ସ୍ୱାଧୀନତାର ୭୦ ବର୍ଷ ପରେ ପ୍ରଥମକରି ଔରଙ୍ଗାବାଦ୍‌ ପରୀକ୍ଷାର୍ଥୀ ୟୁପିଏସ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ; ୧ ନୁହେଁ, ଏକାଥରେ ୨ 

ଔରଙ୍ଗାବାଦ୍‌: ସ୍ୱାଧୀନତାର ୭୦ ବର୍ଷ ପରେ ଔରଙ୍ଗାବାଦ୍‌ରୁ ୨ ଜଣ ଯୁବକ ପ୍ରଥମ ଥର ପାଇଁ ୟୁପିଏସ୍‌ସି ପକ୍ଷରୁ କରାଯାଉଥିବା ସର୍ବ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଚର୍ଚ୍ଚା ପାଲଟିଛନ୍ତି। ଏହି ଯୁବକ ଦ୍ୱୟ ଔରଙ୍ଗାବାଦ୍‌ ଜିଲ୍ଲା ଅନ୍ତର୍ଗତ  ଫୁଲମ୍ବରି ସହରର। ଏମାନେ ହେଉଛନ୍ତି ମହମ୍ମଦ ନୁହ୍‌ ସିଦ୍ଧିକ ଏବଂ ସୈଖ୍‌ ସଲମନ ପଟେଲ୍‌। ମହମ୍ମଦ ୩୨୬ ର‍୍ୟାଙ୍କ୍‌ରେ ରହିଥିବା ବେଳେ ସଲମନ ୩୪୯ ର‍୍ୟାଙ୍କ୍‌ରେ ଅଛନ୍ତି। ଏହି ଦୁଇ ସଫଳ ପରୀକ୍ଷାର୍ଥୀଙ୍କ ଭିତରୁ ପଟେଲ୍‌ ଜଣେ ଗରିବ କୃଷି ପରିବାରର ପୁଅ। ସେ ୟୁପିଏସ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଭାବପ୍ରବଣ ହୋଇ ନିଜର ଭାବ ବ୍ୟକ୍ତ କରିଛନ୍ତି।

ସଲମନ ପଟେଲ୍‌ କହିଛନ୍ତି, ‘ ଆମର ଯେଉଁ ୨ ଏକରଜମି ରହିଛି ତାହାରି ଉପରେ ଭରସା କରି ଆମ ପରିବାର ଚଳେ। ମୁଁ ବିଶ୍ୱାସ କରିପାରୁନି ଯେ ବାସ୍ତବରେ ସିଭିଲ୍‌ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି ବୋଲି। ମୋ ଦକ୍ଷତା ଅନୁଯାୟୀ ମୁଁ ମୋର  ଶହେ ପ୍ରତିଶତ ଦେଇ ଲୋକଙ୍କ ପାଇଁ ସେବା କରିବି।’

ପଟେଲଙ୍କ ମାଆ ମଧ୍ୟ ନିଜ ପୁଅର ସଫଳତା ପରେ ଖୁସି ବ୍ୟକ୍ତ କରିଛନ୍ତି। ପଟେଲ୍‌ଙ୍କ କଠିନ ପରିଶ୍ରମ ବିଷୟରେ କହି ଗଣମାଧ୍ୟମରେ ତାଙ୍କର ଅନେକ ପ୍ରଶଂସା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ୟୁପିଏସ୍‌ି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସମୁଦାୟ ୯୯୦ ପ୍ରାର୍ଥୀଙ୍କ ମଧ୍ୟରୁ ୭୫୦ ପୁରୁଷ ଥିବା ବେଳେ ୨୪୦ ମହିଳା ରହିଛନ୍ତି। ମହିଳାମାନେ ଆଇଏଏସ୍‌, ଆଇଏଫ୍‌ଏସ୍‌ ଏବଂ ଆଇପିଏସ୍‌ ଆଦି ବିଭିନ୍ନ କ୍ଷେତ୍ରରେ ଦେଖିବାକୁ ମିଳିବେ।

ସମ୍ବନ୍ଧିତ ଖବର