ତିରୁମାଳା ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଠାରୁ ଚାନ୍ଦା ଆଦାୟ: ବିଦା ହେଲେ ୨୪୩ ନାପିତ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ଚିତ୍ତୂର ଜିଲ୍ଲା ଅନ୍ତର୍ଗତ ତିରୁପତି ସ୍ଥିତ ପ୍ରଖ୍ୟାତ ତିରୁମାଳା ମନ୍ଦିରକୁ ମୁଣ୍ଡନ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ଠାରୁ ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ମନ୍ଦିର ପ୍ରଶାସନ ୨୪୩ ଜଣ ନାପିତଙ୍କୁ କାର୍ଯ୍ୟରୁ ବହିଷ୍କାର କରିଛନ୍ତି। ଅପରପକ୍ଷେ, ସେମାନଙ୍କୁ ଭକ୍ତମାନେ ସ୍ୱେଚ୍ଛାରେ କିଛି କିଛି ଦାନ କରିଥାନ୍ତି ବୋଲି ବହିଷ୍କୃତ ନାପିତମାନେ ସଫେଇ ଦେଇଛନ୍ତି। ଏଥି ସହିତ ସେମାନଙ୍କ ଉପରୁ ବହିଷ୍କାର ଆଦେଶ ହଟେଇ ନେବାକୁ ସେମାନେ ଧାରଣା ଦେଇଛନ୍ତି।
ଉଲ୍ଲେଖ ଥାଉ କି, ତିରୁପତି ମନ୍ଦିରକୁ ପ୍ରତ୍ୟହ ୭୦,୦୦୦ରୁ ୮୦,୦୦୦ ଯାଏ ଶ୍ରଦ୍ଧାଳୁ ପ୍ରଭୁ ଭେଙ୍କଟେଶ୍ୱରଙ୍କ ଦର୍ଶନ ଉଦ୍ଦେଶ୍ୟରେ ଆସିଥାନ୍ତି। ଏପରିକି ଏହି ସଂଖ୍ୟା ଛୁଟି ଦିନମାନଙ୍କରେ ଲକ୍ଷେ ଟପିଯାଏ। ସେମାନଙ୍କ ମଧ୍ୟରୁ ପ୍ରାୟ ୭୦% ଭକ୍ତ ମୁଣ୍ଡନ କରିବା ପାଇଁ ମାନସିକ ରଖି ଆସିଥାନ୍ତି। ମନ୍ଦିର ପ୍ରଶାସନ ମଧ୍ୟ କଟାହୋଇଥିବା ଚୁଟିକୁ ନିଲାମ କରି ବାର୍ଷିକ ୧୫୦ କୋଟିରୁ ୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଆୟ କରିଥାଏ। ତେଣୁ ଭକ୍ତମାନେ ମାଗଣାରେ ଚୁଟି ପକାଇବା ପାଇଁ ମନ୍ଦିର ପ୍ରଶାସନ ୯୪୩ ଜଣ ନାପିତଙ୍କୁ ନିଯୁକ୍ତି ଦେଇଛି। ମାତ୍ର କିଛି ନାପିତ ଶ୍ରଦ୍ଧାଳୁଙ୍କ ଠାରୁ ଏଥିପାଇଁ କିଛି ଅର୍ଥ ଦାବି କରୁଥିବା ଅଭିଯୋଗ ହୋଇ ଆସୁଥିଲା। ଅପରପକ୍ଷେ, ଭକ୍ତମାନେ ମାଗଣାରେ ଚୁଟି ପକାଇବାକୁ ପସନ୍ଦ ନକରି କିଛି କିଛି ଦକ୍ଷିଣା ଦେଇଥାନ୍ତି ବୋଲି ନାପିତମାନେ ଯୁକ୍ତି କରିଛନ୍ତି।

ସମ୍ବନ୍ଧିତ ଖବର