ଟ୍ରମ୍ପ-କିମ୍‌ ଶିଖର ବୈଠକ:ନିର୍ଯାସ ଉପରେ ନଜର

ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ବଢୁଛି ଚୀନର ଚିନ୍ତା

ସିଙ୍ଗାପୁର: ମଙ୍ଗଳବାର ସିଙ୍ଗାପୁରରେ ଉତ୍ତରକୋରିଆ ଶାସକ କିମ୍‌ ଜଙ୍ଗ ଉନ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବହୁ ପ୍ରତିକ୍ଷୀତ ଐତିହାସିକ ବୈଠକ ହେବାକୁ ଯାଉଛି। ସିଙ୍ଗାପୁର ସେଣ୍ଟାସା ଦ୍ୱୀପର କାପ୍ରେ-ଲା ହୋଟେଲ ପରିସରରେ ଭାରତୀୟ ସମୟ ସକାଳ ସାଢେ ୬ଟାରେ ଏହି ଐତିହାସିକ ବୈଠକ ହେବ। ଉକ୍ତ ବୈଠକରେ ଦୁଇ ନେତା କ’ଣ ଆଲୋଚନା କରିବେ ତାକୁ ନେଇ ସାରା ବିଶ୍ୱର ନଜର ରହିଛି। ଗତକାଲିଠାରୁ ଉଭୟ ଟ୍ରମ୍ପ ଓ କିମ୍‌ ସିଙ୍ଗପୁରରେ ପହଞ୍ଚି ସାରିଛନ୍ତି। କିମ୍‌ ଜଙ୍ଗ ସିଙ୍ଗାପୁରର ସେଣ୍ଟ ରେଗିସ୍‌ ହୋଟେଲରେ ଅବସ୍ଥାନ କରୁଛନ୍ତି। ଆଜି ସେଠାରେ କିମ୍‌ ଜଙ୍ଗ ସିଙ୍ଗାପୁରର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ସହ ସ୍ଥାନୀୟ ଲୋକଙ୍କ ସହ ସେଲଫି ନେବାର ଦୃଶ୍ୟ ବେଶ୍‌ ଚର୍ଚ୍ଚାରେ ରହିଛି।
ତେବେ ଏହି ବୈଠକ ଏକ ନୂଆ ଇତିହାସ ସୃଷ୍ଟି କରିବ ବୋଲି ଟ୍ରମ୍ପ କହିଛନ୍ତି। ଉତ୍ତରକୋରିଆ ଶାସକ କିମ୍‌ ମଧ୍ୟ ଏହି ବୈଠକ ପାଇଁ ମଧ୍ୟ ବ୍ୟଗ୍ର ଥିବା ପୂର୍ବରୁ କହିସାରିଛନ୍ତି। ଏହି ଦୁଇ ନେତାଙ୍କ ବୈଠକକୁ ଆଖି ଆଗରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସିଙ୍ଗାପୁରର ସୁରକ୍ଷା ବାହିନୀଙ୍କ ବ୍ୟତୀତ ନେପାଳର ଗୋର୍ଖା ବାହିନୀଙ୍କୁ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରାଯାଇଛି। ବିଭିନ୍ନ ଆର୍ଥିକ ପ୍ରଲୋଭନ ଦେଖାଇ ଉତ୍ତରକୋରିଆକୁ ଚୀନ ନିଜର କବଳକୁ ଆଣିବା ପାଇଁ ଚେଷ୍ଟା ଜାରି ରଖିଛି। ତେବେ ଏହି ଶିଖର ବୈଠକ ପରେ ଉତ୍ତରକୋରିଆ ମତ ପରିବର୍ତ୍ତନ କରି ଆମେରିକା ସପକ୍ଷରେ ଯାଇ ତାକୁ ବିରୋଧ କରିପାରେ ବୋଲି ଚୀନ ଆଶଙ୍କା କରିଛି। ଶୀତଳ ଯୁଦ୍ଧ ସମୟରୁ ଆରମ୍ଭ ହୋଇଥିବା ଚୀନ-ଉତ୍ତରକୋରିଆ ସମ୍ପର୍କକୁ ଆମେରିକା ଗଡ଼ବଡ଼ କରି ଦେଇପାରେ ବୋଲି କିଛି କୂଟନୈତିକ ବିଶ୍ଳେଷକ ମତବ୍ୟକ୍ତ କରିବା ପରେ ଚୀନର ଚିନ୍ତା ବଢି ଯାଇଛି।
ଉଭୟ ନେତାଙ୍କ ଏହି ଐତିହାସିକ ବୈଠକର ବନ୍ଦୋବସ୍ତ ପାଇଁ କରାଯାଇଥିବା ସମସ୍ତ ପ୍ରସ୍ତୁତି ପାଇଁ ସିଙ୍ଗାପୁର ସରକାର ୧୩୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରୁଛନ୍ତି। ସିଙ୍ଗାପୁର ପ୍ରଧାନମନ୍ତ୍ରୀ ସିଏନ ଲୁଙ୍ଗ ଏହି ପ୍ରସଙ୍ଗରେ ମତବ୍ୟକ୍ତ କରି ଅନ୍ତରାଷ୍ଟ୍ରୀୟ ସ୍ତରରେ ଶାନ୍ତି ସ୍ଥାପନ ପାଇଁ ତାଙ୍କ ଦେଶ ଏହି ପ୍ରୟାସ ଜାରି ରଖିଛି। ସାରା ବିଶ୍ୱର ଲୋକଙ୍କ ନଜର ଏହି ବୈଠକ ଉପରେ ଥିବାରୁ କିଭଳି ଭାବେ ଏହି ବୈଠକ ସୁରୁଖୁରୁରେ ହେବ ସେନେଇ ସମସ୍ତ ବନ୍ଦୋବସ୍ତ କରାଯାଇଛି। ଉଭୟ ନେତାଙ୍କ ଏହି ବୈଠକ ପାଇଁ ସିଙ୍ଗାପୁରରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଛି।
ସମ୍ପୂର୍ଣ୍ଣ ନିରସ୍ତ୍ରୀକରଣ ହେଲେ ସ୍ୱତନ୍ତ୍ର ସୁରକ୍ଷା ମିଳିବ
ସିଙ୍ଗାପୁର,୧୧/୬: ମଙ୍ଗଳବାର ସିଙ୍ଗାପୁରରେ କିମ୍‌ ଜଙ୍ଗ ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହେବାକୁ ଥିବା ଐତିହାସିକ ବୈଠକର କିଛି ସମୟ ପୂର୍ବରୁ ଆମେରିକା ଉତ୍ତରକୋରିଆକୁ ଏକ ଦୃଢ ପ୍ରତିଶ୍ରୁତି ଦେଇଛି। ଯେଉଁ ପ୍ରସଙ୍ଗ ନେଇ ଗୋଟିଏ ଥର କିମ୍‌ ଏହି ବୈଠକରେ ଯୋଗଦେବାକୁ ମନା କରିଦେଇଥିଲେ ଟ୍ରମ୍ପ ପୁଣିଥରେ ସେହି ପ୍ରସଙ୍ଗ ଉଠାଇଛନ୍ତି। ଉତ୍ତରକୋରିଆ ସମ୍ପୂର୍ଣ୍ଣ ପରମାଣୁ ନିରସ୍ତ୍ର ରାଷ୍ଟ୍ର ଭାବେ ନିଜକୁ ଘୋଷଣା କଲେ ତାକୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବ ବୋଲି ବୈଦେଶିକ ସଚିବ ମାଇକ୍‌ ପୋମ୍ପେଓ କହିଛନ୍ତି। ଦୁଇ ନେତାଙ୍କ ବୈଠକ ଯଦିଓ ବିଗତ ୬ ଦଶନ୍ଧିର ଶତ୍ରୁତାରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଯାଉଛି, ତଥାପି ଉତ୍ତରକୋରିଆ ସମ୍ପୂର୍ଣ୍ଣ ପରମାଣୁ ନିରସ୍ତ୍ର ରାଷ୍ଟ୍ର ନହେବା ଯାଏଁ ଆମେରିକା ପକ୍ଷରୁ ଲଗାଯାଇଥିବା କଟକଣା ବଳବତ୍ତର ରହିବ ବୋଲି ସେ କହିଛନ୍ତି।
ମୁଖ୍ୟ ଭୂମିକାରେ ଦୁଇ ଭାରତୀୟ ବଂଶୋଦ୍ଭବ
ସିଙ୍ଗାପୁର, ୧୧|୬: ମଙ୍ଗଳବାର ସିଙ୍ଗାପୁରରେ ହେବାକୁ ଯାଉଥିବା ଐତିହାସିକ ଟ୍ରମ୍ପ-କିମ୍‌ ଶିଖର ବୈଠକରେ ଦୁଇ ଭାରତୀୟ ବଂଶୋଦ୍ଭବ ସିଙ୍ଗାପୁର ମନ୍ତ୍ରୀ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ସିଙ୍ଗାପୁରର ବୈଦେଶିକ ବ୍ୟାପାରମନ୍ତ୍ରୀ ଭିଭିଆନ୍‌ ବାଲକ୍ରିଷ୍ଣନ ଏବଂ ସ୍ୱରାଷ୍ଟ୍ର ଓ ଆଇନ ମନ୍ତ୍ରୀ କେ.ସନମୁଗମ୍‌ ଏହି ବୈଠକ ସିଙ୍ଗାପୁରରେ ହେବା ପାଇଁ ସମସ୍ତ ପ୍ରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ଦୁଇ ଜଣ ମନ୍ତ୍ରୀ ଭାରତୀୟ ବଂଶୋଦ୍ଭବ ଓ ଏମାନଙ୍କର ଭାରତ ସହ ସମ୍ପର୍କ ଥିବା ଜଣାପଡ଼ିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ଦୁଇ ମନ୍ତ୍ରୀ ଉତ୍ତରକୋରିଆ ଓ ଓ୍ଵାସିଂଟନ ଗସ୍ତ କରି ଏହି ବୈଠକ ସିଙ୍ଗାପୁରରେ କରିବା ପାଇଁ ଟ୍ରମ୍ପ ଓ କିମ୍‌ଙ୍କୁ ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର