ସୀମାଞ୍ଚଳ ଏକ୍ସପ୍ରେସ ଲାଇନ୍‌ଚ୍ୟୁତ, ୭ ମୃତ, ୩୦ ଆହତ, ଉଦ୍ଧାର କାର୍ଯ୍ୟ ଜାରି

ହାଜିପୁର ରୁଟ୍‌ରେ ଟ୍ରେନ୍‌ ଚଳାଚଳ ବ୍ୟାହତ

ପାଟନା: ବିହାରର ହାଜିପୁରରେ ଆଜି ସକାଳେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଆନନ୍ଦ ବିହାର-ରାଧିକାପୁର ସୀମାଞ୍ଚଳ ଏକ୍ସପ୍ରେସର ୧୨ଟି ବଗି ଲାଇନ୍‌ଚ୍ୟୁତ ହେବାରୁ ଏଥିରେ ୭ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ଏବଂ ୩୦ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉଦ୍ଧାର ଓ ଲାଇନ୍‌ ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବଗିଗୁଡ଼ିକ ଗୋଟିଏ ଉପରେ ଆଉ ଗୋଟିଏ ଚଢ଼ି ଯାଇଥିଲା। ଦୁର୍ଘଟଣା ପରେ ଏହି ରୁଟ୍‌ରେ ଟ୍ରେନ୍‌ ଚଳାଚଳ ବ୍ୟାହତ ହୋଇଛି। ପୂର୍ବ କେନ୍ଦ୍ରୀୟ ରେଳ ଜୋନ୍‌ର ମୁଖ୍ୟ ଜନସଂପର୍କ ଅଧିକାରୀ ରାଜେଶ କୁମାର କହିଛନ୍ତି ଯେ ପ୍ରାଥମିକ ତଦନ୍ତରୁ ଏହା ଏକ ଲାଇନ୍‌ଚ୍ୟୁତ ମାମଲା ବୋଲି ଜଣାପଡ଼ୁଛି। ତେବେ ବିଶେଷଜ୍ଞ ଦଳ ଏହାର ସବିଶେଷ ଯାଞ୍ଚ କରୁଛନ୍ତି।

ଏହି ଦୁର୍ଘଟଣା ହାଜିପୁର-ବଛୱାଡ଼ା ରେଳ ସେକ୍ସନ ଅଂଚଳର ସହଦୋଇ ଷ୍ଟେସନ ନିକଟରେ ଆଜି ଭୋର୍‌ ୩ଟା ୫୨ ମିନିଟ୍‌ରେ ଘଟିଥିଲା। ଏହି ରୁଟ୍‌ରେ ସମସ୍ତ ପାସେଞ୍ଜର ଟ୍ରେନ୍‌ ଚଳାଚଳ ବାତିଲ କରାଯାଇଥିବା ରେଳବାଇ ସୂତ୍ରରୁ ଜଣାପଡ଼ିଛି। ଅନେକ ଟ୍ରେନ୍‌ର ଗତିପଥ ବଦଳାଇ ଦିଆଯାଇଛି। ଡାଉନ୍‌ ଟ୍ରେନ୍‌ଗୁଡ଼ିକୁ ପାଟନା-ମୋକାମା-ବରୋନି ଜଂକ୍ସନ ରାସ୍ତାରେ ଡାଇଭର୍ଟ କରାଯାଇଛି । ମୃତକମାନଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ଦେବାକୁ ରେଳମନ୍ତ୍ରୀ ପିୟୂଷ ଗୋୟଲ ଘୋଷଣା କରିଛନ୍ତି। ଗୁରୁତର ଆହତଙ୍କୁ ୧ ଲକ୍ଷ ଟଙ୍କା ଏବଂ କମ୍‌ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ରେଳ ଦୁର୍ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ‌ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ପ୍ରଧାନମନ୍ତ୍ରୀ ସମବେଦନା ଜଣାଇବା ସହ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ମଧ୍ୟ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ସମସ୍ତ ପୀଡ଼ିତଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର