୨ ଜଣଙ୍କ ଝୁଲନ୍ତା ଶବ ଉଦ୍ଧାର : ହିଂସା ଥମୁନି, ଆଉ ୪ ମୃତ

ଅଶାନ୍ତ ପଶ୍ଚିମବଂଗ, ଉତ୍ତର ୨୪ ପ୍ରଗଣାରେ ଆତଙ୍କ

କୋଲକାତା: ପଶ୍ଚିମବଂଗରେ ରାଜନୈତିକ ହିଂସା ଆହୁରି ଉଗ୍ର ରୂପ ନେଇଛି। ଉତ୍ତର ୨୪ ପ୍ରଗଣା ଜିଲ୍ଲାର କାଙ୍କିନାଡ଼ା ଅଂଚଳରେ ଗତ ରାତିରେ ବୋମା ମାଡ଼ ଯୋଗୁଁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ଗୁରୁତର ଆହତ ହୋଇଛି । ନିହତ ‌ଦୁଇ ଜଣ ହେଲେ ମହମ୍ମଦ ମୁଖ୍‌ତାର ଏବଂ ମହମ୍ମଦ ହାସିମ୍‌। ଉଭୟ ଟିଏମ୍‌ସିର ସମର୍ଥକ ବୋଲି ଦଳ ପକ୍ଷରୁ କୁହାଯିବା ସହ ବିଜେପି କର୍ମୀମାନେ ଏହି ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ତେବେ ବିଜେପି ଏହାକୁ ଖଣ୍ଡନ କରି ଟିଏମ୍‌ସି ସମର୍ଥକମାନେ ଗ୍ରାମରେ ବୋମା ମାଡ଼ କରିବାରୁ ଏହି ଦୁଇ ଜଣଙ୍କ ଜୀବନ ଯାଇଛି ବୋଲି କୁହାଯାଇଛି ।
ଅନ୍ୟପକ୍ଷରେ ଜୟ ଶ୍ରୀରାମ ସ୍ଲୋଗାନ ଦେବାରୁ ହାୱଡ଼ାରେ ସମାତୁଲ ଦୋଳଇ ନାମକ ଜଣେ ୪୩ ବର୍ଷୀୟ ବିଜେପି କର୍ମୀଙ୍କୁ ପିଟି ପିଟି ହତ୍ୟା କରିବା ପରେ ତାଙ୍କ ଶବକୁ ଏକ ଗଛରେ ଝୁଲାଇ ଦିଆଯାଇଛି। ଟିଏମ୍‌ସି ଗୁଣ୍ଡାମାନେ ଦୋଳଇଙ୍କୁ ସର୍ବସମ୍ମୁଖରେ ହତ୍ୟା କରି ଝୁଲାଇଥିବା ବିଜେପି ଅଭିଯୋଗ କରିଛି। ରବିବାର ଦିନ ଜଣେ ଆର୍‌ଏସଏସ୍ ନେତା ସ୍ବଦେଶ ମନ୍ନଙ୍କୁ ମଧ୍ୟ ହତ୍ୟା କରି ଏକ ଗଛରେ ଝୁଲାଇ ଦିଆଯାଇଥିଲା। ସ୍ବଦେଶ ଜୟ ଶ୍ରୀରାମ ରୢାଲି ଆୟୋଜନ କରିଥିବାରୁ ତାଙ୍କୁ ଟିଏମ୍‌ସି ଗୁଣ୍ଡାମାନେ ଏଭଳି ନିର୍ମମ ହତ୍ୟା କରିଥିବା ବିଜେପି ଏବଂ ଆର୍‌ଏସ୍‌ଏସ୍‌ ନେତାମାନେ କହିଛନ୍ତି। ବିଭିନ୍ନ ଜିଲ୍ଲାରେ ଟିଏମ୍‌ସି ବିରୋଧରେ ବିଜେପି ପକ୍ଷରୁ ପ୍ରତିବାଦ କାର୍ଯ୍ୟକ୍ରମ ଜାରି ରହିଛି।

ସମ୍ବନ୍ଧିତ ଖବର