ଟିଲର୍ସନ୍‌ଙ୍କୁ ବହିଷ୍କାର କଲେ ଟ୍ରମ୍ପ୍‌; ସିଆଇଏ ନିର୍ଦେଶକ ମାଇକ୍‌ ପୋମ୍ପେଓ ହେବେ ନୂତନ ରାଷ୍ଟ୍ର ସଚିବ

ଓ୍ଵାସିଂଟନ୍‌: ମଙ୍ଗଳବାର ଦିନ ରାଷ୍ଟ୍ରପତି ଟ୍ରମ୍ପ୍‌ ଅଣଆନୁଷ୍ଠାନିକ ଭାବେ ରାଷ୍ଟ୍ର ସଚିବ ରେକ୍ସ୍‍ ଟିଲର୍ସନ୍‌ଙ୍କୁ ବହିଷ୍କାର କରିଛନ୍ତି। କ୍ୟାବିନେଟ୍‌ ଅଧିକାରୀ ରେକ୍ସ୍‍ ସରକାରୀ ଗସ୍ତରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବାବେଳେ ହଠାତ୍‌ ତାଙ୍କ ବିପକ୍ଷରେ ଏ ଭଳି ନିଷ୍ପତ୍ତି ନିଆଯାଇଛି।

ସିଆଇଏ ନିର୍ଦେଶକ ମାଇକ୍‌ ପୋମ୍ପେଓ ପରବର୍ତ୍ତୀ ରାଷ୍ଟ୍ର ସଚିବ ଏବଂ ତାଙ୍କର ଡେପୁଟି ଜିନା ହାସ୍‌ପେଲ୍‌ ପ୍ରଥମ ମହିଳା ଭାବେ ଗୁଇନ୍ଦା ଏଜେନ୍‌ସିର ମୁଖ୍ୟ ଅର୍ଥାତ୍‌ ସିଆଇଏର ମୁଖ୍ୟ ଭାବେ ଅବସ୍ଥାପିତ ହେବେ।

ରାଷ୍ଟ୍ର ସଚିବ ଆଫ୍ରିକାଗସ୍ତରେ ଥିବାବେଳେ ଗତ ସପ୍ତାହରେ ଟ୍ରମ୍ପ୍‌ ତାଙ୍କୁ ଶୁକ୍ରବାର ଦିନ ଫୋନ୍‌ କରି କହିଥିଲେ କି, ସେ ଉତ୍ତର କୋରିଆ ନେତା କିମ୍‌ ଜୋଙ୍ଗ୍‌-ଉନ୍‌ଙ୍କୁ ସାକ୍ଷାତ୍‌ କରିବାକୁ ଯାଉଛନ୍ତି।

ସେ ଫୋନ୍‌ରେ ଅନ୍ୟ କ’ଣ କଥାବାର୍ତ୍ତା କରାଗଲା ଜଣାପଡ଼ି ନାହିଁ କିନ୍ତୁ, ହଠାତ୍‌ ଅସୁସ୍ଥତା ଦର୍ଶାଇ ଟିଲର୍ସନ୍‌ ମଙ୍ଗଳବାର ଦିନ ଓ୍ଵାସିଂଟନ୍‌ ଡିସି ଫେରି ଆସିଥିଲେ।

କିନ୍ତୁ, ସେତେବେଳକୁ ଟ୍ରମ୍ପ୍‌ ତାଙ୍କୁ ବହିଷ୍କାର କରିବା କଥା ଟୁଇଟର୍‌ରେ ଘୋଷଣା କରି ସାରିଥିଲେ। ଟୁଇଟ୍‌ରେ ଲେଖା ଥିଲା: ସିଆଇଏର ନିର୍ଦେଶକ ମାଇକ୍‌ ପୋମ୍ପେଓ, ଆମର ନୂତନ ରାଷ୍ଟ୍ର ସଚିବ ହେବେ। ସେ ବଢ଼ିଆ କାମ କରିବେ! ସେବା ପାଇଁ ରେକ୍ସ୍‍ ଟିଲର୍ସନ୍‌ଙ୍କୁ ଧନ୍ୟବାଦ। ଜିନା ହାସ୍‌ପେଲ୍‌ ସିଆଇଏର୍‌ ନୂତନ ନିଦେର୍ଶକ ହେବେ। ଏ ପଦବୀରେ ସେ ହେଉଛନ୍ତି ପ୍ରଥମ ମନୋନୀତା ମହିଳା। ସମସ୍ତଙ୍କୁ ଶୁଭେଚ୍ଛା।

ଏହା ପରେ ରାଷ୍ଟ୍ର ବିଭାଗ ଏକ ଅସାଧାରଣ ବିବୃତି ରିଲିଜ୍‌ କରି କହିଛି: ସେକ୍ରେଟେରି ରାଷ୍ଟ୍ରପତିଙ୍କ ସହ କଥାବାର୍ତ୍ତା କରି ନାହାନ୍ତି। ତାଙ୍କୁ କାହିଁକି ବହିଷ୍କାର କରାଗଲା ସେ ନିଜେ ମଧ୍ୟ ଜାଣନ୍ତି ନାହିଁ। କିନ୍ତୁ ସେବା କରିବାର ସୁଯୋଗ ପାଇ ଥିବାରୁ ସେ କୃତଜ୍ଞ। ଏବେ ମଧ୍ୟ ତାଙ୍କର ବିଶ୍ୱାସ ସର୍ବସାଧାରଣଙ୍କ ସେବା ଏକ ମହତ ଆହ୍ଵାନ।

ସମ୍ବନ୍ଧିତ ଖବର