ଭାରତକୁ ଆସିବା ପୂର୍ବରୁ ଚିନ୍ତା ବଢ଼ାଇଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ

ଆମେରିକାକୁ ଭାରତ ବାରମ୍ବାର ପ୍ରହାର କରୁଛି, ମୋଦୀଙ୍କ ସହ ବାଣିଜ୍ୟିକ ଆଲୋଚନା କରିବି

ୱାସିଂଟନ : ଆସନ୍ତା ୨୪ ତାରିଖରେ ଭାରତକୁ ଦୁଇ ଦିନିଆ ଗସ୍ତରେ ଆସୁଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ। ପ୍ରଥମ ଥର ଲାଗି ଆସୁଥିବା ଟ୍ରମ୍ପ ଏହି ଗସ୍ତ ପୂର୍ବରୁ ଏଭଳି କିଛି ବୟାନ ଦେବା ଆରମ୍ଭ କରିଛନ୍ତି ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟିକ ସଂପର୍କ ତିକ୍ତ ରହିଥିବା ଟ୍ରମ୍ପ ଗତକିଛି ଦିନ ହେଲା ବିଭିନ୍ନ କାର୍ଯ୍ୟକ୍ରମରେ କହିବା ଆରମ୍ଭ କରିଛନ୍ତି। ପ୍ରଥ‌େମ କହିଲେ ଯେ ବାଣିଜ୍ୟ କ୍ଷେତ୍ରରେ ଆମେରିକା ପ୍ରତି ଭାରତ ଅନ୍ୟାୟ କରୁଛି। ପୁଣି ଆଜି କହିଲେ ଯେ ବାଣିଜ୍ୟ କ୍ଷେତ୍ରରେ ଭାରତ ଆମକୁ ପ୍ରହାର କରିଛି। ଆମ ଉପରେ ଅତ୍ୟଧିକ ଶୁଳ୍‌କ ଲାଗୁ କରିଛି। ଏହା ସତ୍ତ୍ବେ ଆମେରିକା-ଭାରତ ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ କାରବାର ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରିବି ବୋଲି ଟ୍ରମ୍ପ୍‌ କହିଛନ୍ତି। କିନ୍ତୁ ଏହାର ସମାଧାନ ହେବ ବୋଲି ‌ସେ ଆଶାବାଦୀ ନୁହନ୍ତି।

ଟ୍ରମ୍ପ୍‌ଙ୍କ ଭାରତ ଗସ୍ତ ଅବସରରେ ଭାରତ ଓ ଆମେରିକା ମଧ୍ୟରେ ଏକ ବଡ଼ ଧରଣର ବାଣିଜ୍ୟ ଚୁକ୍ତିନାମା ସ୍ବାକ୍ଷରିତ ହେବ ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଯଦିଓ ଉଭୟ ରାଷ୍ଟ୍ରରେ ବର୍ତ୍ତମାନ ଅର୍ଥନୀତି ମାନ୍ଦା ରହିଛି, ତଥାପି ଉଭୟ ଦେଶ ମଧ୍ୟରେ ଏକ ଭଲ ବାଣିଜ୍ୟ ରାଜିନାମା ହୋଇପାରିବ ବୋଲି ଟ୍ରମ୍ପ୍‌ କହିଛନ୍ତି।

ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟିକ ବିବାଦ କେତେକ ପ୍ରମୁଖ କାରଣରୁ ସୃଷ୍ଟି ହୋଇଛି। ଗୋଟିଏ ପଟେ ଭାରତର ଇସ୍ପାତ ଓ ଆଲୁମିନିୟମ ରପ୍ତାନି ଉପରେ ଆମେରିକା ଶୁଳ୍‌କ ବଢ଼ାଇ ଦେଇଛି। ଏଥିଯୋଗୁ ଭାରତୀୟ କମ୍ପାନି ଗୁଡ଼ିକ ଆମେରିକାରେ ଇସ୍ପାତ ଏବଂ ଆଲୁମିନିୟମ ସାମଗ୍ରୀ ବିକ୍ରି କରିବାରେ ପ୍ରତିଯୋଗିତା କରିପାରୁନାହାନ୍ତି। ଏଥିସହିତ ଦୀର୍ଘ ବର୍ଷ ହେଲା ଭାରତକୁ ଆମେରିକା ପ୍ରଦାନ କରି ଆସୁଥିବା ଜେନେରାଲାଇଜଡ ସିଷ୍ଟମ୍ ଅଫ୍ ପ୍ରିଫରେନ୍‌ସେସ୍‌ (ଜିଏସ୍‌ପି)କୁ ପ୍ରତ୍ୟାହାର କରିନେଇଛି। ଜିଏସ୍‌ପି ଅଧୀନରେ ଭାରତ ଆମେରିକାକୁ କରୁଥିବା ରପ୍ତାନି ଉପରେ ଉକ୍ତ ଦେଶ ଶୁଳ୍କ ରିହାତି ପ୍ରଦାନ କରୁଥିଲା । ତେଣୁ ଇସ୍ପାତ ଓ ଆଲୁମିନିୟମ ରପ୍ତାନି ଉପରୁ ଶୁଳ୍କ ହ୍ରାସ କରିବା ସହିତ ଜିଏସ୍‌ପି ମାନ୍ୟତା ପୁନଃ ପ୍ରଦାନ କରିବା ଲାଗି ଭାରତ ଦାବି କରିଆସୁଛି। ଏଥିସହିତ କୃଷି, ଅଟୋମୋବାଇଲ, ଅଟୋ ଉପକରଣ ଏବଂ ଇଞ୍ଜିନିଅୟରିଂ ସାମଗ୍ରୀ ବର୍ଗରେ ଭାରତୀୟ କମ୍ପାନି ଗୁଡ଼ିକୁ ଆମେରିକାରେ ଅଧିକ ବଜାର ସୁବିଧା ପ୍ରଦାନ ଲାଗି ଭାରତ ଦାବି କରିଆସୁଛି।

ଅନୁରୂପଭାବେ ଆମେରିକା ମଧ୍ୟ ଭାରତଠାରୁ ‌ବାଣିଜ୍ୟ କ୍ଷେତ୍ରରେ କେତେକ କଟକଣା କୋହଳ ପାଇଁ ଦାବି କରୁଛି। ବିଶେଷକରି ଭାରତର କୃଷି ଉତ୍ପାଦ, ଉତ୍ପାଦନ ସାମଗ୍ରୀ, ଦୁଗ୍ଧଜାତ ସାମଗ୍ରୀ, ଚିକିତ୍ସା ଉପକରଣ ଆଦି ବଜାରକୁ ଆମେରିକୀୟ କମ୍ପାନିଙ୍କ ପାଇଁ ଅଧିକ ଉନ୍ମୁକ୍ତ କରିବା ଲାଗି ଜୋର୍ ଦେଉଛି। ଏଥିସହିତ ସୂଚନା ‌ଓ ଯୋଗାଯୋଗ ପ୍ରଯୁକ୍ତି (ଆଇସିଟି) ଉତ୍ପାଦର ଆମଦାନି ଶୁଳ୍କ ଭାରତ ହ୍ରାସ କରିବା ଉପରେ ଆମେରିକା ମତ ଦେଉଛି। ଭାରତ ସହିତ ଆମେରିକାର ବାଣିଜ୍ୟ ନିଅଣ୍ଟ ଅଧିକ ରହିଥିବାରୁ ଏ ନେଇ ଆମେରିକା ଆପତ୍ତି ଉଠାଇଛି। ୨୦୧୮-୧୯ରେ ଭାରତ ସହିତ ଆମେରିକାର ବାଣିଜ୍ୟ ନିଅଣ୍ଟ ୧୬.୯ ବିଲିଅନ ଡଲାର ରହିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର