ଫିକା ପଡ଼ିଲା ଦଶହରା ଖୁସି : ଟ୍ରେନ୍ ନେଲା ୬୧ ଜୀବନ

ଲହୁ, ଲୁହରେ ଭିଜିଲା ଅମୃତସର

ଅମୃତସର: ଦଶହରା ପାଇଁ ଦେଶଯାକର ଲୋକ ଖୁସି ମନାଉଥିବା ବେଳେ ପଞ୍ଜାବର ଅମୃତସର ସହର ଲହୁ ଓ ଲୁହରେ ଭିଜିଛି। ଅମୃତସରରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଯୋଗୁ ପ୍ରାୟ ୬୧ ଲୋକ ପ୍ରାଣ ହରାଇଛନ୍ତି। ୧୦୦ ଲୋକ ଆହତ ହୋଇଛନ୍ତି। ନିମିଷ‌େକ ମଧ୍ୟରେ ସହରବାସୀଙ୍କ ଦଶହରା ମଉଜ କାନ୍ଦବୋବାଳିରେ ପରିଣତ ହୋଇଛି। ଅମୃତସରର ଜୋଡ଼ା ବଜାରରେ ରାବଣପୋଡ଼ି ଉତ୍ସବକୁ ଲୋ‌େକ ହର୍ଷୋଲ୍ଲାସର ସହିତ ଉପଭୋଗ କରୁଥିବା ବେଳେ ସେମାନଙ୍କ ଉପରେ ଟ୍ରେନ୍ ମାଡ଼ିଯାଇଥିଲା। ଫଳରେ କିଛି ସେକେଣ୍ଡ ମଧ୍ୟରେ ସବୁ ଛାର୍‌ଖାର୍‌ ହୋଇଗଲା।
ଅମୃତସର ଜୋଡ଼ା ବଜାର‌େର ରେଳ ଧାରଣାର ଅନତି ଦୂରରେ ରାବଣପୋଡ଼ି ଉତ୍ସବ ଅନୁଷ୍ଠିତ ହେଉଥିଲା। କିନ୍ତୁ ଏଥିପାଇଁ କୌଣସି ସୁରକ୍ଷା ବ୍ୟବସ୍ଥା କରାଯାଇନଥିଲା। ଲୋକମାନେ ରେଳ ଧାରଣା ଉପରେ ଠିଆ ହୋଇ ରାବଣପୋଡ଼ି ଉତ୍ସବ ଦେଖୁଥିଲେ। କିଛି ଲୋକ ମୋବାଇଲ୍‌ ଫୋନ୍‌ରେ ରାବଣପୋଡ଼ି ଦୃଶ୍ୟ ରେକର୍ଡିଂ କରୁଥିଲେ। ସେମାନେ ଭୁଲିଯାଇଥିଲେ ‌େଯ ସେମାନେ ରେଳ ଧାରଣାରେ ଠିଆ ହୋଇଛନ୍ତି। ରାବଣପୋଡ଼ିରେ ବାଣ ଫୁଟିବା ଶବ୍ଦ ମଧ୍ୟ ଟ୍ରେନ୍‌ର ଶବ୍ଦକୁ ଧିମା କରିଦେଇଥିଲା। ଫଳରେ ଦୁଇଟି ଟ୍ରେନ୍ ଆସୁଥିଲେ ହେଁ ଲୋକମାନେ କିଛି ଜାଣି ପାରିନଥିଲେ। ଶେଷରେ ଟ୍ରେନ୍ ନିକଟତର ହେବା ବେଳକୁ ସବୁ ସରିଯାଇଥିଲା। ଲୋକମାନେ ରେଳଧାରଣାରୁ ହଟି ନିଜ ଜୀବନ ବଞ୍ଚାଇବାକୁ ସମୟ ପାଇନଥିଲେ। ସଙ୍ଗେ ସଙ୍ଗେ ରେଳ ଧାରଣା ସଂପୂର୍ଣ୍ଣ ରକ୍ତରଞ୍ଜିତ ହୋଇଯାଇଥିଲା। ଶୁକ୍ରବାର ସନ୍ଧ୍ୟା ୬ଟା ୫୦ରେ ଅମୃତସର-ଦିଲ୍ଲୀ ରେଳ ରୁଟ୍‌ର ଧାରଣାରେ ଏହି ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣା ଘଟିଛି। ଅଧିକାରୀ ଏବଂ ଦେଖଣାହାରୀଙ୍କ କହିବାନୁସାରେ, ରାବଣପୋଡ଼ି ଚାଲିଥିବା ବେଳେ ଏକ ସମୟରେ ଦୁଇଟି ଟ୍ରେନ୍ ଆସିଥିଲା। ପ୍ରଥମ ଟ୍ରେନ୍‌ଟି ଅମୃତସରରୁ ହାଓଡ଼ା ଯାଉଥିବା ହା‌ଓଡ଼ା ମେଲ୍‌ ଥିଲା, ଯାହାର ଗତି ଘଣ୍ଟା ପିଛା ୮୫ରୁ ୯୦ କିଲୋମିଟର ଥିଲା। ଏହି ଟ୍ରେନ୍‌ ଲୋକଙ୍କ ଉପରେ ମାଡ଼ିଯାଇଥିବା ଭିଡିଓ କ୍ଲିପ୍‌ରୁ ଜଣାପଡ଼ିଛି। ମୃତ୍ୟୁର ଦୂତ ସାଜିଥିବା ଏହି ଟ୍ରେନ୍ ଆଖିପିଛୁଳାକେ ମାତ୍ର କେଇ ସେକେଣ୍ଡ ମଧ୍ୟରେ ୬୧ ମୁଣ୍ଡ ନେଇ ପଳାଇଥିଲା। ଅନ୍ୟଟି ଏକ ଡିଏମ୍‌ୟୁ ଟ୍ରେନ୍‌ ଥିଲା, ଯାହାର ଗତି ଘଣ୍ଟା ପ୍ରତି ୬୦ରୁ ୬୫ କିଲୋମିଟର ଥିଲା।

