ତେଲେଙ୍ଗାନା ଓ ମିଜୋରାମରେ ଜାତୀୟ ଦଳକୁ ପଛରେ ପକାଇଲେ ଆଞ୍ଚଳିକ ଦଳ: ଟିଆର୍‌ଏସ୍‌ ଓ ଏମ୍‌ଏନ୍‌ଏଫ୍‌ ଗଢ଼ିବେ ସରକାର

ନୂଆଦିଲ୍ଲୀ: ସଦ୍ୟ ସମାପ୍ତ ୫ଟି ରାଜ୍ୟ- ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା ଓ ମିଜୋରାମ- ବିଧାନସଭା ନିର୍ବାଚନର ଭୋଟ ଗଣତି ଆଜି ଅବ୍ୟାହତ ରହିଛି। ତେବେ, ଏହି ୫ଟି ରାଜ୍ୟ ମଧ୍ୟରୁ ତେଲେଙ୍ଗାନାରେ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି (ଟିଆର୍‌ଏସ୍‌) ଓ ମିଜୋରାମରେ ମିଜୋ ନ୍ୟାସନାଲ ଫ୍ରଣ୍ଟ (ଏମ୍‌ଏନଏଫ୍‌) ସରକାର ଗଠନ କରିବାକୁ ଯାଉଥିବା ପ୍ରାୟତଃ ସ୍ପଷ୍ଟ ହୋଇ ଯାଇଛି। ଚଳିତ ନିର୍ବାଚନରେ ଏହି ଦୁଇ ରାଜ୍ୟର ମତଦାତା ଭାରତୀୟ ଜନତା ପାର୍ଟି (ବିଜେପି) ଓ କଂଗ୍ରେସ ପରି ଜାତୀୟ ଦଳ ପରିବର୍ତ୍ତେ ଟିଆର୍‌ଏସ୍‌ ଓ ଏମ୍‌ଏନ୍‌ଏଫ୍‌ ପରି ଆଞ୍ଚଳିକ ଦଳ ଉପରେ ଅଧିକ ଆସ୍ଥା ପ୍ରକଟ କରିଥିବା ଦେଖିବା ପାଇଁ ମିଳିଛି।

www.telegraphindia.com

ତେଲେଙ୍ଗାନାରେ ପୂର୍ବରୁ ଶାସନ କ୍ଷମତାରେ ରହିଥିବା ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି (ଟିଆର୍‌ଏସ୍‌) ଚଳିତ ନିର୍ବାଚନରେ ମଧ୍ୟ ସ୍ପଷ୍ଟ ବହୁମତ ହାସଲ କରିବା ସହ ଦ୍ୱିତୀୟ ଥର ପାଇଁ ରାଜ୍ୟରେ ଶାସନ କ୍ଷମତା ଅକ୍ତିଆର କରିବାକୁ ଯାଉଛି। ତେଲେଙ୍ଗାନା ବିଧାନସଭାର ୧୧୯ ଆସନ ମଧ୍ୟରୁ ଟିଆର୍‌ଏସ୍‌ ୮୭, କଂଗ୍ରେସ ୨୧, ବିଜେପି ୨ ଓ ଅନ୍ୟାନ୍ୟ ୯ଟି ଆସନରେ ଆଗୁଆ ରହିବା ସହ ବିଜୟ ଲାଭ କରିବାକୁ ଯାଉଛନ୍ତି। ତେଲେଙ୍ଗାନାରେ ଟିଆରଏସ୍‌ ସପକ୍ଷରେ ମତଦାତା ରହିଥିବା ଜାଣିବା ପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆର୍‌ଏସ୍‌ ସୁପ୍ରିମୋ କେ ଚନ୍ଦ୍ରଶେଖର ରାଓ ରାଜ୍ୟ ବିଧାନସଭାକୁ ଭାଙ୍ଗିଦେବା ସହ ରାଜ୍ୟରେ ଆଗୁଆ ନିର୍ବାଚନ କରାଇଥିଲେ। ଏବଂ ଯେଉଁ ଆଶା ରଖି ଟିଆର୍‌ଏସ୍‌ ସୁପ୍ରିମୋ କେ ଚନ୍ଦ୍ରଶେଖର ରାଓ ରାଜ୍ୟରେ ଆଗୁଆ ନିର୍ବାଚନ କରାଇଥିଲେ, ତାହାର ସୁଫଳ ମଧ୍ୟ ତାଙ୍କୁ ମିଳିଛି।

ସେହିପରି ମିଜୋରାମରେ ମତଦାତାମାନେ ବିଜେପି ଓ କଂଗ୍ରେସ ପରି ଜାତୀୟ ଦଳ ପରିବର୍ତ୍ତେ ମିଜୋ ନ୍ୟାସନାଲ ଫ୍ରଣ୍ଟ (ଏମ୍‌ଏନଏଫ୍‌) ପରି ଆଞ୍ଚଳିକ ଦଳ ଉପରେ ଅଧିକ ଆସ୍ଥା ପ୍ରକଟ କରିଛନ୍ତି। ପୂର୍ବରୁ କଂଗ୍ରେସ ମିଜୋରାମର ଶାସନ କ୍ଷମତାରେ ରହିଥିବା ବେଳେ ଚଳିତ ନିର୍ବାଚନରେ ମତଦାତାମାନେ କଂଗ୍ରେସକୁ ପ୍ରତ୍ୟାଖାନ କରିଛନ୍ତି। ପୂର୍ବରୁ ମିଜୋରାମରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଥିବା ଲାଲ୍‌ ଥନ୍‌ଓ୍ଵାଲା ଚଳିତ ନିର୍ବାଚନରେ ଦୁଇ ଦୁଇଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ସୁଦ୍ଧା ଦୁଇଟି ଯାକ ଆସନରୁ ଶୋଚନୀୟ ଭାବେ ପରାଜିତ ହୋଇଛନ୍ତି। ମିଜୋରାମରେ ଏମ୍‌ଏନ୍‌ଏଫ୍‌ ୨୫, କଂଗ୍ରେସ ୬, ବିଜେପି ୧ ଓ ଅନ୍ୟାନ୍ୟ ୮ଟି ଆସନରେ ଆଗୁଆ ରହିବା ସହ ବିଜୟ ଲାଭ କରିବାକୁ ଯାଉଛନ୍ତି। ତେବେ, ମିଜୋରାମର ନିର୍ବାଚନ ଫଳାଫଳ କଂଗ୍ରେସକୁ ଏକ ଶକ୍ତ ଧକ୍କା ଦେଇଛି। କାରଣ, ପୂବରୁ ଦେଶର ଉତ୍ତର-ପୂର୍ବ ରାଜ୍ୟ ସମୂହ କଂଗ୍ରେସ ପାଇଁ ହସ୍ତମୁଦି ମାହଲ ସଦୃଶ ରହିଥିଲା। ତେବେ ଆସାମ, ତ୍ରିପୁରା, ମଣିପୁର ପରେ ଏବେ ମିଜୋରାମ ହାତରୁ ଖସିଯିବା କଂଗ୍ରେସ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି।

ସମ୍ବନ୍ଧିତ ଖବର