କର୍ଣ୍ଣାଟକରେ ଆଜି ଭୋଟ୍‌

ଆରଆର୍‌ ନଗରରେ ନିର୍ବାଚନ ସ୍ଥଗିତ, ୨୮ରେ ଭୋଟ୍‌

ବେଙ୍ଗାଲୁରୁ:  କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି (ଶନିବାର) ଭୋଟ୍‌ ଗ୍ରହଣ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି ଏବଂ ସ୍ପର୍ଶକାତର ଅଂଚଳରେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି।  ନକଲି ଭୋଟର୍‌ କାର୍ଡ ମାମଲା ପାଇଁ ଆର୍‌ଆର୍‌ ନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ସ୍ଥଗିତ ରଖାଯାଇଛି । ଆଜି ନିର୍ବାଚନ କମିସନ ଏ ସଂକ୍ରାନ୍ତ ଘୋଷଣା କରି କହିଛନ୍ତି ଯେ ସେଠାରେ ଆସନ୍ତା ୨୮ ତାରିଖ ଦିନ ଭୋଟ୍‌ ଗ୍ରହଣ ହେବ ଏବଂ ଏହି ଆସନର ଭୋଟ୍‌ ଗଣତି ୩୧ ମେ’ରେ ହେବ। ରାଜ୍ୟରେ ମୋଟ ୨୨୪ଟି ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ହେବାକୁ ଥିବା ବେଳେ  ଜଣେ ବିଧାୟକ ପ୍ରାର୍ଥୀଙ୍କ ମୃତ୍ୟୁ ହେବାପରେ ୨୨୩ଟି ଆସନରେ ମତଦାନ ପାଇଁ ଚୂଡ଼ାନ୍ତ ହୋଇଥିଲା। ତବେ ଆର୍‌ ଆର୍‌ ନଗର ବିଧାନସଭା କ୍ଷେତ୍ରରୁ ୧୦ ହଜାର ନକଲି ଭୋଟର୍‌ କାର୍ଡ ଠାବ ହେବାପରେ ଏବେ ସେଠାରେ ମଧ୍ୟ ନିର୍ବାଚନ ରଦ୍ଦ ହୋଇଛି ।  ଆସନ୍ତାକାଲି ମୋଟ ୨୨୨ ଆସନରେ ମତଦାନ ହେବ ଏବଂ ଫଳାଫଳ ୧୫ ତାରିଖ ଦିନ ଘୋଷଣା ହେବ।  ମତଦାନ ପାଇଁ ରାଜ୍ୟରେ ଛୁଟି ଘୋଷଣା ହୋଇଥିବା ବେଳେ ସମସ୍ତ ସରକାରୀ ଓ ଘରୋଇ ପ୍ରତିଷ୍ଠାନ ନିର୍ବାଚନ ପାଇଁ ବନ୍ଦ ରହିବ। କଂଗ୍ରେସ କହିଛି ଯେ  ବିଜେପିର ସରକାର କେନ୍ଦ୍ରରେ ଥିବାରୁ ଏବେ ଏହା ନିଜ କ୍ଷମତାର ଦୁରୁପଯୋଗ କରୁଛି ଏବଂ ଆର୍‌ ଆର୍‌ ନଗରରେ କଂଗ୍ରେସ ନେତାଙ୍କ ଉପରେ ଦାଉ ସାଧୁଛି। ଯେଉଁ ଫ୍ଲାଟ୍‌ରୁ ପ୍ରାୟ ୧୦ ହଜାର  ନକଲି ଭୋଟର୍‌ କାର୍ଡ ମିଳିଥିଲା ତାହା ଜଣେ ବିଜେପି ନେତ୍ରୀଙ୍କର ବୋଲି ଜଣାପଡ଼ିଛି । ତେବେ ନକଲି ଭୋଟର୍‌ କାର୍ଡ  କଂଗ୍ରେସ ନେତାମାନଙ୍କର ଷଡ଼ଯନ୍ତ୍ର ଏବଂ ଏହି ମାମଲାରେ ତୁରନ୍ତ ଯାଞ୍ଚ କରି ସତ୍ୟ ସାମ୍ନାକୁ ଆଣିବା ପାଇଁ ବିଜେପି ଦାବି କରିଛି।  ଏହି ଆସନର କଂଗ୍ରେସ ବିଧାୟକଙ୍କ ସମେତ ୧୧ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ସିଦ୍ଦରାମୟାଙ୍କ ଗାଁ ଖାଲି, ମାତ୍ର ୪୦ ଭୋଟର୍‌ 