ରେଳଧାରଣାରେ ଠିଆହୋଇ ରାବଣପୋଡ଼ି ଦେଖୁଥିଲେ
୨ ସେକେଣ୍ଡରେ ରକ୍ତରଞ୍ଜିତ ହେଲା ଧାରଣା, ବାଣ ଫୁଟିବାରୁ ଟ୍ରେନ୍ ଶବ୍ଦ ଶୁଭିଲାନି

ରାଜ୍ୟରେ ଏତେବଡ଼ ଦୁର୍ଘଟଣା ଘଟି ୬୧ ଲୋକଙ୍କ ମୃତ୍ୟୁ ‌େହାଇଥିବା ବେଳେ ଦେଶବ୍ୟାପୀ ଏହା ଆଲୋଡ଼ନ ସୃଷ୍ଟି କରିଥିଲା। କିନ୍ତୁ ଘଟଣାର ୧୬ ଘଣ୍ଟା ପରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଥିଲା। ତେବେ ସେ ପହଞ୍ଚିବା କ୍ଷଣି ଅମୃତସର ଅମନଦୀପ ହସ୍ପିଟାଲ୍‌ ଯାଇ ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨ ଲକ୍ଷ ଟଙ୍କା ଦିଆଯିବ ବୋଲି କୁହାଯାଇଛି। ଶୁକ୍ରବାର ରାତ୍ରିରେ ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ସେ ଯାଞ୍ଚ କରିଛନ୍ତି। ପଞ୍ଜାବ ସରକାରଙ୍କ କ୍ୟାବିନେଟ୍‌ ମନ୍ତ୍ରୀ ନବ୍‌‌େଜାତ୍‌ ସିଂହ ସିଦ୍ଧୁ କହିଛନ୍ତି, ଦୁର୍ଘଟଣା ପୂର୍ବରୁ ଟ୍ରେନ୍ ହର୍ଣ୍ଣ ବଜାଇ ନଥିଲା। ଫଳରେ ଲୋକେ ଟ୍ରେନ୍‌ ସଂକ୍ରାନ୍ତରେ ଜାଣିପାରିନଥିଲେ। ଘଟଣାକୁ ନେଇ ରାଜନୀତି ନକରିବାକୁ ସେ ବିଭିନ୍ନ ଦଳକୁ ଅନୁରୋଧ କରିଛନ୍ତି।

ଠିକ୍ ସମୟରେ ଆସିଥିଲା ଟ୍ରେନ୍
ଲୋକଙ୍କ କହିବାନୁସାରେ ଟ୍ରେନ୍‌ଟି ସବୁଦିନ ବିଳମ୍ବରେ ଆସୁଥିଲା। କିନ୍ତୁ ଶୁକ୍ରବାର ଏହା ନିର୍ଦ୍ଧାରତ ସମୟରେ ଆସିଥିଲା। ହଠାତ୍ ଟ୍ରେନ୍ ଆସିବାରୁ ଲୋକେ କିଛି ବୁଝିପାରିନଥିଲେ। ଫଳରେ ସେମାନଙ୍କ ଉପରେ ଟ୍ରେନ୍ ମାଡ଼ିଯାଇଥିଲା। ଏହି ଦୃଶ୍ୟ ବେଶ୍‌ ଭୟଙ୍କର ଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ ତଥା ଆହତ ବ୍ୟକ୍ତି କହିଛନ୍ତି।

