ଟ୍ରମ୍ପ୍‌-କିମ୍‌ ଶିଖର ବୈଠକ ରଦ୍ଦ

ପୁଣି ଅସ୍ଥିରତା ଆଡ଼କୁ ମୁହାଁଇବ କୋରିଆ ଉପଦ୍ୱୀପ

ଓ୍ଵାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍‌୍‌ଡ ଟ୍ରମ୍ପ୍‌ ଏବଂ ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ୍‌ ଉନ୍‌୍‌ଙ୍କ ମଧ୍ୟରେ ଆସନ୍ତା ମାସରେ ହେବାକୁ ଥିବା ପ୍ରସ୍ତାବିତ ଐତିହାସିକ ଶିଖର ସମ୍ମିଳନୀ ଆଜି ରଦ୍ଦ ହୋଇଯାଇଛି। ରାଷ୍ଟ୍ରପତି ଡୋନାଲ୍‌୍‌ଡ ଟ୍ରମ୍ପ୍‌ ଏହି ସମ୍ମିଳନୀକୁ ଅଯୌକ୍ତିକ ଦର୍ଶାଇ ସାଂପ୍ରତିକ ସ୍ଥିତିରେ ଏହାର ଆବଶ୍ୟକତା ନାହିଁ ବୋଲି କିମ୍‌ ଜଙ୍ଗ୍‌ ଉନ୍‌ଙ୍କୁ ପତ୍ର ମାଧ୍ୟମରେ ଜଣାଇ ଦେଇଛନ୍ତି। ହ୍ଵାଇଟ୍‌ ହାଉସ୍‌୍‌ ପକ୍ଷରୁ ଏ ବାବଦ  ପତ୍ର ଆଜି ଜାରି କରାଯିବା ପରେ ଏହା ବିଶ୍ୱବ୍ୟାପୀ ହଇଚଇ ସୃଷ୍ଟି ହୋଇଛି । କୋରିଆ ଉପଦ୍ୱୀପରେ ଶାନ୍ତି ପ୍ରୟାସ ଏବଂ ବିଶ୍ୱ ଶାନ୍ତି ଦିଗରେ ପରମାଣୁ ନିରସ୍ତ୍ରୀକରଣ କାର୍ଯ୍ୟକ୍ରମ ପାଇଁ ଏହା ଏକ ବଡ଼ ଧକ୍କା ବୋଲି କୁହାଯାଇଛି। ଟ୍ରମ୍ପ୍‌ ତାଙ୍କ ପତ୍ରରେ  ଲେଖିଛନ୍ତି- ‘ମୁଁ ଆପଣଙ୍କୁ ଭେଟିବାକୁ ଚାହିଥିଲି। କିନ୍ତୁ ଆପଣ ନିକଟରେ ଦେଇଥିବା କେତେକ ବୟାନରେ ଯେଭଳି ଶତ୍ରୁତା ଏବଂ କ୍ରୋଧର ପରିପ୍ରକାଶ ଦେଖିବାକୁ ମିଳିଥିଲା ତାହା ବୈଠକ ପାଇଁ ଆଦୌ ଅନୁକୂଳ ନଥିଲା। ସିଙ୍ଗାପୁର ସମ୍ମିଳନୀ ବିଶ୍ୱ ଶାନ୍ତି ପାଇଁ ଆବଶ୍ୟକ ଥିଲେ ମଧ୍ୟ ଏହା ସମ୍ଭବ ହୋଇପାରୁ ନାହିଁ। ’

ସୂଚନାଯୋଗ୍ୟ ସିଙ୍ଗାପୁରରେ ଜୁନ୍‌ ୧୨ ତାରିଖ ଦିନ ଟ୍ରମ୍ପ୍‌ ଏବଂ କିମ୍‌ ଶିଖର ବୈଠକରେ ମିଳିତ ହୋଇଥାନ୍ତେ। ବୈଠକ ପୂର୍ବରୁ ଉତ୍ତର କୋରିଆ  ବୈଦେଶିକ ବ୍ୟାପାର ମନ୍ତ୍ରୀ ଆମେରିକା ଉପରାଷ୍ଟ୍ରପତି ମାଇକ୍‌ ପେନ୍‌୍‌ସଙ୍କୁ କଠୋର ସମାଲୋଚନା କରି ତାଙ୍କୁ ଏକ ‘ରାଜନୈତିକ ଡମି’ ବୋଲି କହିଥିଲେ। ଏହା ପୂର୍ବରୁ ନିଜେ କିମ୍‌ ମଧ୍ୟ ଆମେରିକା ବିରୋଧରେ ବିଷୋଦ୍‌ଗାର କରିଥିଲେ।  ଏହାପରେ ଚୀନ୍‌ ଇଙ୍ଗିତରେ ଉତ୍ତର କୋରିଆ ଏଭଳି ବୟାନ ଦେଉଥିବା ଟ୍ରମ୍ପ୍‌  ପରୋକ୍ଷରେ କହିଥିଲେ। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା  ପରମାଣୁ ନିରସ୍ତ୍ରୀକରଣ ପ୍ରକ୍ରିୟାକୁ ବ୍ୟାପକ ଭାବେ କାର୍ଯ୍ୟକାରୀ କରିବାକୁ ଉତ୍ତର କୋରିଆଠାରୁ ଆମେରିକା ଲିଖିତ ପ୍ରତିଶ୍ରୁତି ଚାହୁଥିଲା। କିନ୍ତୁ ଉତ୍ତର କୋରିଆ ଏଦିଗରେ ସମୁଚିତ ପଦକ୍ଷେପ ନେଇନଥିଲା। ଉତ୍ତର କୋରିଆ ନିଜସ୍ୱ ଯୋଜନା ଅନୁସାରେ ନିରସ୍ତ୍ରୀକରଣ କାର୍ଯ୍ୟକାରୀ କରିବ ବୋଲି କହିଥିଲା। ଏଥିରେ କ୍ଷୁବ୍ଧ ଟ୍ରମ୍ପ୍‌ ଶିଖର ବୈଠକ ବାତିଲ କରିଥିବାରୁ  କୋରିଆ ଉପଦ୍ୱୀପରେ ପୁଣି ଉତ୍ତେଜନା ଓ ଅସ୍ଥିରତା ବଢ଼ିବା ଆଶଙ୍କା ଦେଖାଦେଇଛି।

ଉତ୍ତର ଓ ଦକ୍ଷିଣ କୋରିଆ ଶାନ୍ତି ଚୁକ୍ତି ସ୍ୱାକ୍ଷର ହେବାପରେ ଆମେରିକା ସହିତ ସଂପର୍କ ସୁଧୁରିବା ଆଶା ରହିଥିଲା। କିନ୍ତୁ ଏବେ ତାହା ଧୂଳିସାତ୍‌ ହୋଇଯାଇଛି। ନିକଟରେ ଦୀର୍ଘ ଦିନ  ଧରି ଉତ୍ତର କୋରିଆରେ ପଣବନ୍ଦୀ ଥିବା ୩ ଆମେରିକୀୟଙ୍କୁ ମୁକ୍ତ କରି ଉତ୍ତର କୋରିଆ ସକରାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିଲା।   କୋରିଆ ଉପଦ୍ୱୀପରେ ଶାନ୍ତି ପାଇଁ ରାଷ୍ଟ୍ରପତି  ଟ୍ରମ୍ପ୍‌ଙ୍କ ପ୍ରୟାସ  ଭଣ୍ଡୁର ହୋଇଥିବାରୁ ଆଗାମୀ ଦିନରେ ରୁଷ୍‌ ଏବଂ ଚୀନ୍‌ର ପଦକ୍ଷେପ ହିଁ ଉତ୍ତର କୋରିଆ ପାଇଁ ନିର୍ଣ୍ଣାୟକ ହେବ। ଶାନ୍ତି ପ୍ରକ୍ରିୟା ଆଗକୁ ବଢ଼ିଥିଲେ ଦକ୍ଷିଣ କୋରିଆରୁ ଆମେରିକା ତା’ର ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଶେଷ କରିଥାନ୍ତା। ଏବେ ପୁଣି ଅସ୍ଥିରତା ଯୋଗୁଁ ସାମରିକ କାର୍ଯ୍ୟକ୍ରମ ମଧ୍ୟ ନୂଆ ମୋଡ଼ ନେବ ଏବଂ ପୁଣି ଉତ୍ତେଜନା ବଢ଼ିବ ବୋଲି ଆଶଙ୍କା କରାଯାଉଛି ।

ସମ୍ବନ୍ଧିତ ଖବର