ଟ୍ରମ୍ପ୍‌ଙ୍କ ମାରାଥନ ଏସିଆ ଗସ୍ତ:୫ଟି ରାଷ୍ଟ୍ରରେ କଟାଇବେ ୧୧ ଦିନ

ଓ୍ଵାସିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ମାରାଥନ ଏସିଆ ଗସ୍ତ ଆଜିଠାରୁ ଆରମ୍ଭ ହୋଇଛି। ଟ୍ରମ୍ପ୍‌ଙ୍କ ଏହି ଗସ୍ତ ୧୧ ଦିନ ବ୍ୟାପୀ ଜାରି ରହିବ ଏବଂ ଏହି ଅବସରରେ ସେ ୫ଟି ରାଷ୍ଟ୍ର ଜାପାନ, ଦକ୍ଷିଣ କୋରିଆ, ଚୀନ୍‌, ଭିଏତନାମ ଏବଂ ଫିଲିପାଇନ୍‌ସ ଗସ୍ତ କରିବେ। ଟ୍ରମ୍ପ୍‌ ପତ୍ନୀ ମେଲାନିଆଙ୍କ ସହିତ ଆଜି ଜାପାନରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ବିଗତ ୨୫ ବର୍ଷ ମଧ୍ୟରେ କୌଣସି ଆମେରିକୀୟ ରାଷ୍ଟ୍ରପତିଙ୍କ ଏଭଳି ଲମ୍ବା ଏସିଆ ଗସ୍ତ ପ୍ରଥମ। ଉତ୍ତର କୋରିଆର ପରମାଣୁ କାର୍ଯ୍ୟକ୍ରମ ଏବଂ କ୍ଷେପଣାସ୍ତ୍ର ପରୀକ୍ଷଣକୁ ନେଇ ଯୁଦ୍ଧ ଉତ୍ତେଜନା ଚରମ ସୀମାରେ ଥିବା ବେଳେ ଟ୍ରମ୍ପ୍‌ଙ୍କ ଏହି ଗସ୍ତକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି । ଉତ୍ତର କୋରିଆ ବିରୋଧରେ ଶକ୍ତିଶାଳୀ ମୋର୍ଚ୍ଚା ଗଠନ ପାଇଁ ଟ୍ରମ୍ପ୍‌ ଜାପାନ ଓ ଦକ୍ଷିଣ କୋରିଆକୁ ଏବେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଏହି ଗସ୍ତ ଅବସରରେ ସେ ଚୀନ୍‌ ଉପରେ ମଧ୍ୟ ଅଧିକ ଚାପ ସୃଷ୍ଟି କରିବେ ବୋଲି ଜଣାପଡ଼ିଛି । ଦକ୍ଷିଣ କୋରିଆରେ ଅବସ୍ଥିତ ଆମେରିକାର ସୈନ୍ୟ ଶିବିରକୁ ଟ୍ରମ୍ପ୍‌ ଗସ୍ତ କରିବେ। ଦକ୍ଷିଣ କୋରିଆ ସହ ଆମେରିକାର ମିଳିତ ରଣନୀତିର ସମୀକ୍ଷା କରିବା କାର୍ଯ୍ୟକ୍ରମ ମଧ୍ୟ ରହିଛି । ଟ୍ରମ୍ପ୍‌ ଭିଏତନାମ ଗସ୍ତ କରି ଏସିଆ-ପ୍ରଶାନ୍ତ ଆର୍ଥିକ ସହଯୋଗ ସମ୍ମିଳନୀରେ ମଧ୍ୟ ଭାଗ ନେବେ। ଗସ୍ତର ଶେଷ ପର୍ଯ୍ୟାୟରେ ଟ୍ରମ୍ପ୍‌ ଫିଲିପାଇନ୍‌୍‌ସର ରାଜଧାନୀ ମାନିଲା ଗସ୍ତ କରି ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ର ସମ୍ମିଳନୀରେ ଅଂଶ ଗ୍ରହଣ କରିବେ।

ସମ୍ବନ୍ଧିତ ଖବର