିଥିଲେ। ତେବେ ଅଦାଲତ ଚାହିଲେ ସେ ମଧ୍ୟ କୋର୍ଟରେ ଉପସ୍ଥିତ ରହିବେ ବୋଲି ଲାଲୁ ଉତ୍ତର ରଖିଥିଲେ।

ଲାଲୁଙ୍କ ଲୋକେ ବହୁତ ଫୋନ୍‌ କରିଛନ୍ତି
ରାଞ୍ଚି: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ଲାଲୁପ୍ରସାଦଙ୍କ ଦଣ୍ଡାଦେଶକୁ ଆସନ୍ତାକାଲି ଯାଏ ସ୍ଥଗିତ ଘୋଷଣା କରିବା ପରେ ସିବିଆଇର ସ୍ୱତନ୍ତ୍ର ଜଜ୍‌ ଶିବ ପାଲ ସିଂହ ଏକ ରୋଚକ ସୂଚନା ଦେଇଥିଲେ। ଏହି ଦଣ୍ଡବିଧାନ ସମ୍ପର୍କରେ ଲାଲୁଙ୍କ ସମର୍ଥକମାନେ ତାଙ୍କୁ ବାରମ୍ବାର ଫୋନ୍‌ କରିଥିଲେ ବୋଲି ସେ କହିଥିଲେ। ତେବେ ବିଶେଷ ଭାବେ ଫୋନ୍‌ରେ ତାଙ୍କୁ କ’ଣ ସବୁ କୁହାଯାଇଥିଲା ସେ ସମ୍ପର୍କରେ ସେ କିଛି ଆଭାସ ଦେଇନାହାନ୍ତି। ସୂଚନା ଥାଉ କି, ପ୍ରଥମ ଦଣ୍ଡ ବିଧାନ ତାରିଖ ପୂର୍ବଦିନ(ମଙ୍ଗଳବାର) ଲାଲୁଙ୍କ ଓକିଲ ଗଣମାଧ୍ୟମକୁ କହିଥିଲେ ଯେ ୭୦ ବର୍ଷୀୟ ଲାଲୁ ଏବେ ନାନା ରୋଗରେ ଆକ୍ରାନ୍ତ। ତେଣୁ ତାଙ୍କୁ କମ୍‌ ଦଣ୍ଡବିଧାନ କରିବାକୁ ନିବେଦନ କରାଯିବ। ସେଥିରୁ ଦଣ୍ଡବିଧାନ କୋହଳ ପାଇଁ ଫୋନ୍‌ ସବୁ ଆସିଥାଇପାରେ ବୋଲି ଅନୁମାନ କରାଯାଉଛି। ତେବେ ବହୁତ ଫୋନ୍‌ କଲ୍‌ ସେ ଶୁଣିଛନ୍ତି, ମାତ୍ର ଆଇନ ଅନୁସାରେ ସେ ଦଣ୍ଡ ଶୁଣାଇବେ ବୋଲି ଜଜ୍‌ ଶିବପାଲ୍‌ କହିଛନ୍ତି।

ସମ୍ବନ୍ଧିତ ଖବର