ବ୍ରାଜିଲର ‘ଟ୍ରମ୍ପ୍‌’ ବୋଲ୍‌ସୋନାରୋ ଏବେ ରାଷ୍ଟ୍ରପତି

ଆରମ୍ଭରୁ ବିବାଦ, ଉତ୍ତେଜନା

ନୂଆଦିଲ୍ଲୀ,: ବ୍ରାଜିଲରେ ଦୁଇ ଦିନ ତଳେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ଦକ୍ଷିଣପନ୍ଥୀ ନେତା ଜେୟର ବୋଲ୍‌ସୋନାରୋଙ୍କ ବିଜୟ ହୋଇଛି। ବୋଲସୋନାରୋଙ୍କୁ ୫୬ ପ୍ରତିଶତ ଭୋଟ୍‌ ମିଳିଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ବାମପନ୍ଥୀ ନେତା ଫର୍ନାଡୋ ହଦ୍ଦାଦଙ୍କୁ ୪୪ ପ୍ରତିଶତ ଭୋଟ୍‌ ମିଳିଛି। ଉଗ୍ର ଜାତୀୟତାବାଦୀ ଚିନ୍ତାଧାରା ଓ ଉତ୍ତେଜନା ସୃଷ୍ଟିକାରୀ ବୟାନ ପାଇଁ ଜଣାଶୁଣା ବୋଲସୋନାରୋଙ୍କୁ ବ୍ରାଜିଲ୍‌ର ‘ଟ୍ରମ୍ପ୍‌’ ବୋଲି କୁହାଯାଏ। ରାଷ୍ଟ୍ରପତି ନିର୍ବାଚିତ ହେବାମାତ୍ରେ ସେ କହିଛନ୍ତି, ଜନସାଧାରଣଙ୍କୁ ବନ୍ଧୁକ ସୁରକ୍ଷା ଦେଉଛି ଏବଂ ଏହା ରଖିବା ସେମାନଙ୍କ ଅଧିକାର। ରାଷ୍ଟ୍ରର ବନ୍ଧୁକ ଆଇନରେ ସଂଶୋଧନ ଆଣି ଏହାକୁ ଅଧିକ କୋହଳ କରିବାକୁ ବୋ‌ଲସୋନାରୋ କହିଛନ୍ତି। ତେବେ ବନ୍ଧୁକ ସଂସ୍କୃତି ଯୋଗୁଁ ଗତବର୍ଷ ବ୍ରାଜିଲରେ ୬୪ ହଜାର ଲୋକଙ୍କ ଜୀବନ ଯାଇଥିବା ବେଳେ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ଏହି ବୟାନ ବିଭିନ୍ନ ମହଲରେ ଘୋର ଉଦ୍‌ବେଗ ସୃଷ୍ଟି କରିଛି। ବୋଲସୋନାରୋ ଗତକାଲି ତାଙ୍କର ପ୍ରଥମ ଟେଲିଭିଜନ ସାକ୍ଷାତକାରରେ କହିଥିଲେ ଯେ ବନ୍ଧୁକ ନଥିଲେ ଜନସାଧାରଣ ବ୍ରାଜିଲରେ ନିରାପଦ ରହିପାରିବେ ନାହିଁ। ଦେଶର ସଂଖ୍ୟାଲଘୁ ସଂପ୍ରଦାୟକୁ ନେଇ ମଧ୍ୟ ନୂଆ ରାଷ୍ଟ୍ରପତି ଉତ୍ତେଜନା ସୃଷ୍ଟିକାରୀ ବୟାନ ଦେଇଛନ୍ତି। ସଂଖ୍ୟାଲଘୁ କ’ଣ ଓ ସେମାନଙ୍କ ଅଧିକାର କ’ଣ ତାହା ମୁଁ ଜାଣିନାହିଁ ବୋଲି ବୋଲସୋନାରୋ କହିଛନ୍ତି। ତାଙ୍କ ଏଭଳି ବୟାନକୁ ବିରୋଧ କରି ବିଭିନ୍ନ ସ୍ଥାନରେ ଉତ୍ତେଜନା ପ୍ରକାଶ ପାଇଛି।
୬୩ ବର୍ଷୀୟ ବୋ‌ଲସୋନାରୋ ଗର୍ଭପାତ, ଶରଣାର୍ଥୀ ଏବଂ ସମଲିଙ୍ଗୀ ସଂପର୍କ ନେଇ ମଧ୍ୟ ବିବାଦୀୟ ବୟାନ ଦେଇଛନ୍ତି। ଦେଶର ପୂର୍ବ ସେନାମୁଖ୍ୟ ରହିଥିବା ବୋଲସୋନାରୋଙ୍କ ନେତୃତ୍ବରେ ଦେଶର ଶାସନ ବ୍ୟବସ୍ଥା କିଭଳି ହେବ ସେ ନେଇ ଅନ୍ତର୍ଜାତୀୟ ମହଲରେ ମଧ୍ୟ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ତେବେ ଦେଶର ଯୁବ ଗୋଷ୍ଠୀଙ୍କ ବିପୁଳ ସମର୍ଥନ ବୋଲସୋନାରୋଙ୍କ ପ୍ରତି ରହିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର