କାଶ୍ମୀରରେ ଏବର୍ଷ ୨୨୭ ଆତଙ୍କବାଦୀ ଶିକାର କରିଛି ସେନା, ଗତ ୯ ଦିନରେ ୨୮

ନୂଆଦିଲ୍ଲୀ : କାଶ୍ମୀରରେ ରକ୍ତମୁଖା ହୋଇ ଉଠିଛି ଭାରତୀୟ ସେନା ଓ ସୁରକ୍ଷାବାହିନୀ । ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଏକ ଭୟଙ୍କର ଅଭିଯାନ ଗତ ଦୁଇ ବର୍ଷ ହେଲା ଚାଲିଛି । କିନ୍ତୁ ଏବର୍ଷ ଯେତିକି ଆତଙ୍କବାଦୀ ମଲେଣି, ମନେହେଉଛି ଏବର୍ଷ ରେକର୍ଡ ଭାଙ୍ଗିବ ସେନା । ମିଳିଥିବା ସୂଚନା ଅନୁସାରେ ଏ ବର୍ଷରେ ଆଜିସୁଦ୍ଧା କାଶ୍ମୀରରେ ୨୨୭ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି ବୋଲି ସୂଚନାଦେଇଛନ୍ତି ଜାମ୍ମୁ ଓ କାଶ୍ମୀର ଡିଜି ଦିଲବାଗ ସିଂ । ତେବେ ଘାଟିରେ ଆହୁରି ପ୍ରାୟ ୨୦୦ରୁ ୨୫୦ ଆତଙ୍କବାଦୀ ସକ୍ରିୟ ଅଛନ୍ତି । ଏମାନଙ୍କୁ ବି ନିପାତ କରିଦିଆଯିବ ବୋଲି ସେ କହିଛନ୍ତି । କେବଳ ଗତ ୯ ଦିନ ମଧ୍ୟରେ ୬ଟି ଏନକାଉଣ୍ଟର ହୋଇଛି ଓ ଏଥିରେ ମୋଟ ୨୮ ଜଣ କୁଖ୍ୟାତ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହାକୁ ମିଶାଇ ନଭେମ୍ବର ମାସରେ ମୋଟ ୩୭ ଜଣ ଆତଙ୍କବାଦୀଙ୍କୁ ମାରିଛି ସେନା ଓ ଅନ୍ୟାନ୍ୟ ସୁରକ୍ଷା ବାହିନୀ । ଏମାନଙ୍କ ମଧ୍ୟରୁ କେବଳ ଦକ୍ଷିଣ କାଶ୍ମୀରରୁ ୨୮ ଜଣ ଆତଙ୍କବାଦୀ ଅଛନ୍ତି ।

ସେନାର ଏହି ସଫଳତା ପଛରେ ସରକାରଙ୍କ ବି ହାତ ରହିଛି । ଆତଙ୍କବାଦୀ ନିପାତ ପାଇଁ ସେନାର ହାତ ଖୋଲା କ୍ଷମତା ଦିଆଯାଇଛି । ଏପରିକି ଅପରେସନ ବେଳେ ପଥରମାଡ କରୁଥିବା ଲୋକମାନଙ୍କୁ ବି ସେନା ଆତଙ୍କବାଦି ହିସାବରେ ଗଣି ତାଙ୍କ ଉପରକୁ ଗୁଳି ଚଳାଉଛି । ୨୦୧୭ରେ କାଶ୍ମୀରରେ ଆତଙ୍କବାଦୀ ମୃତ୍ୟୁ ସଂଖ୍ୟା ୨୦୦ ଟପିଥିଲା । ୨୦୧୦ ପରେ ପ୍ରଥମ ଥର ପାଇଁ ଏହି ସଂଖ୍ୟା ୨୦୦ ଟପିଥିଲା । ୨୦୧୦ରେ ମୋଟ ୨୭୦ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିଲା । କିନ୍ତୁ ଏହା ପରେ ଏହି ସଂଖ୍ୟା କମିଚାଲିଥିଲା । ୨୦୧୬ରେ ୧୬୫ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା ।

ସମ୍ବନ୍ଧିତ ଖବର