ଟ୍ରମ୍ପଙ୍କ ଅଜବ କଥା ଓ ଗେଟ୍ସ

ଓ୍ଵାସିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ବାବଦରେ ବିଶ୍ୱର ଅନ୍ୟତମ ସର୍ବାଧିକ ଧନୀ ବ୍ୟକ୍ତି ତଥା ନିଜ ଧନର ଅଧିକାଂଶ ଜନହିତକର କାର୍ଯ୍ୟରେ ଲଗାଇ ଦେଇଥିବା ମାଇକ୍ରୋସଫ୍ଟ କଂପାନିର ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସଙ୍କ ମତ କ’ଣ? ଏ ସଂପର୍କରେ ବିଲ୍‌ ଗେଟ୍‌ସଙ୍କ ଚଟୁଳ ମନ୍ତବ୍ୟ ଶୁଣିବାକୁ ମିଳିଥିଲା ଏକ ବକ୍ତତା କ୍ରମରେ।
ସେ କହିଥିଲେ-‘ଡୋନାଲ୍‌ଡ ଟ୍ରମ୍ପ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପୂର୍ବରୁ ମୁଁ ତାଙ୍କୁ ଥରେ ହେଲେ ବି ଭେଟି ନ ଥିଲି। ନିର୍ବାଚନ ସମୟରେ ଏମିତି ହେଲା ଯେ ଆମେ ଦୁହେଁ ଗୋଟିଏ ସ୍ଥାନରେ ନିଜକୁ ପାଇଲୁ। ତେବେ ମୁଁ ତାଙ୍କୁ ଭେଟିବାକୁ ଚାହୁଁ ନ ଥିଲି। ସେ ମୋ ଝିଅ ଜେନିଫରକୁ ଜାଣିଥିଲେ। ସେ ଜେନ୍‌କୁ ଡାକି ତା ସହିତ ବେଶ୍‌ ଭଲ ଭାବେ ଦୁଇ ପଦ କଥା ହେଲେ। ତା ପରେ ସେ ସେଠାରୁ ଚାଲିଗଲେ। ଏହାର କୋଡ଼ିଏ ମିନିଟ୍‌ ପରେ ସେ ସେଇ ଜାଗାକୁ ପୁଣି ଆସିଲେ, କିନ୍ତୁ ଆସିଲେ ଗୋଟିଏ ହେଲିକପ୍ଟରରେ। ପ୍ରକୃତରେ ସେ ଗୋଟିଏ ରାଜକୀୟ ଠାଣିରେ ସେ ସ୍ଥାନକୁ ଆସିବାକୁ ଚାହୁଁଥିଲେ। ଏହା ଟିକିଏ ଚିନ୍ତାଜନକ ଥିଲା, କାରଣ ମୋ ଝିଅର ଚେହେରା ବାବଦରେ ସେ ଭଲ ଭାବେ ଜାଣିଥିଲେ। ମୋ ପତ୍ନୀ ମେଲିଣ୍ଡାଙ୍କୁ କିନ୍ତୁ ଏହା ଭଲ ଲାଗି ନଥିଲା।
ତେବେ, ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ମୁଁ ତାଙ୍କୁ ଭେଟିଲି। ପ୍ରଥମ ଥର ଦେଖା ହେଲା ଟ୍ରମ୍ପ ଟାଓ୍ଵାରରେ।

ମୁଁ ତାଙ୍କୁ କହିଲି- ‘ବିଜ୍ଞାନ ଓ ନୂତନ ପ୍ରଯୁକ୍ତିର ବିକାଶ ଦିଗରେ ଆପଣ ନେତୃତ୍ୱ ନିଅନ୍ତୁ।’ ସେ ମୋ ସହିତ ଯାବତୀୟ ବିଷୟରେ ଚର୍ଚ୍ଚା କଲେ- ଶକ୍ତି, ସ୍ୱାସ୍ଥ୍ୟ, ଶିକ୍ଷା ଇତ୍ୟାଦି ଅନେକ ବିଷୟରେ। ତା’ ପରେ ଦ୍ୱିତୀୟ ଥର ତାଙ୍କ ସହ ମୋର ସାକ୍ଷାତ ହେଲା ମାର୍ଚ୍ଚ ୨୦୧୭ରେ, ହ୍ଵାଇଟ୍‌ ହାଉସ୍‌ରେ। ଦୁଇ ଥର ଯାକ ସେ ମୋ ସହିତ ଏଚ୍‌ଆଇଭି ଭ୍ୟାକ୍‌ସିନ (ପ୍ରତିଷେଧକ) ବିଷୟରେ ଆଲୋଚନା କଲେ। ପ୍ରତିଷେଧକ ନେଇ ତାଙ୍କର ଏକ ଅଜବ ଧାରଣା ରହିଛି। ଭ୍ୟାକ୍‌ସିନ୍‌ର କୁପରିଣାମ ବିଷୟ ପରଖିବା ଲାଗି ସେ ଗୋଟିଏ କମିସନ ବସାଇବା କଥା ଚିନ୍ତା କରୁଥିଲେ। ମୁଁ ତାଙ୍କୁ କହିଲି- ‘ସେମିତି କରନ୍ତୁ ନାହିଁ, ନିହାତି ଖରାପ ହେବ। କାରଣ ତାହା ହିଁ ରାସ୍ତାର ଶେଷ, ଆଗକୁ ଆଉ ନାହିଁ।’
ଯେତେବେଳେ ତାଙ୍କ ସହିତ ମୋର ଦେଖା ହେଲା, ତାଙ୍କର ମୋ ଉଦ୍ଦେଶ୍ୟରେ ପ୍ରଥମ ବାକ୍ୟ ଥିଲା- ଟ୍ରମ୍ପ ଶୁଣିବାକୁ ପାଉଛି ଯେ ଟ୍ରମ୍ପ ଯାହା କରୁଛି ତୁମେ ତାକୁ ପସନ୍ଦ କରୁନାହଁ!
ଏହା ଶୁଣି ମୁଁ ଭାବିଲି ‘ଓ୍ଵାଓ’, ତା ପରେ ପୁଣି ଭାବିଲି ଆପଣ ତ ନିଜେ ଟ୍ରମ୍ପ! ତ ପୁଣି ତୃତୀୟ ପୁରୁଷରେ କାହିଁକି? ଉତ୍ତରରେ ମୁଁ କହିଲି- ଗେଟ୍‌ସ୍‌ ଜାଣେ ଯେ ଗେଟ୍‌ସ କହିବାକୁ ଚାହୁଁଛି ଆପଣ ଯାହା କରୁଛନ୍ତି ଠିକ କରୁନାହାନ୍ତି।

ସମ୍ବନ୍ଧିତ ଖବର