‌ଭାରତରେ ଟ୍ରମ୍ପ୍‌ଙ୍କୁ ଭବ୍ୟ ସ୍ବାଗତ : ଆତଙ୍କବାଦ ବିରୋଧରେ ଏକାଠି

୨୨କିମିର ରୋଡ୍‌ ସୋ’ରେ ପାଛୋଟି‌ ନେଲେ ମୋଦୀ
ଗାନ୍ଧୀଙ୍କ ସାବରମତୀ ଆଶ୍ରମ ବୁଲି ଦେଖିଲେ
‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ କମ୍ପିଲା ମୋଟେରା
ସୂର୍ଯ୍ୟାସ୍ତ‌ବେଳେ ତାଜମହଲ ଦେଖି ଅଭିଭୂତ
ଆଜି ୩୦୦ କୋଟି ଡଲାରର ସାମରିକ ଚୁକ୍ତି

ଅହମଦାବାଦ : ଆତଙ୍କବାଦ କବଳରୁ ଲୋକଙ୍କୁ ସୁରକ୍ଷା ଦେବା ଲାଗି ଭାରତ ଓ ଆମେରିକା ପ୍ରତିଶ୍ରୁତିବଦ୍ଧ। ଦୁଇ ଦେଶ ସେମାନଙ୍କର ପ୍ରତିରକ୍ଷା ସମ୍ପର୍କ ବଢ଼ାଇବେ। ବାଣିଜ୍ୟ ସହ‌ଯୋଗକୁ ମଧ୍ୟ ଆଗକୁ ‌‌ନେବେ ଏବଂ ଆତଙ୍କବାଦ ବିରୋଧରେ ମିଳିମିଶି ଲଢ଼ିବେ। ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଆଜି ଅହମଦାବାଦସ୍ଥିତ ମୋଟେରା ‌ଷ୍ଟାଡିୟମରେ ଆୟୋଜିତ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ‘ନମସ୍ତେ ଟ୍ରମ୍ପ’ରେ ଉଦ‌୍‌ବୋଧନ ଦେଇ ଏହି ବାର୍ତ୍ତା ଦେଇଛନ୍ତି। ଏଥି‌ସହିତ ମଙ୍ଗଳବାର ଭାରତ ସହିତ ୩୦୦ କୋଟି ଡଲାରର ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷର ହେବ ବୋଲି ଘୋଷଣା କରିଛନ୍ତି। ଭାରତ ଆମେରିକାର ପ୍ରମୁଖ ପ୍ରତିରକ୍ଷା ସହଯୋଗୀ ରହିବ ବୋଲି ଟ୍ରମ୍ପ ଦୃଢ଼ୋକ୍ତି କରିଛନ୍ତି।

ଷ୍ଟାଡିୟମ ପରିସରରେ ସମବେତ ଲକ୍ଷାଧିକ ଜନତାଙ୍କୁ ଉଦ୍‌ବୋଧନ ଦେଇ ଟ୍ରମ୍ପ ଭାରତର ମହାନ ପରମ୍ପରା, ବ୍ୟକ୍ତିଗତ ସ୍ବାଧୀନତା ଏବଂ ଦେଶର ଆଇନର ପ୍ରଶଂସା କରିବା ସହିତ ଏଠାରେ କିଭଳି ଐକ୍ୟ ବଜାୟ ରଖାଯାଇ ଲୋକମାନେ ପାଖାପାଖି ବସି ପୂଜା ଓ ପ୍ରାର୍ଥନା ଆଦି କରନ୍ତି ତାହା ଉଲ୍ଲେଖ କରିଥିଲେ। ରାଷ୍ଟ୍ରପତି ଭାବେ ଟ୍ରମ୍ପ ତାଙ୍କର ପ୍ରଥମ ଭାରତ ଗସ୍ତ ‌େ‌ବଳେ ଦିଆଯାଇଥିବା ବିପୁଳ ସ୍ବାଗତ ସମ୍ବର୍ଦ୍ଧନାରେ ଅଭିଭୂତ ହୋଇ ଯାଇଥିଲେ ଏବଂ ତାଙ୍କୁ ଏଭଳି ଭବ୍ୟ ସ୍ବାଗତ କରାଯାଇଥିବାରୁ ସେ ଧନ୍ୟବାଦ ଜଣାଇଥିଲେ। ଆମେରିକା ଭାରତର ଏକ ଦୃଢ଼ ସମର୍ଥକ ଏବଂ ବନ୍ଧୁ ରାଷ୍ଟ୍ର ହୋଇ ରହିବ ବୋଲି ଟ୍ରମ୍ପ ପ୍ରତିଶ୍ରୁତି ଦେଇଥିଲେ।

କାର୍ଯକ୍ରମରେ ଯୋଗଦେଇଥିବା ଲକ୍ଷାଧିକ ଦର୍ଶକଙ୍କୁ ସମ୍ବୋଧିତ କରି ଟ୍ରମ୍ପ କହିଲେ ଯେ ଭାରତ ଓ ଆମେରିକା ଆତଙ୍କବାଦୀ ଏବଂ ସେମାନଙ୍କ ଆଦର୍ଶ ବିରୋଧରେ ଲଢ଼ିବାକୁ ଦୃଢ଼ ପ୍ରତିଶ୍ରୁତିବଦ୍ଧ। ଆତଙ୍କବାଦୀ ଗୋଷ୍ଠୀ ବିରୋଧରେ କାର୍ଯାନୁଷ୍ଠାନ ପାଇଁ ତାଙ୍କ ସରକାର ପାକିସ୍ତାନ ସହ ମଧ୍ୟ ମିଶି କାର୍ଯ୍ୟ କରୁଛି। ଭାରତ ପ୍ରତି ଆମେରିକା ସର୍ବଦା ବିଶ୍ବସ୍ତ ଓ ଘନିଷ୍ଠ ବନ୍ଧୁ ହୋଇ ରହିବ। ଭାରତ ଓ ଆମେରିକା ମଧ୍ୟରେ ପ୍ରାକୃତିକ ଓ ସ୍ଥାୟୀ ବନ୍ଧୁତା ରହିଛି। ଦୁଇ ଦେଶ ବଡ଼ ବାଣିଜ୍ୟ ରାଜିନାମା ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ଟ୍ରମ୍ପ କହିବା ସହିତ ମୋଦୀଙ୍କୁ ଜଣେ ଭଲ ମୂଲଚାଲ୍ କରି ପାରୁଥିବା ବ୍ୟକ୍ତି ବୋଲି କହିଥିଲେ। ଟ୍ରମ୍ପ ଏହି ଅବସରରେ ମୋଦୀଙ୍କୁ ପ୍ରଶଂସାରେ ପୋତି ପକାଇଥି‌ଲେ। କଠିନ ପରିଶ୍ରମ ବଳରେ ଭାରତୀୟମାନେ କ’ଣ ହାସଲ କରିପାରନ୍ତି ମୋଦୀ ତାହାର ଜୀବନ୍ତ ପ୍ରମାଣ। ଜଣେ ଚା’ ବିକାଳିରୁ ମୋଦୀ କିଭଳି ନିର୍ବାଚନରେ ବିପୁଳ ବିଜୟ ହାସଲ କରି ପ୍ରଧାନମନ୍ତ୍ରୀ ହୋଇଛନ୍ତି, ଟ୍ରମ୍ପ ତାଙ୍କ ଭାଷଣରେ ତାହା ଉଲ୍ଲେଖ କରିଥିଲେ।

ସେ ଆହୁରି କହିଥିଲେ ଯେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଲୋକମାନଙ୍କୁ ସ୍ବାଧୀନତା ପ୍ରଦାନ କରି ଭାରତ ଯେଭଳି ଉପରକୁ ଉଠୁଛି ତାହା ଉଲ୍ଲେଖନୀୟ। ଲୋକଙ୍କୁ ଚାପ ପକାଇ ଉପରକୁ ଉଠୁଥିବା ଦେଶ ଏବଂ ଲୋକଙ୍କୁ ମୁକ୍ତ ଭାବେ ବଞ୍ଚିବାକୁ ଦେଇ ଆଗକୁ ବଢ଼ୁଥିବା ଭାରତ ମଧ୍ୟରେ ଥିବା ପାର୍ଥକ୍ୟକୁ ଟ୍ରମ୍ପ ଦର୍ଶାଇଥିଲେ। ଟ୍ରମ୍ପ ତାଙ୍କ ଭାଷଣରେ ଭାରତର ସାଂସ୍କୃତିକ ବିବିଧତାଠାରୁ ଆରମ୍ଭ କରି ମହକାଶ ଗବେଷଣା, ବଲିଉଡ୍‌ ସିନେମା ଏବଂ ‌କ୍ରିକେଟ ଆଦି ପ୍ରସଙ୍ଗ ଉଲ୍ଲେଖ କରିଥିଲେ। ଟ୍ରମ୍ପ ବଲିଉଡ୍‌କୁ ପ୍ରତିଭାବାନ ବ୍ୟକ୍ତି ଓ ସୃଜନଶୀଳତାର ଏକ କେନ୍ଦ୍ର ଭାବେ ବର୍ଣ୍ଣନା କରିବା ସହିତ ପ୍ରତିବର୍ଷ ବଲିଉଡ୍‌ରେ ପାଖାପାଖି ୨୦୦୦ ସନେମା ନିର୍ମାଣ ହେଉଛି ବୋଲି କହିଥିଲେ। ବଲିଉଡ୍‌ ସିନେମା ‘ସୋଲେ’ରେ ଅମିତାଭ ବଚ୍ଚନ ଓ ‘ଦିଲୱାଲେ ଦୁଲ୍‌ହନିଆ ଲେ‌ ଜାଏଙ୍ଗେ’ରେ ଶାହରୁଖ୍ ଖାନ୍‌ଙ୍କ ବିଷୟରେ ଉଲ୍ଲେଖ କରିବା ସହ ପ୍ରଖ୍ୟାତ କ୍ରିକେଟ ଖେଳାଳି ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କ ନାମ ନେଇଥିଲେ। ଆସନ୍ତା ୧୦ ବର୍ଷ ଭିତରେ ଭାରତ ଦେଶରୁ ଉତ୍କଟ ଦାରିଦ୍ର୍ୟର ମୂଳୋତ୍ପାଟନ କରିବାକୁ ଯାଉଥିବାରୁ ଏହି ଦେଶରେ ସର୍ବାଧିକ ସଂଖ୍ୟକ ମଧ୍ୟମ ଆୟବର୍ଗର ଲୋକ ବାସ କରିବେ ବୋଲି ଟ୍ରମ୍ପ କହିଥି‌େଲ। ଏହି କାର୍ଯ୍ୟକ୍ରମରେ ଟ୍ରମ୍ପଙ୍କ ପତ୍ନୀ ତଥା ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ, ଝିଅ ‌ଇଭାଙ୍କା, ଜ୍ବାଇଁ ଜରେଡ କୁସନର୍‌ଙ୍କ ସମେତ ଆମେରିକା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଟ୍ରମ୍ପ୍ ଦମ୍ପତି ଝିଅ ଓ ଜ୍ବାଇଁଙ୍କ ସହ ପୂର୍ବାହ୍ନ ୧୧ଟା ୪୦ରେ ଏଆରଫୋର୍ସ ୱାନ୍ ବିମାନ ଯୋଗେ ଅହମଦାବାଦ ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଆଲିଙ୍ଗନ କରି ସ୍ବାଗତ କରିଥିଲେ ଏବଂ ୨୨ କିମି ବ୍ୟାପୀ ଏକ ବିଶାଳ ରୋଡ଼ ସୋ’ରେ ସାବରମତୀ ଆଶ୍ରମ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ। ଟ୍ରମ୍ପ୍ ସାବରମତୀ ଆଶ୍ରମ ବୁଲି ଦେଖିବା ସହ ଗାନ୍ଧୀଜୀଙ୍କ ଅରଟ ପାଖରେ ବେଶ୍ କିଛି ସମୟ କଟାଇଥିଲେ। ସେଠାରୁ ସେ ମୋଟେରା ‌ଷ୍ଟା‌ଡିୟମ ଅଭିମୁଖେ ଯାଇ ‘ନମସ୍ତେ ଟ୍ରମ୍ପ୍‌’ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଅପରାହ୍ଣରେ ଟ୍ରମ୍ପ୍ ଦମ୍ପତି ଆଗ୍ରା ଯାତ୍ରା କରିଥିଲେ ଏବଂ ସୂର୍ଯ୍ୟାସ୍ତ ସମୟରେ ତାଜମହଲର ସୌନ୍ଦର୍ଯ୍ୟ ଦେଖି ଅଭିଭୂତ ହୋଇଥିଲେ।

ସମ୍ବନ୍ଧିତ ଖବର