ଅହମଦାବାଦ୍: ଆସନ୍ତା ୨୪ ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତ ଗସ୍ତ କରୁଛନ୍ତି। ଆମେରିକାର ପ୍ରଥମ ରାଷ୍ଟ୍ରପତି ଭାବେ ଟ୍ରମ୍ପ୍ ସାବରମତୀରେ ଗାନ୍ଧୀ ଆଶ୍ରମ ଗସ୍ତ କରିବେ। ଏଥିପାଇଁ ଗୁଜରାଟରେ ବ୍ୟାପକ ପ୍ରସ୍ତୁତି। ପୂର୍ବରୁ ଅନ୍ୟ କୌଣସି ରାଷ୍ଟ୍ରପତି ସରକାରୀ ଭାବେ ଅହମଦାବାଦ୍ ଗସ୍ତ କରିନାହାନ୍ତି। ପୂର୍ବତନ ଆମେରିକା ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍ ୨୦୦୧ରେ ଭୁଜ୍ ଭୂକମ୍ପ ପରେ ଅହମଦାବାଦ୍ ଗସ୍ତ କରିଥିଲେ। ତେବେ ଟ୍ରମ୍ପ୍ ସପ୍ତମ ଆମେରିକା ରାଷ୍ଟ୍ରପତି ଭାବେ ଭାରତ ଗସ୍ତରେ ଆସୁଛନ୍ତି। ପୂର୍ବରୁ ଭାରତ ଗସ୍ତ କରିଥିବା ଅନ୍ୟ ଆମେରିକା ରାଷ୍ଟ୍ରପତିମାନେ ହେଉଛନ୍ତି ଡ୍ବାଇଟ୍ ଇସେନହୋୱର (୧୯୫୯), ରିଚାର୍ଡ ନିକ୍ସନ୍ (୧୯୬୯), ଜିମ୍ମି କାର୍ଟର (୧୯୭୮), ବିଲ୍ କ୍ଲିଣ୍ଟନ୍ (୨୦୦୦), ଜର୍ଜ୍ ବୁସ୍ (୨୦୦୬) ଏବଂ ବାରାକ୍ ଓବାମା। ଓବାମା ୨ ଥର ଭାରତ ଗସ୍ତରେ ଆସିଥିଲେ। ଥରେ ୨୦୧୦ରେ ଏବଂ ୨୦୧୫ରେ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଓବାମା ଭାରତ ଆସିଥିଲେ। ତେବେ ପ୍ରଥମ ଥର ପାଇଁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ ୨୨ କିମି ରୋଡ୍ସୋ କରି ସାବରମତୀ ଆଶ୍ରମରେ ପହଞ୍ଚିବେ। ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ୨୨ କିମି ରୋଡ୍ ସୋ କରି ଟ୍ରମ୍ପ୍ ସାବରମତୀ ଆଶ୍ରମରେ ପହଞ୍ଚିବେ। ଟ୍ରମ୍ପ୍ଙ୍କ ଗସ୍ତ ପାଇଁ ଗୁଜରାଟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୨୫ ଆଇପିଏସ ଅଧିକାରୀଙ୍କୁ ସୁରକ୍ଷା ଦାୟିତ୍ବ ଦିଆଯାଇଛି ଏବଂ ଗୁଜରାଟରେ ୨୫,୦୦୦ ପୁଲିସ ମୁତୟନ ହେବେ। ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଗୁଡ଼ିକରେ ଏସ୍ପିଜି, ଏନ୍ଏସଜି ଏବଂ ଆମେରିକା ସିକ୍ରେଟ୍ ସର୍ଭିସ୍ ଅଧିକାରୀମାନେ ମୁତୟନ ହେବେ। ନବ ନିର୍ମାଣ ମୋଟେରା ଷ୍ଟାଡିୟମ ତଥା ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ ଷ୍ଟାଡିୟମ୍ ଉପରେ ୭ ପୁଲିସ ଟିମ୍ ନଜର ରଖିବେ। ଡଗ୍ ସ୍କ୍ବାଡ୍ ସହ ୧୦ ପୁଲିସ ଟିମ୍ ବିମାନବନ୍ଦର-ଗାନ୍ଧୀ ଆଶ୍ରମ ଷ୍ଟାଡିୟମ୍ ରାସ୍ତା ଉପରେ ନଜର ରଖିବେ। ପ୍ରାୟ ୧୨୦ ଡୋରଫ୍ରେମ୍ ଡିଟେକ୍ଟର ଏବଂ ୨୪୦ ହ୍ୟାଣ୍ଡଫ୍ରେମ୍ ମେଟାଲ ଡିଟେକ୍ଟର ମଧ୍ୟ ବ୍ୟବହାର ହେବ ବୋଲି ଜଣାପଡ଼ିଛି।
ଟ୍ରମ୍ପ୍ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବାପରେ ସେଠାରୁ ‘ଦି ବିଷ୍ଟ୍’ କାର୍ରେ ବସି ମୋଟେରା ଯିବେ। ଏହି କାର୍ ଉପରେ ସମସ୍ତଙ୍କ ନଜର। ସମସ୍ତ ଅତ୍ୟାଧୁନିକ ସୁବିଧା ଧିବା ଏହି କାର୍ର ଝରକାର କାଚ ୫ ସ୍ତରୀୟ ଏବଂ ଏହା ପଲିକାର୍ବୋନେଟ୍। ଏଥିରେ ଟ୍ରମ୍ପ୍ଙ୍କ ସୁରକ୍ଷା ପାଇଁ ସମସ୍ତ ସୁବିଧା ରହିଛି। ଏଥିରେ ଏକ ସାଟେଲାଇଟ୍ ଫୋନ୍ ରହିଛି ଯାହାର ଆମେରିକା ଉପରାଷ୍ଟ୍ରପତି ସହ ସିଧାସଳଖ ଯୋଗାଯୋଗ ରହିଛି। ଆମେରିକା ରାଷ୍ଟ୍ରପତିଙ୍କ ବାଦ୍ ଅନ୍ୟ ୪ ଜଣ ଏହି କାର୍ରେ ବସିପାରିବେ।