ମଙ୍ଗଳବାରରୁ ଶନିବାର ଯାଏଁ…

ବେଙ୍ଗାଲୁର: କର୍ଣ୍ଣାଟକ ବିଧାନ ସଭାରେ ଆଜି ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ରାଜ୍ୟ ରାଜନୀତିରେ ଚାଲିଥିବା ମହାନାଟକର ପରିସମାପ୍ତି ଘଟିଛି। ଗତ ୧୨ ତାରିଖରେ ରାଜ୍ୟରେ ମତଦାନ ହେବା ପରଠାରୁ ଆଜି ପର୍ଯ୍ୟନ୍ତ ଘଟଣାକ୍ରମ…
ମେ’ ୧୨: କର୍ଣ୍ଣାଟକ ବିଧାନସଭାର ମୋଟ ୨୨୨ଟି ଆସନ ପାଇଁ ମତଦାନ ସଂପୂର୍ଣ୍ଣ।
ମେ’ ୧୫: ନିର୍ବାଚନ ଫଳାଫଳ ପ୍ରକାଶ ପାଇଲା। ବିଜେପି ସର୍ବାଧିକ ୧୦୪ଟି ଆସନ ପାଇଥିବା ବେଳେ କଂଗ୍ରେସ ୭୮ ଓ ଜେଡିଏସ୍‌ ୩୮ଟି ଆସନ ଜିତିଲା। ବିଜେପିକୁ ରୋକିବା ପାଇଁ ଜେଡିଏସ୍‌ ସହ କଂଗ୍ରେସ ହାତ ମିଳାଇଲା।

ମେ’ ୧୬: ଉଭୟ ବିଜେପି ଓ ଜେଡିଏସ୍‌-କଂଗ୍ରେସ ସରକାର ଗଢିବା ପାଇଁ ରାଜ୍ୟପାଳ ବାଜୁଭାଇ ବାଲାଙ୍କ ନିକଟରେ ଦାବି ଉପସ୍ଥାପନ କଲେ। ରାଜ୍ୟପାଳ ବାଲା ବିଜେପିକୁ ସରକାର ଗଢିବା ପାଇଁ ଆମନ୍ତ୍ରଣ କରିବା ସହ ସଂଖ୍ୟା ଗରିଷ୍ଠତା ପ୍ରମାଣ ପାଇଁ ୧୫ ଦିନ ସମୟ ଦେଲେ।

ମେ’ ୧୬-୧୭: ରାଜ୍ୟପାଳଙ୍କ ଏହି ଆହ୍ଵାନକୁ ଚ୍ୟାଲେଞ୍ଜ କରି କଂଗ୍ରେସ ଓ ଜେଡିଏସ୍‌ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ମୁଖ୍ୟମନ୍ତ୍ରୀ ଭାବେ ୟେଦୁରପ୍ପାଙ୍କ ଶପଥ ଗ୍ରହଣ ରୋକିବା ପାଇଁ ଆବେଦନ କଲେ।

ମେ’ ୧୭: ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ରାତି ୨ଟା ୧୫ରୁ ଶୁଣାଣି ଆରମ୍ଭ କରି ସକାଳ ୫ଟା ୨୫ରେ ଶେଷ କଲେ। ୟେଦୁରପ୍ପାଙ୍କ ଶପଥ ଗ୍ରହଣରେ ରୋକ୍‌ ଲାଗି ପାରିବନି ବୋଲି କୋର୍ଟ ନିର୍ଦ୍ଦେଶ ଦେଲେ।

ମେ’ ୧୮: ଶନିବାର ଅପରାହ୍ନ ୪ଟାରେ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଲେ। ପୁଣିଥରେ ରାଜ୍ୟପାଳ ବାଜୁଭାଇ ବାଲା ଅସ୍ଥାୟୀ ବାଚସ୍ପତି ଭାବେ କେ.ଜି.ବୋପେୟାଙ୍କ ନିଯୁକ୍ତିକୁ ବିରୋଧ କରି କଂଗ୍ରେସ-ଜେଡିଏସ୍‌ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ରାତି ଅଧିଆ ଶୁଣାଣି କରିବାକୁ ଦାବି କଲେ।

ମେ’ ୧୯: ଅସ୍ଥାୟୀ ବାଚସ୍ପତିଙ୍କ ନିଯୁକ୍ତି ରଦ୍ଦ ପାଇଁ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କଲେ। ୟେଦୁରପ୍ପା ଓ ବିଜେପି ବିଧାୟକ ଶ୍ରୀରାମୁଲୁ ସାଂସଦ ପଦରୁ ଇସ୍ତଫା ଦେଲେ। ଦିନ ୧୧ ଟାରେ ବିଧାନସଭା କାର୍ଯ୍ୟ ଆରମ୍ଭ ହେଲା ଓ ସମସ୍ତ ବିଧାୟକ ବିଧାନସଭାର ସଦସ୍ୟ ଭାବେ ଶପଥ ନେଲେ। ଅପରାହ୍ଣ ୪ଟାରେ ଆସ୍ଥା ଭୋଟ ପୂର୍ବରୁ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ। ସନ୍ଧ୍ୟା ୭ଟାରେ କୁମାରସ୍ୱାମୀ ରାଜ୍ୟପାଳ ବାଜୁଭାଇ ବାଲାଙ୍କୁ ଭେଟି ସରକାର ଗଢିବା ପାଇଁ ଦାବି ଉପସ୍ଥାପନ କଲେ।

ସମ୍ବନ୍ଧିତ ଖବର