କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କଥା କହିଲେ ଟ୍ରମ୍ପ, ପରେ ଏପରି କିଛି କହିନାହାନ୍ତି ବୋଲି ମନ୍ତବ୍ୟ ଦେଲେ

ନୂଆଦିଲ୍ଲୀ : କଶ୍ମୀର ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନକୁ ନେଇ ସବୁଆଡ଼େ ଚର୍ଚ୍ଚା ହେଉଛି । ପ୍ରଥମେ ସେ ମଧ୍ୟସ୍ଥତା କଥା କହିଥିଲେ ମଧ୍ୟ ପରେ ଏହାକୁ ଅସ୍ପୀକାର କରିଥିଲେ ।
ଆଜି ନିଜର ଭାରତ ଗସ୍ତର ୨ୟ ଦିନରେ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପଙ୍କୁ କଶ୍ମୀର ସମସ୍ୟା ସଂପର୍କରେ ପ୍ରଶ୍ନ କରାଯିବା ପରେ ସେ କହିଥିଲେ ଯେ କଶ୍ମୀର ସମସ୍ୟା ଭାରତ ଓ ପାକିସ୍ତାନ ମଧ୍ୟରେ ଏକ କଣ୍ଟା ସଦୃଶ । ପ୍ରତି ଘଟଣା ପଛରେ ଦୁଇଟି ଅଲଗା ଅଲଗା କଥା ରହିଥାଏ । ତେବେ ଉଭୟ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସହିତ ତାଙ୍କର ଉତ୍ତମ ସଂପର୍କ ରହିଛି । ଏହି ସମସ୍ୟାର ସମାଧାନ ପାଇଁ ଯଦି କିଛି ମଧ୍ୟସ୍ଥତା କରିବାକୁ ପଡ଼େ ସେ କରିବେ ।

ପରେ ସମାନ ପ୍ରସଙ୍ଗ ଉପରେ ଆଉ ଏକ ପ୍ରଶ୍ନର ଉତ୍ତର ଦେଇ ଟ୍ରମ୍ପ କହିଥିଲେ ଯେ କୌଣସି ମଧ୍ୟସ୍ଥତା କଥା ସେ କହିନାହାନ୍ତି । କଶ୍ମୀର ନିଶ୍ଚିତଭାବରେ ଏକ ବଡ଼ ସମସ୍ୟା । କିନ୍ତୁ ଏହାର ସମାଧାନ ବାହାର କରିବା ଦିଗରେ ଉଭୟ ଦେଶ କାର୍ଯ୍ୟ କରୁଛନ୍ତି । ଆଗରୁ ସେମାନେ ଏ ଦିଗରେ କାମ କରିଆସିଛନ୍ତି । ପୂର୍ବରୁ ମଧ୍ୟ ଟ୍ରମ୍ପ ଏକାଧିକ ଥର କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କଥା କହିଆସିଛନ୍ତି । ତେବେ ପ୍ରତ୍ୟେକ ଥର ଭାରତ ଏହାକୁ ଖାରଜ କରିଆସିଛି ।

ସମ୍ବନ୍ଧିତ ଖବର