ବେଙ୍ଗାଲୁରୁ: ମୁଖ୍ୟମନ୍ତ୍ରୀ ସିଦ୍ଦରାମୟାଙ୍କ ବରୁଣା ନିର୍ବାଚନମଣ୍ଡଳୀ ଏବେ ଆକର୍ଷଣର କେନ୍ଦ୍ରବନ୍ଦୁ ପାଲଟିଥିବାବେଳେ ଏହି ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ସବୁଠୁ କ୍ଷୁଦ୍ର ଗ୍ରାମ ଆରଲିକାଟ୍ଟେ ଏବେ ଖାଁ ଖାଁ ଲାଗୁଛି। ଗ୍ରାମରେ ମାତ୍ର ୪୦ ଜଣ ଭୋଟର ଅଛନ୍ତି। ଏହି ୪୦ ଜଣ ଭୋଟରଙ୍କ ଉପରେ ମଧ୍ୟ ସବୁ ରାଜନୈତିକ ଦଳର ସତର୍କ ନଜର ରହିଛି।  ଗୋଟିଏ ଦଶନ୍ଧୀ ପୂର୍ବେ ଏହି ମରୁଡ଼ି ପ୍ରପୀଡ଼ିତ ଗ୍ରାମରେ ପ୍ରାୟ ୨ ଶହ ଭୋଟର୍‌ ଥିଲେ।  ତେବେ ଧୀରେଧୀରେ ଗ୍ରାମବାସୀମାନେ ଅନ୍ୟ ସହରରେ କାମ ପାଇଁ ଗାଁ  ଛାଡ଼ି ଦେବାଫଳରେ ଏବେ ଗ୍ରାମ ଖାଲି ହୋଇଯାଇଛି। ତେବେ ନିର୍ବାଚନ ପାଇଁ ଏବେ ପ୍ରତ୍ୟେକଟି ଭୋଟ୍‌ର ମୂଲ୍ୟ ବୁଝି ରାଜନୈତିକ ଦଳଗୁଡ଼ିକ ଭୋଟର୍‌ଙ୍କୁ ଗ୍ରାମକୁ ଆଣିବା ପାଇଁ ବନ୍ଦୋବସ୍ତ କରିଛନ୍ତି। ରାଜନୈତିକ ଦଳ ଗୁଡ଼ିକ ମଧ୍ୟ ସେମାନଙ୍କୁ ମାଗଣା ବସ୍‌ ସେବା ଯୋଗାଇ ଦେଇଛନ୍ତି ଏବଂ  ମଧ୍ୟାହ୍ନଭୋଜନର ବନ୍ଦୋବସ୍ତ  କରିଛନ୍ତି। ପ୍ରାୟ ୪୦ ଭୋଟର  ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ ବୋଲି ଜଣାପଡ଼ିଛି।    ଏହି ଗ୍ରାମଟିରେ ଭୂତଳ ଜଳ ସ୍ତର କମିଯିବାରୁ ଏବଂ ଉତ୍କଟ ମରୁଡ଼ି ସମସ୍ୟା ଦେଖାଦେବାରୁ ଲୋକେ ଭିଟାମାଟି ଛାଡ଼ି ପଳାୟନ  ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର