ପୋଲ ତଳକୁ ଟ୍ରକ୍‌ ଖସି ୩୧ ମୃତ

ନୂଆଦିଲ୍ଲୀ : ଗୁଜରାଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩୧ ଜଣଙ୍କ ପ୍ରାଣହାନି ହୋଇଛି। ବିବାହ ଉତ୍ସବରେ ଯୋଗ ଦେବାଲାଗି ୬୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଆଜି ଭୋର୍‌ ସମୟରେ ଭାବନଗର ଜିଲ୍ଲାର ରାନ୍ଧୋରା ଗ୍ରାମ ନିକଟସ୍ଥ ରାଜକୋଟ୍‌-ଭାବନଗର ଜାତୀୟ ରାଜପଥ ବ୍ରିଜ୍‌ ଉପରୁ ତଳକୁ ଖସି ପଡ଼ିବା ଫଳରେ ୩୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୫ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଜିଲ୍ଲାପାଳ ହର୍ସାଦ ପଟେଲଙ୍କ କହିବା ଅନୁଯାୟୀ ମୃତକମାନଙ୍କ ମଧ୍ୟରେ ୧୦ ଜଣ ମହିଳା ଏବଂ ୫ ଜଣ ଶିଶୁ ରହିଛନ୍ତି। ସୂଚନାନୁଯାୟୀ ଟ୍ରକ୍‌ଟି ବୋଟାଡ୍‌ ଜିଲ୍ଲାରେ ଏକ ବିବାହ ଉତ୍ସବରେ ଯୋଗ ଦେବାଲାଗି ପାଖପାଖି ୬୦ ଜଣଙ୍କୁ ଧରି ଅନିଦା ଗ୍ରାମରୁ ବାହାରିଥିଲା। ତେବେ ଟ୍ରକ୍‌ ଡ୍ରାଇଭର ବ୍ରିଜ୍‌ ଉପରେ ଅନ୍ୟ ଏକ ଗାଡ଼ିକୁ ଅତିକ୍ରମ କରିବାକୁ ଚେଷ୍ଟା କରିଥିବାବେଳେ ଭାରସାମ୍ୟ ହରାଇ ଟ୍ରକ୍‌ଟି ପୋଲ ତଳକୁ ଖସି ପଡ଼ିଥିଲା। ଘଟଣାସ୍ଥଳରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୬ ଜଣଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଏହି ଦୁର୍ଘଟଣା ନେଇ ଗଭୀର ଶୋକ ପ୍ରକାଶ କରିବା ସହ ଆହତମାନଙ୍କ ଉତ୍ତମ ଚିକିତ୍ସା ପାଇଁ ସରକାରୀ ସହାୟତା ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର