ଚୀନ୍‌ ଉତ୍ତର କୋରିଆକୁ ତୈଳ ଯୋଗାଇବାରୁ ଟ୍ରମ୍ପ୍‌ ଅସନ୍ତୁଷ୍ଟ

ଓ୍ଵାସିଂଟନ୍‌: ଚୀନ୍‌ ଉତ୍ତର କୋରିଆକୁ ତୈଳ ଯୋଗାଉ ଥିବାରୁ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଅସନ୍ତୁଷ୍ଟ ହୋଇଥିବା କଥା ଗୁରୁବାର ଦିନ କହିଛନ୍ତି। ଏହି ପଦକ୍ଷେପ ପିୟୋଙ୍ଗ୍ୟାଙ୍ଗ୍‌ ଆଣବିକ କାର୍ଯ୍ୟକ୍ରମ ଯୋଗୁଁ ଉପୁଜିଥିବା ସଙ୍କଟର ଆମାୟିକ ସମାଧାନର ପ୍ରତିବନ୍ଧକ ସାଜିବ ବୋଲି ସେ ସୂଚନା ଦେଇଛନ୍ତି।

ଟ୍ରମ୍ପ୍‌ ଟୁଇଟ୍‌ ପୋଷ୍ଟ୍‍ରେ ଲେଖିଛନ୍ତି: ଚୀନ୍‌ ଉତ୍ତର କୋରିଆକୁ ତୈଳ ଛାଡୁଥିବାରୁ ମୁଁ ଭାରି ଅସନ୍ତୁଷ୍ଟ। ଏମିତି ଚାଲିଲେ କଦାପି ଉତ୍ତର କୋରିଆ ସମସ୍ୟାର ଆମାୟିକ ସମାଧାନ ହୋଇ ପାରିବ ନାହିଁ!

ଉତ୍ତର କୋରିଆରେ ତୈଳ ପହଞ୍ଚାଇବା ପାଇଁ ଚୀନ୍‌ ଏବଂ ଉତ୍ତର କୋରିଆର ଜାହାଜ ଅନୈତିକ ଭାବେ ସମୁଦ୍ରରେ ଯୋଗସୂତ୍ର ସ୍ଥାପନ କରିଥିବା ସମ୍ବାଦ ଦକ୍ଷିଣ କୋରିଆର ଏକ ଖବରକାଗଜରେ ପ୍ରକାଶିତ ହୋଇଥିଲା। ଏହାର ଉତ୍ତର ଦେବାକୁ ଯାଇ ଗୁରୁବାର ଦିନ ଚୀନ କହିଥିଲା କି, ଉତ୍ତର କୋରିଆକୁ ଚୀନ୍‌ର ଜାହାଜ ତୈଳ ବିକ୍ରୟ କଲେ ଜାତିସଂଘର କଟକଣା ଉଲ୍ଲଂଘନ ହେଉନାହିଁ।

ପିୟୋଙ୍ଗ୍ୟାଙ୍ଗ୍‌ ଆମେରିକା ଉପରେ ପଡ଼ିବାର ସାମର୍ଥ୍ୟ ରଖିଥିବା ଆଣବିକ ଅସ୍ତ୍ରବାହୀ କ୍ଷେପଣାସ୍ତ୍ର ବିକଶିତ କରିବାକୁ ଉଦ୍ୟମ ଚଳାଇଥିବାରୁ ଟ୍ରମ୍ପ୍‌ ପ୍ରଶାସନ ଉତ୍ତର କୋରିଆ ଉପରେ ବିଶ୍ୱସମୁଦାୟର କଟକଣା ଲାଗୁ କରିବା ସକାଶ ଅଭିଯାନ ଆରମ୍ଭ କରିଥିଲା।

Image Courtesy of MSN. com

ନିକଟରେ ଉତ୍ତର କୋରିଆ ପୁଣି ଗୋଟିଏ ଇଣ୍ଟର୍‌କଣ୍ଟିନେଣ୍ଟାଲ୍‌ ବାଲିଷ୍ଟିକ୍‌ ମିସାଇଲ୍‌ ପରୀକ୍ଷା କରିବାରୁ ଗତ ସପ୍ତାହରେ ଜାତିସଂଘର ନିରାପତ୍ତା ପରିଷଦ୍‌ ସର୍ବସମ୍ମତି କ୍ରମେ ନୂତନ କଟକଣା ଜାରି କରିଛି। ଏହି ନୂତନ କଟକଣା ଅନୁସାରେ ଉତ୍ତର କୋରିଆକୁ ପରିଷ୍କୃତ ପେଟ୍ରୋଲିୟମ୍‌ ଉତ୍ପାଦ ଏବଂ ଅଶୋଧିତ ତୈଳ ଯୋଗାଣ ବନ୍ଦ କରିବା ଅନ୍ତର୍ଭୁକ୍ତ।

କଟକଣା ଅନୁସାରେ ଉତ୍ତର କୋରିଆ ବର୍ଷକୁ ୫୦୦, ୦୦୦ ବ୍ୟାରେଲ୍‌ ଶୋଧିତ ପେଟ୍ରୋଲିୟମ୍‌ ଆମଦାନି କରିପାରିବ। ଅର୍ଥାତ୍‌ ୯୦% ପରିଷ୍କୃତ ପେଟ୍ରୋଲିୟମ୍‌ ଉତ୍ପାଦ ଉତ୍ତର କୋରିଆ ପାଇଁ ନିଷିଦ୍ଧ।

Image Courtesy of The Indian Express

ଅକ୍ଟୋବର ମାସରୁ ଚୀନ୍‌ ଏବଂ ଉତ୍ତର କୋରିଆ ମଧ୍ୟରେ ଜାହାଜରୁ ଜାହାଜକୁ ତୈଳ ସ୍ଥାନାନ୍ତର କରାଯାଉଛି ବୋଲି ସ୍ପାଇ ସାଟେଲାଇଟ୍‌ରୁ ୩୦ ଦୃଷ୍ଟାନ୍ତ ମିଳିଥିବା କଥା ସରକାରୀ ସୂତ୍ରରୁ ଉଦ୍ଧାର କରି ଦକ୍ଷିଣ କୋରିଆର ଖବରକାଗଜ ଚୋସୁନ୍‌ ଇଲ୍‌ବୋ ଗତ ସପ୍ତାହରେ ପ୍ରକାଶ କରିଥିଲା।

ଏ ଭଳି ତୈଳ ଯାଗାଣ ତଥାପି ଚାଲିଛି ବୋଲି ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ଷ୍ଟେଟ୍‌ ଡିପାର୍ଟମେଣ୍ଟ୍‌ର ଜଣେ ଅଧିକାରୀ ମତ ଦେଇଛନ୍ତି। ଜାହାଜରୁ ଜାହାଜକୁ ତୈଳ ସ୍ଥାନାନ୍ତର ଉଦ୍‌ବେଗର ବିଷୟ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର