ବିଜେପିକୁ ଝଟ୍‌କା: କଂଗ୍ରେସ ଛଡ଼ାଇନେଲା ଗୁରୁଦାସପୁର ଲୋକସଭା ଆସନ

କଂଗ୍ରେସ ପ୍ରାର୍ଥୀ ସୁନୀଲ ଝାକଡ଼ ୧.୯୩ ଲକ୍ଷ ଭୋଟ୍‌ରେ ବିଜୟୀ

ନୂଆଦିଲ୍ଲୀ:   ପଂଜାବର ଗୁରୁଦାସପୁର ଲୋକସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ କଂଗ୍ରେସ ବିପୁଳ ବିଜୟ ହାସଲ କରିଛି। କଂଗ୍ରେସ ପ୍ରାର୍ଥୀ ସୁନୀଲ ଝାକଡ଼ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ସ୍ୱର୍ଣ୍ଣ ସଲାରିଆଙ୍କୁ ୧,୯୩,  ୨୧୯ ଭୋଟ୍‌ରେ ହରାଇଛନ୍ତି। ଏହି ଉପନିର୍ବାଚନ ପାଇଁ ଗତ ୧୧ ତାରିଖ ଦିନ ଭୋଟ୍‌ ଗ୍ରହଣ ହୋଇଥିଲା। କଂଗ୍ରେସ ପ୍ରାର୍ଥୀ ସୁନୀଲ ଝାକଡ଼ ତାଙ୍କ ବିଜୟର ଶ୍ରେୟ କଂଗ୍ରେସ ନେତୃତ୍ୱ ଏବଂ ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ ଅମରିନ୍ଦର ସିଂହଙ୍କୁ ଦେଇଛନ୍ତି। ଏହି ବିଜୟର ଅସଲ ନାୟକ କ୍ୟାପଟେନ ଅମରିନ୍ଦର ବୋଲି ଝାକଡ଼ କହିଛନ୍ତି। ଏହି ଆସନରେ ବିଜେପି ସମର୍ଥକମାନେ ମଧ୍ୟ କଂଗ୍ରେସକୁ ଭୋଟ୍‌ ଦେଇଛନ୍ତି ବୋଲି ସେ କହିଛନ୍ତି। ଲୋକସଭା ଉପନିର୍ବାଚନରେ ବିଜେପି ଆସନ କଂଗ୍ରେସ ଛଡ଼ାଇ ନେବାକୁ ସକ୍ଷମ ହୋଇଥିବାରୁ କଂଗ୍ରେସ ମହଲରେ ଉତ୍ସାହ ଖେଳିଯାଇଛି। କ୍ୟାପ୍‌୍‌ଟେନ ଅମରିନ୍ଦର କହିଛନ୍ତି ଯେ ଗୁରୁଦାସପୁର ଲୋକସଭା ଆସନରୁ  କଂଗ୍ରେସ ବିଜୟର ଅୟମାରମ୍ଭ କରିଛି। ସମଗ୍ର ଦେଶରେ କଂଗ୍ରେସ ଏଭଳି ବିପୁଳ ବିଜୟ ହାସଲ କରିବ ଏବଂ ରାହୁଲ ଗାନ୍ଧୀ ୨୦୧୯ରେ ଦେଶର ପ୍ରଧାନମନ୍ତ୍ରୀ ହେବେ ବୋଲି ସେ କହିଛନ୍ତି। ଏହି ନିର୍ବାଚନରୁ କଂଗ୍ରେସର ପୁନରୁଦ୍ଧାର ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି।  ଗୁରୁଦାସପୁର ଲୋକସଭା ଆସନର ସମସ୍ତ ୯ଟି ବିଧାନସଭା କ୍ଷେତ୍ରରେ କଂଗ୍ରେସ ପ୍ରାର୍ଥୀକୁ ବିପୁଳ ସମର୍ଥନ ମିଳିଛି। କୌଣସି ଗୋଟିଏ ବିଧାନସଭା କ୍ଷେତ୍ରରେ ମଧ୍ୟ ବିଜେପି ପ୍ରାର୍ଥୀ ଆଗରେ ନାହାନ୍ତି। ଦଳର ଏଭଳି ଶୋଚନୀୟ ପରାଜୟ ରାଜ୍ୟ ବିଜେପିରେ ନୈରାଶ୍ୟ ସୃଷ୍ଟି କରିଛି। ଏହି ଉପନିର୍ବାଚନରେ ଝାକଡ଼ଙ୍କୁ ମୋଟ ୩୨୩୮୬୦ ଭୋଟ୍‌ ମିଳିଥିବା ବେଳେ ଭାଜପା ପ୍ରାର୍ଥୀଙ୍କୁ  ୧୮୮୦୪୮ ଭୋଟ୍‌ ଏବଂ ଆମ ଆଦ୍‌ମି ପାର୍ଟି ପ୍ରାର୍ଥୀ ସୁରେଶ ଖଜୁରିୟାଙ୍କୁ ୧୮୪୨୧ ଭୋଟ ମିଳିଛି।   ୨୦୧୪ ଲୋକସଭା ନିର୍ବାଚନରେ ଗୁରୁଦାସପୁର ଆସନରୁ ନିର୍ବାଚିତ ହୋଇଥିବା ବିଜେପି ସାଂସଦ ବିନୋଦ ଖାନ୍ନାଙ୍କ ପରଲୋକ ଘଟିଥିବାରୁ ଏହି ଆସନରେ ଉପନିର୍ବାଚନ କରାଯାଇଥିଲା। ବିନୋଦ ଖାନ୍ନା ଏହି ଆସନରୁ ୧୯୯୮, ୧୯୯୯, ୨୦୦୪ ଏବଂ ୨୦୧୪ ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିଲେ।  ଏହି ଆସନରେ କଂଗ୍ରେସ ମୋଟ ୧୧ ଥର ବିଜୟୀ ହୋଇଛି ।  ଏହି ଉପନିର୍ବାଚନରେ  ମୋଟ ୮ ଲକ୍ଷ ୫୯ ହଜାର ୩୩୬ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ। କଂଗ୍ରେସର ପୁନରୁଦ୍ଧାର କ୍ଷେତ୍ରରେ ଏହି ଉପନିର୍ବାଚନ ଏକ ବଡ଼ ପଦକ୍ଷେପ ସାବ୍ୟସ୍ତ ହୋଇଛି ଏବଂ କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ଲୋକେ ନିଜର ରାୟ ପ୍ରକାଶ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଅମରିନ୍ଦର କହିଛନ୍ତି।

ସମ୍ବନ୍ଧିତ ଖବର