୧୪ ଆସନରେ ଉପ ନିର୍ବାଚନ ଆଜି: ବିଜେପି-ବିରୋଧୀ କଡ଼ା ଟକ୍କର

ନୂଆଦିଲ୍ଲୀ: ୧୦ଟି ରାଜ୍ୟର ୪ଟି ଲୋକସଭା ଓ ୧୦ଟି ବିଧାନସଭା ଆସନ ପାଇଁ ଆସନ୍ତାକାଲି ଉପନିର୍ବାଚନ ଅନୁଷ୍ଠିତ ହେବ। ୩୧ ତାରିଖରେ ଏହାର ଫଳାଫଳ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ଏହି ଉପ ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇଥିବା ବେଳେ ବିଜେପି ବନାମ ବିରୋଧୀଙ୍କ ମେଣ୍ଟ ଚର୍ଚ୍ଚାରେ ରହିଛି। ବିଶେଷକରି ୟୁପିର ଗୋରଖପୁର ଓ ଫୁଲପୁର ଉପ ନିର୍ବାଚନରେ ବିଜେପି ପରାସ୍ତ ହେବା ପରେ ଏବେ ୨୦୧୯ ନିର୍ବାଚନ ପୂର୍ବରୁ କୈରାନା ବିଜେପି ପାଇଁ ଅଗ୍ନି ପରୀକ୍ଷା ହେବ ବୋଲି କୁହାଯାଉଛି। କୈରାନାରେ ଆଖୁ ବ୍ୟବସାୟୀଙ୍କ ସମସ୍ୟାକୁ ପ୍ରମୁଖ ପ୍ରସଙ୍ଗ କରି ବିଜେପିକୁ କ୍ଷମତାରୁ ଦୂରେଇବା ପାଇଁ ବିରୋଧୀ ରଣନୀତି ପ୍ରସ୍ତୁତ କରିଥିବା ବେଳେ ଆଖୁ ଚାଷୀଙ୍କୁ ଆର୍ଥିକ ସହୟତା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତି ଦେଇଛନ୍ତି। ସେପଟେ, ଉପ ନିର୍ବାଚନର ଦିନକ ପୂର୍ବରୁ ୟୁପିରେ ଆଜି ଦୁଇ ଦୁଇଟି ଏକ୍ସପ୍ରେସ େଓ୍ଵର ଉଦଘାଟନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଥିବା ଚର୍ଚ୍ଚା ହେଉଛି। ୟୁପିର କୈରାନା, ମହାରାଷ୍ଟ୍ରର ପାଲଘର ଓ ଭାନ୍ଦ୍ରା ଗୋଣ୍ଡିୟା, ନାଗାଲାଣ୍ଡ ଲୋକସଭା ଆସନ ପାଇଁ ଆସନ୍ତାକାଲି ମତଦାନ ହେବ। ଅପରପକ୍ଷେ, ୟୁପିର ନୁରପୁର, ପଞ୍ଜାବର ଶାହକୋଟ, ବିହାରର ଜୋକିହାଟ, ଝାଡଖଣ୍ଡର ଗୋମିଆ ଓ ସିଲ୍ଲି, କେରଳର ଛେଙ୍ଗାନୁର, ମହାରାଷ୍ଟ୍ରର ପାଲୁସ କାଡେଗାଓଁ, ମେଘାଳୟର ଅମ୍ପତି, ଉତ୍ତରାଖଣ୍ଡର ଥରାଲି ଓ ପଶ୍ଚିମବଙ୍ଗର ମାହେଶତାଲା ବିଧାନସଭା ଆସନ ପାଇଁ ଏହି ଉପ ନିର୍ବାଚନ ହେବ। ଏହା ସହିତ ଗତ କର୍ଣ୍ଣାଟକ ନିର୍ବାଚନରେ ନକଲି ଭୋଟର ପରିଚୟ ପତ୍ର ମିଳିବା ପରେ ସ୍ଥଗିତ ଥିବା ରାଜ ରାଜେଶ୍ୱରୀ ନଗର ପାଇଁ ମଧ୍ୟ ସୋମବାର ମତଦାନ ହେବ। କୈରାନା ଭଳି ମହାରାଷ୍ଟ୍ରର ପାଲଘର ଓ ଭାନ୍ଦ୍ରା ଗୋନ୍ଦିୟା ଲୋକସଭା ଉପ ନିର୍ବାଚନ ବିଜେପି ପାଇଁ ଗୁରୁତ୍ୱପୂର୍ଣ୍ଣ ପାଲଟିଛି। ରାଜ୍ୟରେ ବିଜେପି ଓ ଶିବସେନାର ମେଣ୍ଟ ସରକାର ଥିବା ସତ୍ତ୍ୱେ ଉପ ନିର୍ବାଚନରେ ଉଭୟ ଦଳ ପରସ୍ପରର ବିରୋଧରେ ନିର୍ବାଚନ ଲଢୁଛନ୍ତି।

ସମ୍ବନ୍ଧିତ ଖବର