ଡାମାସ୍କସ୍‌: ସିରିଆର ଉତ୍ତର ପୂର୍ବ ସୀମାରେ ଲଢ଼େଇ ଜୋର୍‌ଦାର ହୋଇଛି। ତୁର୍କୀ ସେନା ଆଜି ସୀମାନ୍ତ ସହର ରାସ ଅଲ୍‌ୟେନ୍‌ ସହରକୁ ନିଜ ଦଖଲକୁ ନେଇଥିବା ଦାବି କରିଛି। ପ୍ରାୟ ୨ ଲକ୍ଷରୁ ଅଧିକ ଲୋକ ସହର ଛାଡ଼ି ପଳାୟନ କରଛନ୍ତି। ଦୁଇ ଦିନ ଧରି ବୋମା ବର୍ଷା ପରେ ସିରିୟା ସେନା ଆଜି ସହରର ସମସ୍ତ ପ୍ରତିଷ୍ଠାନକୁ ନିଜ ନିୟନ୍ତ୍ରଣକୁ ନେଇଥିବା କହିଛି। କୁର୍ଦ୍ଦ ଯୋଦ୍ଧାମାନଙ୍କୁ ନିପାତ କରିବା ପାଇଁ ଅହରହ ବୋମା ବର୍ଷା ଚାଲିଥିବା ବେଳେ କୁର୍ଦ୍ଦିସ ସେନା ମଧ୍ୟ ଏହାର ଜୋର୍‌ଦାର ମୁକାବିଲା କରୁଛି । ସିରିୟାର ବିଦ୍ରୋହୀ ସେନା ଏବଂ ତୁର୍କୀ ସେନା ମିଳିତ ଭାବେ ରାସ ଅଲ୍‌ୟେନ୍‌ ସହରରେ ପ୍ରଚଣ୍ଡ ଆକ୍ରମଣ କରିଥିବା ବେଳେ କୁର୍ଦ୍ଦିସ ସେନାର ଶତାଧିକ ଆଡ଼ା ନଷ୍ଟ ହୋଇଥିବା କୁହାଯାଇଛି। ତେବେ ଏଥିରେ ମୃତାହତଙ୍କ ସଂଖ୍ୟା ନେଇ କିଛି ସୂଚନା ମିଳିନାହିଁ।

Advertisment

ତୁର୍କୀର ଏଭଳି ପଦକ୍ଷେପ ଯୋଗୁଁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବାରୁ ଆଜି ଆମେରିକା ଉଦ୍‌ବେଗ ପ୍ରକାଶ କରିଛି ଏବଂ ଆକ୍ରମଣ ବନ୍ଦ ହେବା ଉଚିତ ବୋଲି କହିଛି। ଆକ୍ରମଣ ବନ୍ଦ ନହେଲେ ବଡ଼ ଧରଣର ଆର୍ଥିକ କଟକଣା ଲାଗିବ ବୋଲି ଆମେରିକା ଚେତାଇ ଦେଇଛି। ତେବେ ଆମେରିକାର କୌଣସି ଚେତାବନୀର ପ୍ରଭାବ ତୁର୍କୀ ଉପରେ ପଡ଼ୁନାହିଁ। ସିରିୟା ଶରଣାର୍ଥୀଙ୍କୁ ଥଇଥାନ ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଏହି ଅଭିଯାନରୁ ଆମେ ପଛକୁ ହଟିବୁ ନାହିଁ ବୋଲି ତୁର୍କୀ ରାଷ୍ଟ୍ରପତି ତାୟିପ୍‌ ଏର୍ଦୋଗାନ କହିଛନ୍ତି। ତୁର୍କୀର ଆକ୍ରମଣ ଯୋଗୁଁ ପ୍ରାୟ ୨ ଲକ୍ଷ ଲୋକ ଘରଦ୍ବାର ଛାଡ଼ି ପଳାଇଥିବାରୁ ଏବେ ସେମାନଙ୍କ ଥଇଥାନ ସିରିୟା ସରକାରଙ୍କ ପାଇଁ ଆଉ ଏକ ବଡ଼ ଚ୍ୟାଲେଂଜ ହୋଇଛି। ତୁର୍କୀ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଆମେରିକାର କୌଣସି ସୈନ୍ୟ ଶିବିର କମ୍ବା ପ୍ରତିଷ୍ଠାନ ଉପରେ ଆମେ ଆକ୍ରମଣ କରିବୁ ନାହିଁ ଏବଂ କୁର୍ଦ୍ଦ ସେନାକୁ ହଟାଯିବା ପରେ ହିଁ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ ହେବ।