ଚାଲିଗଲେ ‘ରାବଣ’, ବଞ୍ଚାଇଲେ ୩ ଜୀବନ

ଅମୃତସର ଟ୍ରେନ୍‌ ଦୁର୍ଘଟଣାରେ ‘ରାବଣ’ଙ୍କ ମୃତ୍ୟୁକୁ ନେଇ ଲୋକମାନେ ବେଶ୍‌ ଦୁଃଖପ୍ରକାଶ କରିଛନ୍ତି। ସହରରେ ହେଉଥିବା ରାମଲୀଳା ଉତ୍ସବ ପାଇଁ ରାବଣ ଭୂମିକାରେ ଅଭିନୟ କରୁଥିବା ଦଲବୀର ସିଂହ ମଧ୍ୟ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଟ୍ରେନ୍ ଆସିବା ସମୟରେ ଅନ୍ୟମାନଙ୍କୁ ଧାରଣାରୁ ହଟିଯିବାକୁ ପାଟିକରି ଚିଲ୍ଲାଇଥିଲେ। କିନ୍ତୁ ଏତିକିବେଳେ ତାଙ୍କୁ ଟ୍ରେନ୍ ଧକ୍କା ଦେଇଥିଲା। ତେବେ ଏହାଦ୍ବାରା ସେ କିଛି ଲୋକଙ୍କ ଜୀବନ ବଞ୍ଚାଇବାରେ ସମର୍ଥ ହୋଇଥିଲେ। ‌ଦଲବୀରଙ୍କର ୮ ମାସର ଏକ କନ୍ୟାସନ୍ତାନ ଅଛି। ୨୪ ବର୍ଷୀୟ ପୁଅ ଦଲବୀରଙ୍କୁ ହରାଇଥିବା ତାଙ୍କ ମାଆ ନିଜ ବୋହୂ ପାଇଁ ସରକାରୀ ଚାକିରି ଲାଗି ଅନୁରୋଧ କରିଛନ୍ତି।

ହର୍ଣ୍ଣ ଶୁଭିନଥିଲା
ଟ୍ରେନ୍ ଉକ୍ତ ଦୁର୍ଘଟଣାସ୍ଥଳ ଦେଇ ଯିବା ପୂର୍ବରୁ ଏହାର ଚାଳକ ହର୍ଣ୍ଣ ବଜାଇଥିବା ଦାବି କରୁଥିବା ବେଳେ ଲୋକମାନେ କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି। ଚାଳକଙ୍କୁ ଏ ନେଇ ପଚାରିବାରୁ ସେ କହିଛନ୍ତି, ସବୁଜ ସ‌ଂ‌େକତ ମିଳିଥିବାରୁ ସେ ଟ୍ରେନ୍‌କୁ ହାରାହାରି ବେଗରେ ଚଳାଇଥିଲେ। ହର୍ଣ୍ଣ ମଧ୍ୟ ବଜାଇଥିଲେ। କିନ୍ତୁ ଲୋକଙ୍କୁ ଏହା ଶୁଭିନଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ଚାଳକ ଆଦୌ ‌ହର୍ଣ୍ଣ ବଜାଇ ନ ଥିଲେ। ଫଳରେ ଲୋକମାନେ ଟ୍ରେନ୍ ଆସିବା ନେଇ ଜାଣିପାରିନଥିଲେ।

୪ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ

ଘଟଣାରେ ପୁଲିସ କମିସନର୍‌ଙ୍କ ଅଧ୍ୟକ୍ଷତାରେ ମାଜିଷ୍ଟ୍ରେଟ୍‌ ସ୍ତରରେ ତଦନ୍ତ ହେବ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୯ ଜଣ ମୃତକଙ୍କୁ ଛାଡ଼ି ସମସ୍ତଙ୍କ ପରିଚୟ ମିଳିସାରିଛି। ତେବେ ମୃତକଙ୍କ ମଧ୍ୟରେ ଅନେକ ୟୁପି ଓ ବିହାର ଲୋକ ଥିବା ଜଣାପଡ଼ିଛି। ତାଙ୍କ କହିବାନୁଯାୟୀ କମିଟି ୪ ସପ୍ତାହ ମଧ୍ୟରେ ଏହାର ରି‌େପାର୍ଟ ଦେବ।

ପୁଲିସ ଦେଇଥିଲା ମଞ୍ଜୁରି
ଜୋଡ଼ା ବଜାରରେ ଅନୁଷ୍ଠିତ ଦଶହରା ଓ ରାବଣପୋଡ଼ି ପାଇଁ ପୁଲିସ ପକ୍ଷରୁ ମଞ୍ଜୁରି ଦିଆଯାଇଥିଲା। କମିଟି ପକ୍ଷରୁ ଚିଠି ଲେଖାଯାଇ ସୁରକ୍ଷା ବ୍ୟବସ୍ଥା ପାଇଁ ଅନୁରୋଧ କରାଯାଇଥିଲା। ପୁଲିସ ପକ୍ଷରୁ ଏଭଳି ବଡ଼ ଉତ୍ସବ ପାଇଁ ମଞ୍ଜୁରି ଦିଆଯାଇଥିଲେ ହେଁ ଦୁର୍ଘଟଣା ବେଳେ ସେଠାରେ ଗୋଟିଏ ହେଲେ ପୁଲିସ କର୍ମଚାରୀଙ୍କୁ ଦେଖିବାକୁ ମିଳିନଥିଲା। ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ଏଥିପାଇଁ ଅନୁମତି ଦିଆଯାଇନଥିଲା।

ମୁଖ୍ୟ ଅତିଥି ଥିଲେ ସିଦ୍ଧୁଙ୍କ ପତ୍ନୀ
ସୂଚନାରୁ ଜଣାପଡ଼ିଛି ଯେ ପଞ୍ଜାବ କ୍ୟାବିନେଟ୍‌ ମନ୍ତ୍ରୀ ନବ୍‌ଜୋତ୍‌ ସିଂହ ସିଦ୍ଧୁଙ୍କ ସମ୍ପର୍କୀୟ ରାବଣପୋଡ଼ି ଉତ୍ସବର ଆୟୋଜକ ଥିଲେ। ସୌରଭ ମଦନ ଏହି ଉତ୍ସବ ଆୟୋଜନ କରିଥିଲେ। ଏଥିରେ ସିଦ୍ଧୁଙ୍କ ପତ୍ନୀ ନବ୍‌ଜୋତ୍ କୌର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଦୁର୍ଘଟଣା ବେଳେ ସେ ମଞ୍ଚରେ ଉପସ୍ଥିତ ଥିବା କିଛି ଲୋକ କହୁଥିବା ବେଳେ ସେ କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି। ଘରକୁ ଫେରିବାର ୧୫ ମିନିଟ୍‌ ପରେ ଦୁର୍ଘଟଣା ଘଟିଛି ବୋଲି ସେ ଦର୍ଶାଇଛନ୍ତି।

ମୋଡ଼, ଧୂଅାଁ ଯୋଗୁ ଚାଳକ ଜାଣିପାରିଲେନି
ଅମୃତସର ଟ୍ରେନ୍ ଦୁର୍ଘଟଣା ପାଇଁ ଲୋକମାନେ ଟ୍ରେନ୍ ଚାଳକଙ୍କୁ ଦାୟୀ କରୁଛନ୍ତି। କିନ୍ତୁ ଚାଳକ ନିଜକୁ ଅସହାୟ ମଣିଛନ୍ତି। ରେଳବାଇ ପକ୍ଷରୁ କୁହାଯାଇଛି ଯେ ଦୁର୍ଘଟଣାସ୍ଥଳଠାରୁ ଟ୍ରେନ୍ କିଛି ଦୂରରେ ଥିବା ବେଳେ ହଠାତ୍ ଏକ ମୋଡ଼ ଆସିଥିଲା ଏବଂ ରାବଣପୋଡ଼ିରେ ଆତସବାଜି ଯୋଗୁ ଚାରିପଟ ଧୂଅାଁମୟ ହୋଇଯାଇଥିଲା। ଫଳରେ ଚାଳକ କିଛି ଦେଖିପାରିନଥିଲେ। ତଥାପି ଟ୍ରେନ୍‌ର ଗତିକୁ କିଛି ପରିମାଣରେ କମାଇ ଦେଇଥି‌େଲ।

ସମ୍ବନ୍ଧିତ ଖବର