ଆଶାରାମଙ୍କ ବିରୋଧରେ ଆଗତ ନାବାଳିକା ଦୁଷ୍କର୍ମ ମାମଲାର ତଦନ୍ତ କରୁଥିବା ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କୁ ମିଳିଥିଲା ହତ୍ୟା ଧମକ

ବନ୍ଦ ହୋଇ ଯାଇଥିଲା ଝିଅର ସ୍କୁଲ ଓ ସ୍ତ୍ରୀର ପଦାକୁ ବାହାରିବା

ଯୋଧପୁର (ରାଜସ୍ଥାନ): ଶେଷରେ, ଏକ ନାବାଳିକା ଦୁଷ୍କର୍ମ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି ‘ଆତ୍ମଘୋଷିତ ଭଗବାନ’ ଆଶାରାମ ବାପୁ। ତେବେ, ଆଜି ଆଶାରାମଙ୍କ ରାୟ ଘୋଷଣା ହେବାପରେ, ଆଶାରାମଙ୍କ ବିରୋଧରେ ଆଗତ ନାବାଳିକା ଦୁଷ୍କର୍ମ ଅଭିଯୋଗର ତଦନ୍ତ ଓ ତଦାରଖ କରିିଥିବା ଯୋଧପୁରର ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅଜୟ ପାଲ୍‌ ଲାମ୍ବା ତାଙ୍କର ଏହି ଲମ୍ବା ତଦନ୍ତ କାଳରେ ସାମ୍ନା କରିଥିବା ଧମକ, ଚମକ ଓ ଭୟାନକ ଅନୁଭୂତି ସଂପର୍କରେ ଯେଉଁ ସବୁ ତଥ୍ୟ ଦେଇଛନ୍ତି, ସେସବୁ ମଧ୍ୟ ଆଶାରାମଙ୍କ ନାବାଳିକା ଦୁଷ୍କର୍ମ ଅପରାଧ ଠାରୁ କୌଣସି ଗୁଣରେ କମ୍‌ ନୁହେଁ।

ନିଜର ଏହି ଲୋମଟାଙ୍କୁରା ଅନୁଭୂତି ସଂପର୍କରେ ବର୍ଣ୍ଣନା କରି ବରିଷ୍ଠ ଆଇପିଏସ୍‌ ଅଧିକାରୀ ଲାମ୍ବା କହିଛନ୍ତି, ‘ମୁଁ ଏହି ମାମଲାର ତଦନ୍ତ ଦାୟିତ୍ୱ ଗ୍ରହଣ କରିବା ପରେ ପରେ ମୋତେ ମିଳିଥିଲା ପ୍ରାୟ ଦୁଇ ହଜାରରୁ ଅଧିକ ଧମକପୂର୍ଣ୍ଣ ଚିଠି ଓ ଶତାଧିକ ଫୋନ୍‌କଲ୍‌। ମୋତେ ଅତ୍ୟନ୍ତ କୁଭାଷା ଓ ଅଶ୍ରାବ୍ୟ ଶବ୍ଦ ବ୍ୟବହାର କରି ଧମକ ଦିଆଯାଇଥିଲା, ଯଦି ମୁଁ ମାମଲର ତଦନ୍ତକୁ ଠିକ୍‌ ଭାବେ ଓ ଠିକ୍‌ ଢ଼ଙ୍ଗରେ ଆଗକୁ ବଢ଼ାଏ, ତେବେ ମୋ ସମେତ ମୋ ସମଗ୍ର ପରିବାରକୁ ହତ୍ୟା କରାଯିବ। ଖାଲି ଏତିକି ନୁହେଁ, ମୋ ତଦନ୍ତର ଟିକିନିକି ଅଗ୍ରଗତିର ସବୁ ଖବର ରଖିବା ସହ ସେମାନେ ଦିନରାତି ମୋ ପିଛା କରୁଥିଲେ। କ୍ରମେ ପରିସ୍ଥିତି ଏପରି ହୋଇଥିଲା ଯେ ମୁଁ ଝିଅର ସ୍କୁଲ ଯିବା ବନ୍ଦ କରିବା ସହ ମୋ ସ୍ତ୍ରୀର ଘର ଭିତରୁ ପଦାକୁ ଗୋଡ଼ କାଢ଼ିବା ମଧ୍ୟ ବନ୍ଦ କରିବାକୁ ପଡ଼ିଥିଲା। ରାତିରେ ଅଜଣା ନମ୍ବରରୁ ଫୋନ୍‌ ଆସିଲେ ମୁଁ ଧରୁ ନଥିଲି। କେବଳ ମାତ୍ର ମୁଁ ନୁହେଁ, ମୋ ସହ ଏହି ଘଟଣାର ତଦନ୍ତରେ ସଂପୃକ୍ତ ଥିବା ଅନ୍ୟ ପୁଲିସ୍‌ ଅଧିକାରୀଙ୍କ କ୍ଷେତ୍ରରେ ମଧ୍ୟ ଏହି ପ୍ରକାରର ଘଟଣା ଘଟିଥିଲା। ଏହି ମାମଲାର ସାକ୍ଷୀମାନଙ୍କ ମଧ୍ୟରୁ ଜଣକ ପରେ ଜଣକୁ ହତ୍ୟା କରି ଚାଲିଥିଲେ, ଆଶାରାମଙ୍କ ଅନ୍ଧ ସମର୍ଥକ ଓ ପୋଷା ଗୁଣ୍ଡାମାନେ। ଜନୈକ ସାକ୍ଷୀର ହତ୍ୟା ଅପରାଧରେ ଦିନେ ଆମେ ଯେତେବେଳେ ଜଣେ ହତ୍ୟାକାରୀକୁ ଗିରଫ କଲୁ, ସେ ଖୋଲାଖୋଲି ତା’ ଅପରାଧକୁ ସ୍ୱୀକାର କରିବା ସହ କହିଥିଲା ଯେ ତା’ର ପରବର୍ତ୍ତୀ ଟାର୍ଗେଟ ଥିଲେ ଯୋଧପୁରର ପୁଲିସ୍‌ ଡିଏସ୍‌ପି ଚଞ୍ଚଲ ମିଶ୍ର; ଯିଏକି ଥିଲେ ଏହି ମାମଲାର ଅନ୍ୟତମ ତଦନ୍ତ ଅଧିକାରୀ।’

‘ଆଶାରାମଙ୍କ ଯୋଧପୁର ଆଶ୍ରମରେ ଘଟିଥିବା ଏହି ନାବାଳିକା ଦୁଷ୍କର୍ମ ମାମଲା ତଦନ୍ତର ତଦାରଖ ଦାୟିତ୍ୱ ଯେତେବେଳେ ୨୦୧୩ ଅଗଷ୍ଟ ୨୦ ତାରିଖରେ ମୋତେ ଦିଆଗଲା, ସେତେବେଳେ ଯୋଧପୁର ୍େ‌ଓ୍ଵଷ୍ଟର ଡେପୁଟି କମିଶନର ଅଫ୍‌ ପୁଲିସ୍‌ (ଡିସିପି) ଭାବେ ଅବସ୍ଥାପିତ ଥିଲି। ଏହି ମାମଲାଟି ଅତ୍ୟନ୍ତ ସମ୍ବେଦନଶୀଳ ଓ ସ୍ପର୍ଶକାତର ଥିବା ସହ ମୋ ପାଇଁ ଥିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ, ‘ଆତ୍ମଘୋଷିତ ଭଗବାନ’ ଅଭିଯୁକ୍ତ ଆଶାରାମଙ୍କ ଘନିଷ୍ଠ ଭକ୍ତ ତାଲିକାରେ ରହିଥିଲେ ବହୁ ବରିଷ୍ଠ କ୍ଷମତାଧାରୀ ରାଜନେତା, ପ୍ରଶାସକ ଓ ସମାଜର ଅନ୍ୟ ବହୁ ପ୍ରଭାବଶାଳୀ ବ୍ୟକ୍ତି ବିଶେଷ। ତେବେ, ସବୁ ପ୍ରକାରର ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଆମେ ମାମଲାର ତଦନ୍ତକୁ ଠିକ୍‌ ଭାବେ ଠିକ୍‌ ଢ଼ଙ୍ଗରେ କରି ଗତ ୧୦ ସପ୍ତାହ ତଳେ ମାମଲାର ଚୂଡ଼ାନ୍ତ ଚାର୍ଜସିଟ୍‌ କୋର୍ଟରେ ଦାଖଲ କରିଥିଲୁ’ ବୋଲି କହିବା ସହ ଏହି ମାମଲର ତଦନ୍ତ ଦାୟିତ୍ୱ ଗ୍ରହଣ କରିବା ତାଙ୍କର ଏଯାବତ୍‌ର ଚାକିରି ଜୀବନ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିବା କହିଛନ୍ତି ଆଇପିଏସ୍‌ ଅଧିକାରୀ ଲାମ୍ବା।

ସମ୍ବନ୍ଧିତ ଖବର