ଆସନ୍ତା କାଲି ଟ୍ରମ୍ପ-କିମ ଆଲୋଚନା, ସୁରକ୍ଷା ବଳୟରେ ସିଂଗାପୁର

ସିଂଗାପୁର : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉତ୍ତରକୋରିଆ ଶାସକ କିମ ଜଙ୍ଗ ଉନଙ୍କ ମଧ୍ୟରେ ଆଗାମୀ କାଲି ହେବାକୁ ଥିବା ଐତିହାସିକ କଥାବାର୍ତ୍ତା ଉପରେ ସାରା ବିଶ୍ୱର ନିଜର ରହିଛି । ଏହାକୁ ଦୃଷ୍ଟିରେ ରଖି ସିଂଗାପୁରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ଦାୟିତ୍ୱରେ ଟ୍ରମ୍ପ ଓ କିମଙ୍କ ସୁରକ୍ଷା କର୍ମୀଙ୍କ ସମେତ, ସିଂଗାପୁର ସେନାର ଲଢୁଆ ଗୋର୍ଖା ବାହିନୀ ରହିଛନ୍ତି । ଗତକାଲି ଉଭୟ ଟ୍ରମ୍ପ ଓ କିମ ସିଂଗାପୁରରେ ପହଞ୍ଚିସାରିଛନ୍ତି । କିମ ନିଜର ବ୍ୟକ୍ତିଗତ ବିମାନ ବଦଳରେ ଏକ ଏୟାର ଚାଇନା ବିମାନରେ ପହଞ୍ଚିଛନ୍ତି । କିମ ରହୁଥିବା ସେଣ୍ଟ ରେଗିସ୍‌ ହୋଟେଲ, ଆଲୋଚନା ହେବାକୁ ଥିବା କାପେଲା ହୋଟେଲ ବାହାରେ ଗୋର୍ଖା କମାଣ୍ଡୋମାନେ ଜଗି ରହିଛନ୍ତି ।

ଆଜି ସକାଳେ ଟ୍ରମ୍ପ ଏକ ଟ୍ଵିଟ କରି ଲେଖିଛନ୍ତି ଯେ ଏହି କଥାବାର୍ତ୍ତାକୁ ନେଇ ସେ ଉତ୍ସାହିତ ଅଛନ୍ତି । ଉତ୍ତରକୋରିଆ ନିଜର ପରମାଣୁ କାର୍ଯ୍ୟକ୍ରମକୁ ପରିତ୍ୟାଗ କରିବ ବୋଲି ଟ୍ରମ୍ପ ଆଶା ପ୍ରକାଶ କରିଛନ୍ତି । ଏପରିକି ଉତ୍ତରକୋରିଆ ନିଜର ପରମାଣୁ କାର୍ଯ୍ୟକ୍ରମ ତ୍ୟାଗ କଲେ ଆମେରିକା ଏହି ଛୋଟ ଦେଶର ସୁରକ୍ଷା ପାଇଁ ଗ୍ୟାରେଣ୍ଟି ଦେବ ବୋଲି ଏହାର ବୈଦେଶିକ ସଚିବ ମାଇକ ପମ୍ପିଓ କହିଛନ୍ତି । ତେବେ ବିଶେଷଜ୍ଞମାନଙ୍କ ମତରେ ଏହି ଆଲୋଚନା ପରେ ଯେ ଉତ୍ତରକୋରିଆ ନିଜର ପରମାଣୁ କାର୍ଯ୍ୟକ୍ରମକୁ ବନ୍ଦ କରିଦେବ ତାହା ଭାବିବା ମୁର୍ଖତା । ଆସନ୍ତା କାଲିର ଏହି ବୈଠକ ପୂର୍ବରୁ ଆଜି ଉତ୍ତର କୋରିଆ ଓ ଆମେରିକାର ଅଧିକାରୀମାନେ ସିଂଗାପୁରର ରିଜ କାର୍ଲଟନ ହୋଟେଲରେ ଆଲୋଚନା କରି ଆସନ୍ତା କାଲି ପାଇଁ କ୍ଷେତ୍ର ପ୍ରସ୍ତୁତ କରିଛନ୍ତି ।

ସମ୍ବନ୍ଧିତ ଖବର