ଏଚ୍‌- ୪ ଭିସା ବଳରେ ଆଉ ଆମେରିକାରେ ମିଳିବନି ନିଯୁକ୍ତି ସୁଯୋଗ, ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବେ ଆମେରିକାରେ  ଚାକିରି କରୁଥିବା ଭାରତୀୟ ଦମ୍ପତି

ଓ୍ଵାଶିଂଟନ: ଆମେରିକାର ଟ୍ରମ୍ପ ପ୍ରଶାସନ ଏବେ ଆମେରିକାରେ କାର୍ଯ୍ୟରତ ଥିବା ଏଚ୍‌- ୧ବି ଭିସା ଧାରୀ ବିଦେଶୀ ଦମ୍ପତିମାନଙ୍କ ମଧ୍ୟରୁ ଯେଉଁମାନଙ୍କର ସ୍ତ୍ରୀ ବା ସ୍ୱାମୀ ଏଚ୍‌- ୪ ଭିସା ବଳରେ ଆମେରିକାରେ ନିଯୁକ୍ତି ସୁଯୋଗ ପାଇଛନ୍ତି, ସେମାନଙ୍କୁ ଆଉ ନିଯୁକ୍ତି ସୁଯୋଗ ପ୍ରଦାନ କରିବେ ନାହିଁ ବୋଲି ନିଷ୍ପତ୍ତି ଗ୍ରହଣ କରିବାକୁ ଯାଉଥିବା, ଟ୍ରମ୍ପ ପ୍ରଶାସନର ଜନୈକ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଏଚ୍‌- ୧ବି ଭିସା ବଳରେ ଯେଉଁ ଦମ୍ପତିମାନଙ୍କର ସ୍ୱାମୀ ବା ସ୍ତ୍ରୀ ଆମେରିକାରେ ନିଯୁକ୍ତି ପାଇଥାଆନ୍ତି ସେମାନଙ୍କ ମଧ୍ୟରୁ ଚାକିରି ପାଇ ନଥିବା ସ୍ତ୍ରୀ ବା ସ୍ୱାମୀଙ୍କୁ ଆମେରିକା ସରକାର ଏଚ୍‌- ୪ ଭିସା ପ୍ରଦାନ କରିଥାନ୍ତି। ଟ୍ରମ୍ପଙ୍କ ପୂର୍ବରୁ ବାରାକ୍‌ ଓବାମା ଆମେରିକାର ରାଷ୍ଟ୍ରପତି ଥିବା ସମୟରେ ଏଚ୍‌- ୧ବି ଭିସା ବଳରେ ଯେଉଁ ଦମ୍ପତିମାନଙ୍କର ସ୍ୱାମୀ ବା ସ୍ତ୍ରୀ ଆମେରିକାରେ ନିଯୁକ୍ତି ପାଇଥିଲେ ଏବଂ ଏଚ୍‌- ୪ ଭିସାଧାରୀ ଯେଉଁ ସ୍ତ୍ରୀ ବା ସ୍ୱାମୀଙ୍କ ନିକଟରେ ନିଯୁକ୍ତି ନଥିଲା, ସେମାନଙ୍କୁ ଆମେରିକାରେ ନିଯୁକ୍ତି ସୁଯୋଗ ଦେଇଥିଲେ। କିନ୍ତୁ, ବର୍ତ୍ତମାନର ରାଷ୍ଟ୍ରପତି ଟ୍ରମ୍ପ ଏବେ ପୂର୍ବ ରାଷ୍ଟ୍ରପତି ଓବାମାଙ୍କର ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରିନେବା ପାଇଁ ଚିନ୍ତା କରୁଛନ୍ତି।

ସଂପ୍ରତି ଆମେରିକାରେ ପ୍ରାୟ ୭୦, ୦୦୦ରୁ ଉର୍ଦ୍ଧ୍ୱ ଏଚ୍‌- ୪ ଭିସାଧାରୀ ନିଯୁକ୍ତି ସୁଯୋଗ ପାଇ ସେଠାରେ ଚାକିରି କରୁଛନ୍ତି। ଆଉ ଏମାନଙ୍କ ମଧ୍ୟରେ ସଂଖ୍ୟାଧିକ ହେଉଛନ୍ତି ଭାରତୀୟ। ରାଷ୍ଟ୍ରପତି ଟ୍ରମ୍ପଙ୍କର ଏହି ନୂତନ ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ, ଏବେ ଏମାନେ ସମସ୍ତେ ନିଜ ନିଜର ଚାକିରି ହରାଇବେ। ଏମାନଙ୍କ ମଧ୍ୟରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବେ ଆମେରିକାରେ ଚାକିରି କରୁଥିବା ଭାରତୀୟ। କାରଣ, ପୂର୍ବ ରାଷ୍ଟ୍ରପତି ଓବାମାଙ୍କର ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବା ପରେ ଏଚ୍‌-୪ ଭିସା ଆଧାରରେ ସବୁଠାରୁ ଅଧିକ ସଂଖାରେ ଭାରତୀୟ ଦମ୍ପତିମାନେ ହିଁ ଆମେରିକାରେ ନିଯୁକ୍ତି ସୁଯୋଗ ହାସଲ କରିଥିଲେ।

ସମ୍ବନ୍ଧିତ ଖବର