ଆଜି ଆସୁଛନ୍ତି ଟ୍ରମ୍ପ୍‌, ସ୍ବାଗତ ପାଇଁ ଅହମଦାବାଦ ପ୍ରସ୍ତୁତ

୨୨ କିମି ଲମ୍ବା ରୋଡ୍‌ ସୋ, ୧୨ ହଜାର ଯବାନ ମୁତୟନ, ସାବରମତୀରେ ବ୍ୟାପକ ପ୍ରସ୍ତୁତି

ଅହମଦାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ବିମାନ ଏୟାରଫୋର୍ସ ୱାନ୍‌ ଆସନ୍ତାକାଲି ଅହମଦାବାଦ ଏୟାରପୋର୍ଟରେ ଅବତରଣ କରିବ। ଟ୍ରମ୍ପ୍‌ଙ୍କ ଦୁଇ ଦିନିଆ ଗସ୍ତ କାର୍ଯ୍ୟକ୍ରମରେ ତାଙ୍କ ସହିତ ପତ୍ନୀ ମେଲାନିଆ ଟ୍ରମ୍ପ୍‌, ଝିଅ ଇଭାଙ୍କା ଟ୍ରମ୍ପ୍‌ ଏବଂ ଜାମାତା ଜରେଦ୍‌ କୁସ୍‌ନ ମଧ୍ୟ ଭାରତ ଆସୁଛନ୍ତି। ଅତିଥିଙ୍କ ଭବ୍ୟ ସ୍ବାଗତ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ସ୍ବାଗତ କାର୍ଯ୍ୟ ତଦାରଖ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଅହମଦାବାଦ ପହଞ୍ଚିଛନ୍ତି। ଟ୍ରମ୍ପ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ୨୨ କିମି ଲମ୍ବା ରୋଡ୍‌ କରିବେ ଏବଂ ଏହା ପରେ ମୋଟେରା ଷ୍ଟାଡିୟମରେ ‘ନମସ୍ତେ’ ଟ୍ରମ୍ପ୍‌ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି କାର୍ଯ୍ୟକ୍ରମ ଉପରେ ସମଗ୍ର ବିଶ୍ବର ନଜର ରହିଛି ।

ଆମେରିକା ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଅହମଦାବାଦ ସହରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଆମେରିକା ଗୁଇନ୍ଦା ଅଧିକାରୀ ଏବଂ ଭାରତର ସୁରକ୍ଷା ଅଧିକାରୀମାନେ ମିଳିତ ଭାବେ ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଛନ୍ତି। ଯେ କୌଣସି ସନ୍ଦିଗ୍ଧ ଡ୍ରୋନ୍‌କୁ ଖସାଇବା ପାଇଁ ଡ୍ରୋନ୍‌ ବିଧ୍ବଂସୀ ଅସ୍ତ୍ର ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି । ଟ୍ରମ୍ପ୍‌ଙ୍କ ଗସ୍ତ କାର୍ଯ୍ୟକ୍ରମ ଥିବା ସମସ୍ତ ମାର୍ଗରେ ଏନ୍‌ଏସ୍‌ଜି ଏବଂ ଏଣ୍ଟି-ସ୍ନାଇପର ମୁତୟନ ହେବେ। ଅହମଦାବାଦ ପୁଲିସ କମିସନର ଆଶିଷ ଭାଟିୟା କହିଛନ୍ତି ଯେ ଟ୍ରମ୍ପ୍‌ଙ୍କ ଗସ୍ତ କାଳରେ ଅହମଦାବାଦରେ ୩୩ ଜଣ ଡିସିପି, ୭୫ ସହକାରୀ କମିସନର, ୩ ଶହ ପୁଲିସ ଇନିସ୍‌ପେକ୍ଟର, ୧୦୦୦ ସବ୍‌ ଇନିସ୍‌ପେକ୍ଟର, ୧୨ ହଜାର ଯବାନ ଏବଂ ୨ ହଜାର ମହିଳା ପୁଲିସ କର୍ମୀ ମୁତୟନ ହେବେ। ଟ୍ରମ୍ପ୍‌ ତାଙ୍କ ରୋଡ୍‌ ସୋ ସମୟରେ ସାବରମତୀ ଆଶ୍ରମ ଗସ୍ତ କାର୍ଯ୍ୟକ୍ରମ ରହିଥିବାରୁ ଏଥିପାଇଁ ଆଶ୍ରମରେ ମଧ୍ୟ ବ୍ୟାପକ ପ୍ରସ୍ତୁତି ହୋଇଛି। ଆସନ୍ତାକାଲି ଅହମଦାବାଦ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ଟ୍ରମ୍ପ୍‌ଙ୍କୁ ଭବ୍ୟ ସ୍ବାଗତ କରାଯିବ ଏବଂ ସେଠାରୁ ହିଁ ରୋଡ୍‌ ସୋ ଆରମ୍ଭ ହେବ। ରୋଡ ସୋ ହେବାକୁ ଥିବା ରାସ୍ତାରେ ପ୍ରାୟ ୧ ଲକ୍ଷ ଲୋକ ଟ୍ରମ୍ପ୍‌ଙ୍କୁ ସ୍ବାଗତ କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର