ମାଲେସିଆ ଓ ତୁର୍କୀକୁ ପାନେ ଦେବା ପାଇଁ ଭାରତର ସଜବାଜ, ତୁର୍କୀ ଗସ୍ତ ବାତିଲ କଲେ ମୋଦୀ

ନୂଆଦିଲ୍ଲୀ : କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ସପକ୍ଷରେ ରହିବା ଓ ଜାତିସଂଘରେ ଭାରତ ବିପକ୍ଷରେ କହିବା ମାଲେସିଆ ଓ ତୁର୍କୀ ପାଇଁ ମହଙ୍ଗା ପଡିବାକୁ ଯାଉଛି । କାରଣ ଭାରତ ସରକାର ଏହି ଦୁଇଟି ଦେଶ ବିରୋଧରେ ନିଜର କୂଟନୈିତିକ ଓ ଆର୍ଥିକ ପ୍ରଭାବକୁ ଉପଯୋଗ କରି ଚାପ ପକାଇବାକୁ ପ୍ରସ୍ତୁତ ହେଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଚଳିତ ବର୍ଷ ଡିସେମ୍ବରରେ ହେବାକୁ ଥିବା ତୁର୍କୀ ଗସ୍ତକୁ ବାତିଲ କରିଦେଇଛନ୍ତି ।

ଗତ ଜାତିସଂଘର ସାଧାରଣ ଅଧିବେଶନରେ ଉଭୟ ତୁର୍କୀ ଓ ମାଲେସିଆ କଶ୍ମୀର ପ୍ରସଙ୍ଗରେ ଭାରତର ବିରୋଧ କରିଥିଲେ । ନିକଟରେ ସମାପ୍ତ ଏଫଏଟିଏଫ ବୈଠକରେ ମଧ୍ୟ ଏହି ଦୁଇଦେଶ ପାକିସ୍ତାନର ସମର୍ଥନ କରିଥିଲେ । ଏଥିପାଇଁ ଏହି ଦୁଇ ଦେଶ ଏବେ ଭାରତ ସରକାରଙ୍କ ଟାର୍ଗେଟକୁ ଆସିଯାଇଛନ୍ତି । ମାଲେସିଆରୁ ଭାରତ ପାମ୍‌ ଅଏଲ ଆମଦାନୀ ହ୍ରାସ କରିବାକୁ ବିଚାର କରୁଛି । କେତେକ ଭାରତୀୟ ଇତି ମଧ୍ୟରେ ମାଲେସିଆରୁ ଆମଦାନୀ ବାତିଲ କରିଦେଇଛନ୍ତି । ଗତ ସେପ୍ଟେମ୍ବର ମାସରେ ବିବାଦୀୟ ଇସ୍ଲାମୀୟ ଧର୍ମଗୁରୁ ଜାକୀର ନାଏକକୁ ପ୍ରତ୍ୟାର୍ପଣ ଲାଗି ମାଲେସିଆ ମନା କରିବା ପରେ ଭାରତ ସରକାର ପାମ୍‌ ଅଏଲ ଉପରେ ଆମଦାନୀ ଶୁଳକକୁ ବଢାଇଦେଇଥିଲେ ।

ମାଲେସିଆ ପରେ ତୁର୍କୀ ମଧ୍ୟ ନିୟମିତ ଭାବରେ ଭାରତ ବିରୋଧରେ ଯାଉଥିବାରୁ ଭାରତ ସରକାର ‘ଯେସାକୁ ତେସା’ ନୀତି ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସିରିଆ ଉପରେ ତୁର୍କୀର ଆକ୍ରମଣକୁ ଭାରତ ଖୋଲାଖୋଲି ବିରୋଧ କରିଛି । ସେହିପରି ତୁର୍କୀର କମ୍ପାନି ଆନାଡୋଲୁ ସିପୟାର୍ଡକୁ ଭାରତୀୟ ନୌସେନା ପାଇଁ ଦିଆଯିବାକୁ ଥିବା କଣ୍ଟ୍ରାକ୍ଟରୁ ବାଦ ଦିଆଯାଇଛି ।

ସମ୍ବନ୍ଧିତ ଖବର