ମୁଣ୍ଡରୁ ବ୍ୟାଣ୍ଡେଜ୍‌ ଖୋଲାଗଲା : ଜଗା ବୁଲାବୁଲି କରୁଛି, ବଳିଆ ବେଡ୍‌ରେ ପଡ଼ିରହୁଛି

ନୂଆଦିଲ୍ଲୀ : ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ଜଗା ବଳିଆଙ୍କ ମୁଣ୍ଡରୁ ବ୍ୟାଣ୍ଡେଜ୍‌ ସମ୍ପୂର୍ଣ୍ଣ ଖୋଲି ଦିଆଯାଇଛି। ଗତବର୍ଷ ଅକ୍ଟୋବର ମାସ ତୃତୀୟ ସପ୍ତାହରେ ଯୋଡ଼ାମୁଣ୍ଡ ଅଲଗା କରାଯିବା ପରେ ଅସ୍ତ୍ରୋପଚାର ହୋଇଥିଲା। ଏହାପରେ ମୁଣ୍ଡର କ୍ଷତସ୍ଥାନ ଶୁଖିବା ପାଇଁ ନିୟମିତ ଭାବେ ଜଗା ବଳିଆଙ୍କର ବ୍ୟାଣ୍ଡେଜ୍‌ କରାଯାଉଥିଲା। ସଂକ୍ରମଣ ଆଶଙ୍କା ଯୋଗୁଁ ଦୁଇ ଜଣଙ୍କ ପାଇଁ ବେଙ୍ଗାଲୁରୁରେ ନିର୍ମିତ ସ୍ୱତନ୍ତ୍ର ହେଲମେଟ୍‌ ମଧ୍ୟ ବ୍ୟବହାର କରାଯାଉଥିଲା। ଇତିମଧ୍ୟରେ କ୍ଷତସ୍ଥାନ ଶୁଖିଯିବା ହେତୁ ଜଗା ବଳିଆଙ୍କ ବ୍ୟାଣ୍ଡେଜ୍‌ ଖୋଲି ବାହାର କରିଦିଆଯାଇଛି। ସେମାନେ ଆଉ ହେଲମେଟ୍‌ ମଧ୍ୟ ପିନ୍ଧୁନାହାନ୍ତି। ଏତଦ୍‌ବ୍ୟତୀତ ଜଗା ବଳିଆଙ୍କର ହୋଇଥିବା ସ୍କିନ୍‌ ଗ୍ରାଫ୍ଟିଂ ମଧ୍ୟ ପ୍ରାୟତଃ ଶୁଖି ଆସିଲାଣି। ଆଗକୁ କେଉଁସବୁ ପ୍ରକାର ଚିକିତ୍ସା କରାଯାଇ ପାରିବ, ସେନେଇ ଡାକ୍ତରୀ ଦଳ ବିଚାରବିମର୍ଶ କରୁଥିବା ଜଣାଯାଇଛି। ଏମ୍ସ ଡାକ୍ତରୀ ଦଳଙ୍କ କହିବା ଅନୁସାରେ, ଜଗା ବର୍ତ୍ତମାନ ୯୦ ପ୍ରତିଶତ ସୁସ୍ଥ ହୋଇଥିବା ବେଳେ ବଳିଆ ମାତ୍ର ୩୫ ପ୍ରତିଶତ ଆରୋଗ୍ୟ ଲାଭ କରିଛି। ଜଗା ବିନା ହେଲମେଟ୍‌ରେ ପ୍ରାଇଭେଟ୍‌ ଓ୍ଵାର୍ଡ କରିଡର୍‌ରେ ଆରାମରେ ବୁଲାବୁଲି କରୁଛି। କିନ୍ତୁ ବଳିଆ ବେଡ୍‌ରେ ପଡ଼ି ରହୁଛି। ଯେତେଦିନ ପର୍ଯ୍ୟନ୍ତ ବଳିଆ ସ୍ୱାଭାବିକ ଭାବେ ଉଠିବା ବସିବା ନ କରିଛି ସେ ପର୍ଯ୍ୟନ୍ତ ତା’ର ସ୍ୱାସ୍ଥ୍ୟରେ ଉନ୍ନତି ହୋଇନାହିଁ ବୋଲି କୁହାଯାଇ ପାରିବନି। ଆଉ ମାତ୍ର ଦୁଇ ଦିନ ପରେ ଅର୍ଥାତ୍‌ ଜୁଲାଇ ୧୪ ତାରିଖରେ ଜଗା ବଳିଆ ଏମ୍ସରେ ଚିକିତ୍ସିତ ହେବାର ୧ ବର୍ଷ ପୂରା ହେବ।

ସମ୍ବନ୍ଧିତ ଖବର