ସ୍ୱାମୀ ସହ ବିବାଦ ଚାଲିଥିବାରୁ ଶୋଇବା ଘରେ ଦଉଡ଼ି ଦେଇ ଆତ୍ମହତ୍ୟା କଲେ ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ

ନୂଆଦିଲ୍ଲୀ: ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ନିଜ ବାସଭବନରେ ଆତ୍ମହତ୍ୟା କରିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସ୍ୱାମୀଙ୍କ ସହ କୌଣସି କଥାକୁ ନେଇ ବିବାଦ ଚାଲିଥିବାରୁ ପ୍ରିୟଙ୍କା ନିଜ ଶୋଇବା ଘରେ ଥିବା ପଙ୍ଖାରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି । ପ୍ରଥମେ ପ୍ରିୟଙ୍କାଙ୍କ ଘରେ କାମ କରୁଥିବା ଚାକରାଣୀ ଘରର କବାଟ ଖୋଲିବା ପରେ ପ୍ରିୟଙ୍କାଙ୍କ ଶବ ପଙ୍ଖାରେ ଝୁଲୁଥିବାର ଦେଖିଥିଲେ । ଏହି ଖବର ପ୍ରସାର ହେବା ପରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ପ୍ରିୟଙ୍କା ଲୋକପ୍ରିୟ ତାମିଲ ଧାରାବାହିକ ବଂଶମରେ ଅଭିନୟ କରୁଥିଲେ ବୋଲି ଜଣା ପଡ଼ିଛି । ଏ ନେଇ ଖବର ଦିଆଯିବା ପରେ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ପୁଲିସ । ଆତ୍ମହତ୍ୟା ପଛର ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ ତଦନ୍ତ କରୁଥିବା ବେଳେ ପ୍ରାଥମିକ ତଦନ୍ତରୁ ପାରିବାରିକ କଳହ ପାଇଁ ପ୍ରିୟଙ୍କା ଏପରି କରିଥିବା ଜଣା ପଡ଼ିଛି ।

India TV

ପୁଲିସ ଦେଇଥିବା ସୂଚନା ମୁତାବକ, ୩ବର୍ଷ ପୂର୍ବେ ପ୍ରିୟଙ୍କାଙ୍କ ବିବାହ ଅରୁଣବାଲାଙ୍କ ସହ ହୋଇଥିଲା । ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେବାରୁ ୨ମାସ ପୂର୍ବରୁ ଦୁହେଁ ଅଲଗା ରହିବା ଆରମ୍ଭ କରିଥିଲେ । ୩ବର୍ଷର ବିବାହ ପରେ କୌଣସି ସନ୍ତାନ ନ ହେବାରୁ ପ୍ରିୟଙ୍କାଙ୍କ ଶାଶୁ ଘରେ ଅଶାନ୍ତି ଲାଗି ରହିଥିଲା । ଏହି କାରଣରୁ ସେ ଆତ୍ମହତ୍ୟା ଭଳି ପଦକ୍ଷପ ନେଇଥାଇ ପାରନ୍ତି ବୋଲି ପୁଲିସ ସନ୍ଦେହ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର