ଅଯୋଧ୍ୟା ପାଇଁ କିନ୍ନର ଗୁଲସନ୍‌ ବିନ୍ଦୁଙ୍କୁ ମେୟର ପ୍ରାର୍ଥୀ କଲା ସମାଜବାଦୀ ପାର୍ଟି

ଲକ୍ଷ୍ନୋ: ଉତ୍ତରପ୍ରଦେଶର ଅଯୋଧ୍ୟା-ଫୈଜାବାଦ ମହାନଗର ନିଗମ ନିର୍ବାଚନରେ ସମାଜବାଦୀ ପାର୍ଟି ମେୟର ପ୍ରାର୍ଥୀଭାବେ ଗୁଲସନ୍‌ ବିନ୍ଦୁ ନାମକ ଜଣେ କିନ୍ନରଙ୍କୁ ପ୍ରାର୍ଥୀ କରିଛି। ଏ ନେଇ ଗତକାଲଇ ଦଳପକ୍ଷରୁ ଘୋଷଣା କରାଯାଇଛି। ଆସନ୍ତା ଆସମରେ ବୃନ୍ଦାବନ-ମଥୁରା ଓ ସାହାରନପୁର ସହିତ ଅଯୋଧ୍ୟା-ଫୈଜାବାଦ ମହାନଗର ନିଗମ ପାଇଁ ନିର୍ବାଚନ ହେବ। ଅଯୋଧ୍ୟା- ଫୈଜାବାଦ ମହାନଗର ନିଗମ ନିର୍ବାଚନକୁ ଭାରତୀୟ ଜନତା ପାର୍ଟି ବେଶ୍‌ ଗୁରୁତ୍ୱ ଦେଉଛି।
ସୂଚନାଯୋଗ୍ୟ ଯେ ୪୭ ବର୍ଷୀୟ ଗୁଲସନ୍‌ ବିନ୍ଦୁ ୨୦୧୨ ମସିହା ବିଧାନସଭା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ହୋଇ ୨୨ ହଜାରରୁ ଊର୍ଧ୍ୱ ଭୋଟ୍‌ ପାଇ ୪ର୍ଥ ସ୍ଥାନରେ ଥିବା ବେଳେ ସେହିବର୍ଷ ଫୈଜାବାଦ ନଗରପାଳିକା ଅଧ୍ୟକ୍ଷା ନିର୍ବାଚନରେ ପ୍ରାର୍ଥୀ ହୋଇ ବିଜେପି ପ୍ରାର୍ଥୀଙ୍କୁ କଡ଼ା ଟକ୍କର ଦେବା ସହିତ ଦ୍ୱିତୀୟ ସ୍ଥାନରେ ରହିଥିଲେ। ତେବେ ସମାଜବାଦୀ ପାର୍ଟ ପକ୍ଷରୁ ଆଗାମୀ ଅଯୋଧ୍ୟା-ଫୈଜାବାଦ ମହାନଗର ନିମଗର ମେୟର ପାଇଁ ଗୁଲସନ୍‌ ବିନ୍ଦୁଙ୍କୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ସେ କହିଛନ୍ତି ଯେ ସମାଜବାଦୀ ପାର୍ଟି ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ସେ ଏସପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ କୃତଜ୍ଞତା ଜଣାଉଛନ୍ତି।
ତେବେ ୨୦୧୨ ମସିହାରେ ବିଧାନସଭା ନିର୍ବାଚନରେ ଗୁଲସନ ବିନ୍ଦୁ ଆଦର୍ଶ ଆରଣ ବିଧି ଉଲଂଘନ କରିଥିବା ନେଇ ବିଜେପି ପକ୍ଷରୁ ଅଭିଯୋଗ ହୋଇଥିଲା। ଗୁଲସନ୍‌ ବିନ୍ଦୁ ତାଙ୍କୁ ଭୋଟ ଦେବା ପାଇଁ ଲୋକଙ୍କ ଠାରୁ ଶପଥ କରାଇ ନେଉଥିବା ଅଭିଯୋଗ ହୋଇଥିଲା। ଏହା ବିଶ୍ୱାସ କରାଯାଏ ଯେ କିନ୍ନରଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ନ କଲେ ଅନିଷ୍ଠ ହୁଏ। ଏହାର ଫାଇଦା ନେବା ପାଇ ଗୁଲସନ୍‌ ବିନ୍ଦୁ ଉଦ୍ୟମ କରିଥିଲେ ବୋଲି ସେତେବେଳେ ବିଜେପି ପକ୍ଷରୁ ଅଭିଯୋଗ ହୋଇଥିଲା।
ତେବେ ସମାଜବାଦୀ ପାର୍ଟି ପକ୍ଷରୁ ଅନ୍ୟ ୬ ଜଣ ମେୟର ପ୍ରାର୍ଥୀଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି। ଏ ନେଇ ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ କରିଛନ୍ତି୨୦୧୭ ବିଧାନସଭା ନିର୍ବାଚନ ପରାଜୟ ପରେ ପୌର ନିର୍ବାଚନ ଦଳୀୟ କର୍ମୀ ଓ ନେତାମାନଙ୍କ ପାଇଁ ପ୍ରଥମ ଚାଲେଞ୍ଜ ରୁପେ ଉଭା ହୋଇଛି। ତେଣୁ ସମସ୍ତ ସମାଜବାଦ ପାର୍ଟି କର୍ମୀମାନେ ଏକଜୁଟ୍‌ ହେବାକୁ ଶ୍ରୀ ଯାଦବ ଆହ୍ଵାନ ଦେଇଛନ୍ତି।

ସମ୍ବନ୍ଧିତ ଖବର