କେବୁଲ ଓ ଡିଟିଏଚ ସେବା ପାଇଁ ଟ୍ରାଇର ନୂଆ ନିୟମ : ସମୟସୀମା ମାର୍ଚ୍ଚ ୩୧କୁ ବୃଦ୍ଧି, ପୁରୁଣା ପ୍ଲାନ ଅନୁସାରେ ଟିଭି ଦେଖିହେବ

ନୂଆଦିଲ୍ଲୀ : ଟେଲିକମ ରେଗୁଲେଟୋରୀ ଅଥରିଟି (ଟ୍ରାଇ) ପକ୍ଷରୁ ଜାରି ନୂଆ ବ୍ରଡକାଷ୍ଟିଂ ଓ କେବୁଲ ଟିଭି ସର୍ଭିସ ବ୍ୟବସ୍ଥା ଲାଗୁ ହେବାର ଶେଷ ତାରିଖକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢାଇଦିଆଯାଇଛି । ନୂଆ ବ୍ୟବସ୍ଥାରେ ଅଧିକ ଦେୟ ପଡୁଥିବା ଓ ବିଭିନ୍ନ ସମସ୍ୟା ଦେଖାଦେଉଥିବା ଅଭିଯୋଗ ଆସିବା ପରେ ଟ୍ରାଇ ଏହି ନିଷ୍ପତ୍ତି ନେଇଛି । ଏହା ଫଳରେ ଜଣେ ସବସ୍କ୍ରାଇବର ଯଦି ନୂଆ ବ୍ୟବସ୍ଥା ଅନୁସାରେ ନିଜର ପ୍ଲାନ ବାଛି ନଥିବେ ତାଙ୍କର ପୁରୁଣା ପ୍ଲାନ ଚାଲୁ ରହିବ ।

ଟ୍ରାଇର ଏହି ନୂଆ ବ୍ୟବସ୍ଥା ଅନୁସାରେ ଉପଭୋକ୍ତାମାନେ ନିଜ ଇଚ୍ଛା ଅନୁସାରେ ଚ୍ୟାନେଲ ବାଛିପାରିବେ । ଅର୍ଥାତ ଯେତୋଟି ଚ୍ୟାନେଲ ଦେଖିବେ ସେତିକି ପାଇଁ ଅର୍ଥ ଦେବେ ଫଳରେ ଅନାବଶ୍ୟକ ଚ୍ୟାନେଲ ଲାଗି ଗ୍ରାହକମାନେ ପୂର୍ବରୁ ଦେଉଥିବା ଅର୍ଥ କମିଯିବା ଫଳରେ ମାସିକ ଡିଟିଏଚ ବା କେବୁଲ ଟିଭି ବଜେଟ କମିଯିବ ବୋଲି ଦାବି କରାଯାଉଥିଲା । କିନ୍ତୁ ପ୍ରକୃତ ପକ୍ଷେ ମାସିକ ଦେୟ ଆଗ ଅପେକ୍ଷା ଆହୁରି ମହଙ୍ଗା ହୋଇଯାଇଛି ବୋଲି ଗ୍ରାହକମାନେ ଅଭିଯୋଗ କରିଥିଲେ । ଏହାକୁ ଲକ୍ଷ୍ୟ ରଖି ଟ୍ରାଇ ସମୟସୀମାକୁ ବଢାଇଦେଇଛି ।

ପ୍ରଥମେ ଗତ ବର୍ଷ ମାର୍ଚ୍ଚ ମାସରେ ଟ୍ରାଇ କେବୁଲ ଟିଭି ଓ ଡିଟିଏଚ ସେବା ପାଇଁ ଏକ ନୂଆ ବ୍ୟବସ୍ଥା ଆରମ୍ଭ କରିବା ବିଷୟରେ ଘୋଷଣା କରିଥିଲା । ଚଳିତ ବର୍ଷ ଜୁଲାଇ ୩ରେ ମଧ୍ୟ ଏହି ବିଜ୍ଞପ୍ତିକୁ ପୁଣି ଥରେ ପ୍ରକାଶ କରାଗଲା ଓ ଏହି ନୂଆ ବ୍ୟବସ୍ଥା ଲାଗୁ କରିବାକୁ ଡିସେମ୍ବର ୨୮ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା । କିନ୍ତୁ ପରେ ଟ୍ରାଇ ପୁଣି ଏହି ସମୟ ସୀମାକୁ ଜାନୁୟାରୀ ୩୧ ପର୍ଯ୍ୟନ୍ତ ବଢାଇଦେଇଥିଲା ।

ସମ୍ବନ୍ଧିତ ଖବର