ଦିଲ୍ଲୀରେ ପାଇକ ବିଦ୍ରୋହ ସଂପର୍କିତ ଦୁଇ ଦିନିଆ ଜାତୀୟ କର୍ମଶାଳା ଉଦ୍‌ଘାଟିତ

ନୂଆଦିଲ୍ଲୀ:  ଦିଲ୍ଲୀର  ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରଠାରେ ଆଜିଠାରୁ ପାକଇ ବିଦ୍ରୋହ ସଂପର୍କିତ ଦୁଇ ଦିନିଆ ଜାତୀୟ କର୍ମଶାଳା ଉଦ୍‌ଘାଟିତ ହୋଇଛି ।  ରାଜ୍ୟ ସରକାର, ଭାରତୀୟ ଇତିହାସ ଗବେଷଣା ପରିଷଦ ଏବଂ ‘ଦି ଇଣ୍ଟେଲେକ୍ଟ’ ସଂସ୍ଥାର ମିଳିତ ଆନୁକୂଲ୍ୟରେ ଆୟୋଜନ କରାଯାଇଥିବା ଦୁଇଦିନିଆ ଜାତୀୟ କର୍ମଶାଳାକୁ  ଆଜି ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍‌ଘାଟନ କରିଥିଲେ।   ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା କେନ୍ଦ୍ର ନିକଟରେ ଦାବି କରାଯାଇଛି  ଏବଂ ଏ ନେଇ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇ  ରେକର୍ଡ ସଂକଳନ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଥିଲେ। ଖୁବ୍‌ଶୀଘ୍ର  ପାଇକ ବିଦ୍ରୋହୀ ସଂପର୍କିତ ଅନେକ ଉପାଦେୟ ଗବେଷଣାମୂଳକ ତଥ୍ୟ ଲୋକଲୋଚନକୁ ଆସିବ ବୋଲି ସେ ଆଶା ପ୍ରକାଶ କରିଥିଲେ।  ଉଦ୍‌୍‌ଘାଟନ ସମାରୋହରେ  ସାଂସଦ ଡ. ପ୍ରଭାସ କୁମାର ସିଂହ କହିଥିଲେ ଯେ  ପାଇକ ବିିଦ୍ରୋହ ସଂପର୍କିତ ତଥ୍ୟକୁ ଉଜାଗର କରିବା ପାଇଁ ଆହୁରି ଅନେକ ଗବେଷଣାର ଆବଶ୍ୟକତା ରହିଛି ।  ରାଜ୍ୟସଭା ସାଂସଦ ଏ.ଭି. ସ୍ୱାମୀ ପାଇକ ବିଦ୍ରୋହର ଗୌରବମୟ ଗାଥାକୁ ବର୍ଣ୍ଣନା କରି ଏହି ବିଦ୍ରୋହରେ ଆଦିବାସୀ ଓ ଚାଷୀମାନଙ୍କ ଭୂମିକା ସଂପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର  ଇତିହାସ ବିଭାଗ ପ୍ରଫେସର  ଭୈରବୀ ପ୍ରସାଦ ସାହୁ  ପାଇକ ବିଦ୍ରୋହ ସଂପର୍କରେ ଅଧିକ ଗବେଷଣା ନେଇ ଗୁରୁତ୍ୱାରୋପ କରିଥିଲେ।  ଜାତୀୟ କର୍ମଶାଳା  ଆୟୋଜନ କମିଟିର ଅଧ୍ୟକ୍ଷ ଅମରେନ୍ଦ୍ର ଖଟୁଆ କର୍ମଶାଳାରେ ଉଦ୍‌୍‌ବୋଧନ ଦେଇଥିବା ବେଳେ ‘ଦି ଇଣ୍ଟେଲେକ୍ଟ’ର ଅଧ୍ୟକ୍ଷ ଦେବେନ୍ଦ୍ର ନାଥ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର