ସାମ୍ବାଦିକ ଶୁଜାତ ବୁଖାରିଙ୍କ ହତ୍ୟା ଘଟନାରେ ସମ୍ପୃକ୍ତ ଆତଙ୍କବାଦୀ ନବୀଦ ଜାଟ୍‌ ବଡ଼ଗାମ୍‌ ଏନ୍‌କାଉଣ୍ଟର୍‌ରେ ନିହତ

ଶ୍ରୀନଗର: କଶ୍ମୀରୀ ସାମ୍ବାଦିକ ଶୁଜାତ ବୁଖାରିଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଶୀର୍ଷସ୍ତରୀୟ ଲସ୍କର୍‌-ଏ-ତୈବା ଆତଙ୍କବାଦୀ ମହମ୍ମଦ ନବୀଦ୍‌ ଜାଟ୍‌ଙ୍କର ବୁଧବାର ଦିନ ନିରାପତ୍ତା ବଳ ଏବଂ ସ୍ଥାନୀୟ ପୁଲିସଙ୍କ ମିଳିତ ଅଭିଯାନ ସମୟରେ ଏନ୍‌କାଉଣ୍ଟର୍‌ ଯୋଗୁଁ ମୃତ୍ୟୁ ଘଟିଛି।

କିନ୍ତୁ, କର୍ତ୍ତୃପକ୍ଷମାନେ ଏ ସଂକ୍ରାନ୍ତରେ ଏ ଯାଏଁ ଘୋଷଣା କରି ନାହାନ୍ତି।

ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ବଡ଼ଗାମ୍‌ ଜିଲ୍ଲାର ଚାଥେରଗାମ୍‌ ଗାଁ’ରେ ବୁଧବାର ପ୍ରତ୍ୟୁଷରୁ ଆତଙ୍କବାଦୀ ଏବଂ ନିରାପତ୍ତା ବଳଙ୍କ ମଧ୍ୟରେ ଗୁଳି ବିନିମୟ ଚାଲୁ ରହିଛି। ସର୍ବଶେଷ ଖବର ଅନୁସାରେ, ଆବାସିକ ଅଞ୍ଚଳରେ ତଥାପି କିଛି ଆତଙ୍କବାଦୀ ଛପି ରହିଛନ୍ତି। କମ୍ବିଙ୍ଗ୍‌ ଅପରେସନ୍‌ ଚାଲିଛି।

ଏ ବର୍ଷ ପ୍ରାରମ୍ଭରେ ପୁଲିସ ହାଜତରୁ ଖସି ପଳାଇଥିବା ଜାଟ୍‌ଙ୍କ ବିରୋଧରେ କଶ୍ମୀରରେ ନିରାପତ୍ତା ବଳ ଏବଂ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ କରିଥିବାର ମାମଲା ରହିଥିଲା। ଏ ବର୍ଷ ଅଗଷ୍ଟ ମାସରେ ଶୋପିଆନ୍‌ ଠାରେ ଜଣେ ଆତଙ୍କବାଦୀଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ସେ ଯୋଗ ଦେଇଥିବା ଲୋକେ ଦେଖିଥିଲେ।

ପାକିସ୍ତାନର ମୁଲ୍‌ତାନ୍‌ବାସୀ ଜାଟ୍‌କୁ ୨୦୧୪ ମସିହା ଜୁନ୍‌ରେ କୁଲ୍‌ଗାମ୍‌ର ୟାରିପୋରା ଠାରେ ଗିରଫ କରାଯାଇଥିଲା। ଫେବ୍ରୁଆରି ୬ ତାରିଖ ଦିନ ସେ ଶ୍ରୀନଗରସ୍ଥିତ ଶ୍ରୀ ମହାରାଜା ହରିସିଂହ ହସ୍‌ପିଟାଲ୍‌ରୁ ନାଟକୀୟ ଭାବେ ଖସି ପଳାଇଥିଲା।

ସମ୍ବନ୍ଧିତ ଖବର