ଆଜି ପ୍ରମୋଦ ସାଵନ୍ତଙ୍କ ଆସ୍ଥା ଭୋଟ

ପାନାଜି(ଗୋଆ): ସୋମବାର ବିଳମ୍ବିତ ରାତିରେ ଗୋଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ପ୍ରମୋଦ ସାଵନ୍ତ ବୁଧବାର ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ। ତେବେ ଏଥିରେ ତାଙ୍କ ନେତୃତ୍ବାଧୀନ ମେଣ୍ଟ ସରକାର ନିଶ୍ଚିତ ବିଜୟୀ ହେବ ବୋଲି ସାଵନ୍ତ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ସୂଚନା ଥାଉ କି, ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ ଅତୀତରେ ଦୁଇ ଜଣ କଂଗ୍ରେସ ବିଧାୟକଙ୍କ ଇସ୍ତଫା ଏବଂ ଗତ ମାସରେ ବିଜେପି ବିଧାୟକ ଫ୍ରାନ୍ସିସ୍ ଡି ସୁଜା ଓ ଗତ ରବିବାର ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପରଲୋକ ପରେ ମୋଟ ବିଧାୟକଙ୍କ ସଂଖ୍ୟା ୩୬କୁ ଖସିଆସିଛି। ଆବଶ୍ୟକ ସଂଖ୍ୟା ୧୯ ଛୁଇଁବାକୁ ଏକାକୀ କୌଣସି ଗୋଟିଏ ଦଳ ସକ୍ଷମ ନଥିବା ବେଳେ କଂଗ୍ରେସ ହାତରେ ସର୍ବାଧିକ ୧୪ ଜଣ ବିଧାୟକ ରହିଛନ୍ତି। ଅପରପକ୍ଷେ, ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟିର ୩ ଜଣ, ଗୋଆ ଫରଵାର୍ଡ ପାର୍ଟିର ୩ ଜଣ ଏବଂ ଜଣେ ସ୍ବାଧୀନ ବିଧାୟକଙ୍କ ସମର୍ଥନ ହାସଲ କରି ମେଣ୍ଟ ସରକାର ଚଳାଇଥିବା ବିଜେପିର ବିଧାୟକ ସଂଖ୍ୟା ୧୨ ରହିଛି। ସେହିପରି ବିଧାନସଭାରେ ଏନ୍‌ସିପିର ଜଣେ ଏବଂ ଆଉ ଦୁଇ ଜଣ ସ୍ବାଧୀନ ବିଧାୟକ ଅଛନ୍ତି।
ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପରଲୋକ ପରେ ଗୋଆ ଶାସନ ହାତେଇବା ପାଇଁ ବୃହତ୍ତମ ଦଳ କଂଗ୍ରେସ ଆପ୍ରାଣ ଉଦ୍ୟମ କରିଥିଲା। ମାତ୍ର ଗୋଆ ଫରୱାର୍ଡ ପାର୍ଟିର ବିଜୟ ସରଦେଶାଇ ଏବଂ ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟିର ସୁଦିନ ଧବାଲିକରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦର ଲୋଭ ଦେଖାଇ ବିଜେପି ଶାସନକୁ ବଜାୟ ରଖିଛି। ଏପରିକି ପରିବର୍ତ୍ତିତ ସ୍ଥିତିରେ କିଛି ବି ଅଘଟଣ ଘଟିବା ଆଶଙ୍କା କରି ବିଜେପି ଆଉ କାଳକ୍ଷେପଣ ନୀତି ଅବଲମ୍ବନ ନକରି ସୋମବାର ରାଧିଅଧିଆ ସାଵନ୍ତଙ୍କ ନେତୃତ୍ବରେ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ପାଇଁ ନିଷ୍ପତ୍ତି ନେଇଥିଲା। ତଦନୁସାରେ ରାତି ଗୋଟାଏ ୫୦ ମିନିଟରେ ମୁଖ୍ୟମନ୍ତ୍ରୀ ସାଵନ୍ତଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ ସରଦେଶାଇ ଓ ଧାବଲିକର ଏବଂ ୧୨ ଜଣିଆ ମନ୍ତ୍ରୀମଣ୍ଡଳଙ୍କୁ ରାଜ୍ୟପାଳ ମୃଦଳା ସିହ୍ନା ଶପଥ କରାଇଥିଲେ।

ସମ୍ବନ୍ଧିତ ଖବର