ଟ୍ରମ୍ପଙ୍କ ନୂଆ ଚାଲ୍‌: ଚୀନ୍‌ ଚାପରେ ଚପିବ ଉତ୍ତର କୋରିଆ

ଓ୍ଵାସିଂଟନ୍‌: ଏକବୁଝିଆ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜଙ୍ଗଙ୍କୁ ସାବାଡ଼ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏକ ନୂଆ କୌଶଳ ଆପଣେଇଛନ୍ତି। ସହଯୋଗୀମାନଙ୍କ ସମର୍ଥନରେ ନିଜେ କିଛି କାର୍ଯ୍ୟାନୁଷ୍ଠାନ ନେବା ଅପେକ୍ଷା ଚୀନ୍‌ ଆଡୁ ଉତ୍ତର କୋରିଆ ଉପରେ ପ୍ରବଳ ଚାପ ପକାଇବା ଉପରେ ଟ୍ରମ୍ପ୍‌ ଗୁରୁତ୍ୱ ଦେଇଛନ୍ତି। ଏହାଦ୍ୱାରା କିମ୍‌ ଜଙ୍ଗ ନିଜର ସୁଦୂରପ୍ରସାରୀ ଆଣବିକ ଅସ୍ତ୍ର ଆହରଣ ଯୋଜନାରେ ରୋକ୍‌ ଲଗାଇବେ ବୋଲି ଟ୍ରମ୍ପ୍‌ ଆଶାବାଦୀ ଅଛନ୍ତି।

ସୂଚନା ଥାଉ କି, ଟ୍ରମ୍ପ୍‌ଙ୍କ ସଦ୍ୟ ସମାପ୍ତ ବାର ଦିନିଆ ତଥା ପାଞ୍ଚ ରାଷ୍ଟ୍ରୀୟ ଏସିଆ ଗସ୍ତ ଅବସରରେ ସେ ଉତ୍ତର କୋରିଆର ପରମାଣୁ ଅସ୍ତ୍ର ଯୋଜନାକୁ ନିୟନ୍ତ୍ରଣ କରିବା ସମ୍ପର୍କରେ ଚୀନ୍‌ ରାଷ୍ଟ୍ରପତି ଜାଇ ଜିନ୍‌ପିଙ୍ଗ୍‌ଙ୍କ ସହ ଆଲୋଚନା କରିଥିବା ଜଣାଯାଇଛି। ତଦନୁସାରେ ଆଜି ଚୀନ୍‌ର ଏକ ସ୍ୱତନ୍ତ୍ର ପ୍ରତିନିଧି ଦଳ ମଧ୍ୟ ଉତ୍ତର କୋରିଆ ଗସ୍ତ କରିଛନ୍ତି। ଏହି ଦଳର ନେତୃତ୍ୱ ନେଉଥିବା ଜିନ୍‌ପିଙ୍ଗଙ୍କ ସ୍ୱତନ୍ତ୍ର ସଚିବ ସଙ୍ଗ୍‌ ତାଓ ଉତ୍ତର କୋରିଆ ପ୍ରଶାସନକୁ ଜିନ୍‌ପିଙ୍ଗ୍‌ଙ୍କ ଅଦ୍ୱିତୀୟ କ୍ଷମତା ସମ୍ପର୍କରେ ଚୀନ୍‌ର ଶାସକ କମ୍ୟୁନିଷ୍ଟ୍‍ ପାର୍ଟି ବୈଠକରେ ଗୃହୀତ ବିଚାରାଧାରା ଉପରେ ଅବଗତ କରାଇବେ ବୋଲି କୁହାଯାଉଛି। ତେବେ ଏଥି ସହିତ ସେ କିମ୍‌ ଜଙ୍ଗ୍‌ଙ୍କୁ ଆଣବିକ ଅସ୍ତ୍ରଶସ୍ତ୍ର ଆହରଣ ପ୍ରତିଯୋଗିତାରୁ ଓହରିଯିବା ନିମନ୍ତେ ଏକ ରାଜିନାମାରେ ସ୍ୱାକ୍ଷର କରିବା ଲାଗି ମଧ୍ୟ ପ୍ରବର୍ତ୍ତାଇବେ। ସେହିପରି ଟ୍ରମ୍ପ୍‌ ଏବଂ ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ହୋଇଥିବା ଏ ସଂକ୍ରାନ୍ତ ଆଲୋଚନାର ନିର୍ଯ୍ୟାସ ସମ୍ପର୍କରେ ମଧ୍ୟ ଜଣାଇବେ। ତେବେ ମୋଟାମୋଟି ଭାବେ ଚୀନ୍‌ର ଏହି ଆଭିମୁଖ୍ୟକୁ ଟ୍ରମ୍ପ୍‌ ପ୍ରଶାସନ ଏକ ସକାରାତ୍ମକ ପଦକ୍ଷେପ ଭାବେ ବିଚାର କରୁଛି।

ସମ୍ବନ୍ଧିତ ଖବର