କର୍ମଚାରୀଙ୍କୁ ଚାଲାଣ କାଟିବାକୁ ନିର୍ଦେଶ ଦେଲେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିଥିବା ଟ୍ରାଫିକ୍‌ ଅଧିକାରୀ

ହାଇଦ୍ରାବାଦ: ହାଇଦ୍ରାବାଦର ଏକ ‘ନୋ-ପାର୍କିଙ୍ଗ୍‌’ ଜୋନ୍‌ରେ କାର୍‌ ରଖିଥିବା କାରଣରୁ ଜଣେ ଶୀର୍ଷସ୍ତରୀୟ ଟ୍ରାଫିକ୍‌ ପୁଲିସ ଅଧିକାରୀଙ୍କ ନାଁ’ରେ ଚାଲାଣ କଟାଯାଇଛି। ସେ ନିଷିଦ୍ଧ ସ୍ଥାନରେ ଗାଡ଼ି ରଖିଥିବା କଥା ଜଣେ ସାଧାରଣ ଲୋକ ଦେଖି ତାହାର ଫଟୋ ଉଠାଇ ଟୁଇଟ୍‌ କରି ଦେଇଥିଲେ।

ହାଇଦ୍ରାବାଦ ସହର ଟ୍ରାଫିକ୍‌ର ଅତିରିକ୍ତ କମିସନର୍‌ ଅନୀଲ କୁମାର ନାମକ ଏହି ଅଧିକାରୀଙ୍କୁ ମହନକାଲି ଟ୍ରାଫିକ୍‌ ପୁଲିସ ଥାନା ୨୩୫ ଟଙ୍କା ଜରିମାନା କରିଛି। ସେ କହନ୍ତି: ନୋ-ପାର୍କିଙ୍ଗ୍‌ ଜୋନ୍‌ରେ ମୋ ଡ୍ରାଇଭର୍‌ ଗାଡ଼ି ରଖିଥିବା କଥା ମୁଁ ଲକ୍ଷ୍ୟ କରି ପାରି ନ ଥିଲି। ମୋ ଗାଡ଼ି ନୋ-ପାର୍କିଙ୍ଗ୍‌ ଜୋନ୍‌ରେ ରଖାଯାଇଥିବା କଥା ଜଣେ ବ୍ୟକ୍ତି ଫଟୋ ଉଠାଇ ଟୁଇଟ୍‌ କରିବା ପରେ ତାହା ମୋ ଦୃଷ୍ଟିକୁ ଆସିଥିଲା। ଏ କଥା ମୁଁ ମୋର କର୍ମଚାରୀଙ୍କୁ ଜଣାଇ ଚାଲାଣ କାଟିବାକୁ କହି ୨୩୫ ଟଙ୍କା ଜରିମାନା ପୈଠ କରିଛି।

ଗୁରବାର ଦିନ ନୋ-ପାର୍କିଙ୍ଗ୍‌ ବୋର୍ଡ ତଳେ ସରକାରୀ ଗାଡ଼ି ରଖାଯାଇଥିବା କଥା ଜଣେ ବାଟୋଇ ଦେଖିବା ପରେ କଥାଟି ଚାରିଆଡ଼େ ପ୍ରଘଟ ହୋଇଥିଲା। ସେ ତାହାର ଫଟୋ ଉଠାଇ ଟୁଇଟର୍‌ରେ ଅପ୍‌ଲୋଡ୍‌ କରିବା ପରେ ଗୁଡ଼ାଏ ଲୋକ ସେ ଆଡ଼କୁ ଆକର୍ଷିତ ହୋଇଥିଲେ।

ଘଟନା ସଂକ୍ରାନ୍ତରେ କୁମାରଙ୍କୁ ଜଣାଇଦିଆ ଯିବା ପରେ ସେ ନିଜ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସ୍ୱରୂପ ଜରିମାନା କରିବାକୁ କର୍ମଚାରୀମାନଙ୍କୁ କହିଥିଲେ।

ସମ୍ବନ୍ଧିତ ଖବର