ଦେବୀ ଲକ୍ଷ୍ମୀଙ୍କ ନାମରେ ନାମିତ ଟୋକିଓ ନିକଟବର୍ତ୍ତୀ ‘କିଚିଜୋଇ’ ସହର

ବେଙ୍ଗାଲୁରୁ: ଜାପାନର ଟୋକିଓ ନିକଟରେ ଥିବା ‘କିଚିଜୋଇ’ ସହର ବିଷ୍ଣୁଙ୍କ ପତ୍ନୀ ଦେବୀ ଲକ୍ଷ୍ମୀଙ୍କ ନାମାନୁସାରେ ନାମିତ ହୋଇଥିବା କଥା ରବିବାର ଦିନ ଜାପାନର କନ୍‌ସୁଲ୍‌ ଜେନେରାଲ୍‌ ତାକାୟୁକି କିତାଗାଓ୍ଵା କହିଛନ୍ତି।

ବେଙ୍ଗାଲୁରୁ ଠାରେ ‘ଦୟାନନ୍ଦ ସାଗର’ର ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ସ୍ନାତକ ଦିବସରେ ତାକାୟୁକି କହିଲେ: ଆପଣମାନେ ଜାଣି ଆଚମ୍ବିତ ହେବେ ଯେ ଟୋକିଓ ନିକଟସ୍ଥ ସହରଟିର ସୃଷ୍ଟି ଲକ୍ଷ୍ମୀଙ୍କ ମନ୍ଦିରରୁ ଆରମ୍ଭ ହୋଇଛି। ଜାପାନୀ ଭାଷାରେ ‘କିଚିଜୋଇ’ର ଅର୍ଥ ଲକ୍ଷ୍ମୀ ମନ୍ଦିର।

ଜାପାନୀ ସଂସ୍କୃତି ଓ ସମାଜରେ ଭାରତର ପ୍ରଭାବ କଥା ସ୍ମରଣ କରି କିତାଓ୍ଵାଗା କହିଲେ, ଅନେକ ଭାବନ୍ତି ଜାପାନ ଓ ଭାରତ ଭିନ୍ନ। ଜାପାନର ଅନେକ ମନ୍ଦିର ହିନ୍ଦୁ ଦେବାଦେବୀଙ୍କୁ ଉତ୍ସର୍ଗ କରାଯାଇଥିବାରୁ ଦୁଇ ଦେଶ ଭିନ୍ନ ନୁହନ୍ତି।

ଉଦିତ ସୂର୍ଯ୍ୟର ଦେଶରେ ଅନେକ ହିନ୍ଦୁ ଦେବାଦେବୀ ପୂଜା ପାଉଛନ୍ତି। ଯୁଗ ଯୁଗ ଧରି ଆମେ ହିନ୍ଦୁ ଦେବତାଙ୍କୁ ପୂଜା କରି ଆସୁଛୁ ବୋଲି କନ୍ନଡ଼ ଭାଷାରେ କହିଲେ କୂଟନୀତିଜ୍ଞ କିତାଓ୍ଵାଗା।

ସଂସ୍କୃତର ଅନେକ ଶବ୍ଦ ମଧ୍ୟ ଜାପାନୀ ଭାଷାକୁ ଯାଇଛି। ଉଦାହରଣସ୍ୱରୂପ ‘ସୁଶି’ ଭୋଜନ ଚାଉଳ ଓ ଭିନେଗାର୍‌ରେ ପ୍ରସ୍ତୁତି ହୁଏ। ‘ସୁଶି’ ‘ଶାରି’ ଶବ୍ଦ ସହ ସମ୍ପୃକ୍ତ ଯାହାର ସଂସ୍କୃତ ଶବ୍ଦ ‘ଜାଲି’ରୁ ଆସିଛି। ଅର୍ଥାତ୍‌ ‘ଚାଉଳ’ ବା ‘ଭାତ’। ଏମିତି ପ୍ରାୟ ୫୦୦ ଜାପାନୀ ଶବ୍ଦ ସଂସ୍କୃତ ଏବଂ ତାମିଲ୍‌ ଶବ୍ଦରୁ ଆନୀତ।

ସମ୍ବନ୍ଧିତ ଖବର