ଆଜି ‌ଖୋଲିବ ସବରିମାଳା ମନ୍ଦିର, ଅଭୂତପୂର୍ବ ସୁରକ୍ଷା, ଉତ୍ତେଜନା ଜାରି

୬ ଯାଏ ୧୪୪ ଧାରା

କୋଟ୍ଟାୟମ୍‌: ଆସନ୍ତାକାଲି କେରଳର ପ୍ରସିଦ୍ଧ ସବରିମାଳା ମନ୍ଦିରର ମୁଖ୍ୟ ଦ୍ବାର ପୂଜାବିଧି ପାଇଁ ଖୋଲିବାକୁ ଯାଉଛି। କାଲି ମନ୍ଦିର ଖୋଲିବାକୁ ଥିବା ବେଳେ ସମ୍ଭାବ୍ୟ ହିଂସା ଘଟଣାକୁ ଏଡ଼ାଇବା ପାଇଁ ଆଜିଠୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ମନ୍ଦିର ସହ ସଂଯୁକ୍ତ ବିଭିନ୍ନ ସଡ଼କ ଓ ପ୍ରମୁଖ ସ୍ଥାନଗୁଡ଼ିକରେ ପୁଲିସ ଛାଉଣୀ କରାଯାଇଛି। ସେହିଭଳି ଅଧିକାଂଶ ସ୍ଥାନରେ ୧୪୪ ଧାରା ଲାଗୁ କରାଯାଇଛି। ପମ୍ବାଠାରୁ ସନ୍ନିଧନମ୍‌ ମଧ୍ୟରେ ପ୍ରାୟ ୧୫୦୦ ପୁଲିସ ମୁତୟନ କରାଯାଇଛି। ସବରିମାଳା ମନ୍ଦିରରେ ସବୁ ବୟସର ମହିଳା ପ୍ରବେଶ କରିପାରିବେ ବୋଲି ସୁପ୍ରିମ୍‌ କୋର୍ଟଙ୍କ ଆଦେଶ ସତ୍ତ୍ବେ ଏଠାରେ ତାହାକୁ ବିରୋଧ କରାଯାଉଛି। ୧୦ରୁ ୫୨ ବର୍ଷ ବୟସର ମହିଳାମାନେ ମନ୍ଦିରରେ ପଶିପାରିବେ ନାହିଁ ବୋଲି ସ୍ଥାନୀୟ ଲୋକ ଏବଂ ମନ୍ଦିର ଟ୍ରଷ୍ଟ ନିଜ ଜିଦ୍‌ରେ ଅଡ଼ିବସିଛନ୍ତି। ଏମିତି କି ଶାସକ ବିଜେପି ଏବଂ ଅନ୍ୟ କେତେକ ଦଳ ମଧ୍ୟ ସେମାନଙ୍କୁ ସମର୍ଥନ ଦେଉଛନ୍ତି। ତେଣୁ ଏଠାରେ ‌ଯେ କୌଣସି ପରିସ୍ଥିତିରେ ବଡ଼ ହିଂସା ଘଟିପାରେ ବୋଲି ଆଶଙ୍କା କରାଯାଉଛି। ସୁପ୍ରିମ୍‌ କୋର୍ଟଙ୍କ ରାୟ ପରେ କିଛି ମହିଳା ସମାଜସେବୀ ମନ୍ଦିରରେ ପ୍ରବେଶ ପାଇଁ ଉଦ୍ୟମ କରି ବିଫଳ ହୋଇଛନ୍ତି। ସେମାନଙ୍କୁ ମନ୍ଦିର ଦ୍ବାରରୁ ନିରାଶ ହୋଇ ଫେରିବାକୁ ପଡ଼ିଛି। ଯଦିଓ ରାଜ୍ୟ ସରକାର ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି ମହିଳାମାନଙ୍କୁ ଅନୁମତି ଦେଇଛନ୍ତି, କିନ୍ତୁ ଭୀଷଣ ବିରୋଧ ଯୋଗୁ ଏହା ଆଜି ପର୍ଯ୍ୟନ୍ତ ସମ୍ଭବ ହୋଇପାରିନାହିଁ। ଜଣେ ହେଲେ ବି ମହିଳା ମନ୍ଦିରରେ ପଶିବାକୁ ସୁଯୋଗ ପାଇନାହାନ୍ତି। ଅନ୍ୟପକ୍ଷରେ ସମ୍ଭାବ୍ୟ ଅଘଟଣକୁ ଏଡ଼ାଇବା ସକାଶେ ହିନ୍ଦୁ ଗୋଷ୍ଠୀମାନଙ୍କ ପକ୍ଷରୁ ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ଏକ ସ୍ବତନ୍ତ୍ର ପରାମର୍ଶ ଦିଆଯାଇଛି। ଆସନ୍ତାକାଲି ମନ୍ଦିର ନିକଟକୁ କୌଣସି ଯୁବ ସାମ୍ବାଦିକାଙ୍କୁ ଖବର ନେବାକୁ ନପଠାଇବା ପାଇଁ କୁହାଯାଇଛି। ସବରିମାଳା କର୍ମ ସମିତି ପକ୍ଷରୁ ଏଭଳି କୁହାଯାଇଛି। ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ ପରେ ସମିତି ନେତୃତ୍ବରେ ହିଁ ପ୍ରତିବାଦ ପ୍ରଦର୍ଶନ କରାଯାଉଛି ଏବଂ ମହିଳାଙ୍କୁ ବାରଣ କରାଯାଉଛି। ଏହି ସମିତିରେ ବିଶ୍ବ ହିନ୍ଦୁ ପରିଷଦ ଓ ହିନ୍ଦୁ ଐକ୍ୟବାଦୀ ଭଳି ହିନ୍ଦୁ ସଂଗଠନ ଜଡ଼ିତ ଅଛନ୍ତି। ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ ପରେ ସବରିମାଳାର ଏହି ଆୟପ୍ପା ମନ୍ଦିର ଦ୍ବିତୀୟ ଥର ପାଇଁ ଖୋଲିବାକୁ ଯାଉଛି। ଏହାକୁ ନେଇ ମହିଳାମାନଙ୍କ କ୍ଷେତ୍ରରେ ପ୍ରବଳ ଉତ୍ସାହ ଦେଖାଦେଇଛି। କିନ୍ତୁ ବିରୋଧ ଯୋଗୁ ସେମାନଙ୍କୁ ବାରମ୍ବାର ନିରାଶ ହେବାକୁ ପଡ଼ିଛି। ଏମିତି କି ମହିଳା ସାମ୍ବାଦିକଙ୍କୁ ବି ଭିତରକୁ ପ୍ରବେଶ ଅନୁମତି ଦିଆଯାଉ ନାହିଁ। ମନ୍ଦିର ସନ୍ଧ୍ୟାରେ ଖୋଲାଯିବ ଏବଂ ମଙ୍ଗଳବାରା ରାତି ୧୦ଟାରେ ବନ୍ଦ ହେବ। ପୁଣି ନଭେମ୍ବର ୧୭ ତାରିଖରେ ମନ୍ଦିର ୩ ମାସ ପାଇଁ ଖୋଲିବ। ସେପଟେ ସୁପ୍ରିମ୍‌ କୋର୍ଟ ରାୟର ପୁନର୍ବିଚାର ପାଇଁ ନଭେମ୍ବର ୧୩ରେ ଶୁଣାଣି ହେବାକୁ ଯାଉଛି।

ସମ୍ବନ୍ଧିତ ଖବର