‘କିକି’ ଚାଲେଞ୍ଜ୍‌ ଜିଣିଲେ ଦୁଇ ଭାରତୀୟ କୃଷକ: ଦେଖନ୍ତୁ ଭିଡିଓ

ହାଇଦ୍ରାବାଦ/ବେଙ୍ଗାଲୁରୁ: କାନଡୀୟ ରାପ୍‌ ଗାୟକ ଡ୍ରେକ୍‌ଙ୍କ ସୁପର୍‌ ହିଟ୍‌ ଆଲ୍‌ବମ୍‌ ‘ଇନ୍‌ ମାଇଁ ଫିଲିଙ୍ଗ୍‌ସ୍‌’ର ‘କିକି’ ଚାଲେଞ୍ଜ୍‌ ବୋଲି କୁହାଯାଉଥିବା ଗୀତର ତାଳେ ତାଳେ ନାଚିବାକୁ ବିଶ୍ୱବ୍ୟାପୀ ଲୋକେ ଉଦ୍ୟମ ଚଳାଇଥିବା ବେଳେ ଏଇ ଗୀତରେ ନୃତ୍ୟ କରି ଦୁଇଜଣ ତେଲେଙ୍ଗାନା କୃଷକ ଇଣ୍ଟର୍‌ନେଟ୍‌ରେ ବିଜୟୀ ହୋଇଛନ୍ତି।

୨୪ ବର୍ଷିୟ ଗୀଲା ଅନୀଲ କୁମାର ଏବଂ ୨୮ ବର୍ଷିୟ ପିଲ୍ଲୀ ତିରୁପତି ପାଣିକାଦୁଅ ଭରା ଧାନବିଲରେ ହଳବଳଦ ଯୋଚି ହଳ କରିବା ବେଳେ ‘କିକି’ ଚାଲେଞ୍ଜ୍‌ରେ ନୃତ୍ୟ କରୁଥିବା ଭିଡିଓକୁ ୧୬ ନିୟୁତ ଲୋକ ଦେଖି ସାରିଲେଣି। ଖାଲି ସେତିକି ନୁହେଁ, ସେମାନେ ବିଜୟୀ ବୋଲି ଘୋଷଣା କରି ‘କମେଡିଆନ୍‌’ ଏବଂ ‘ଡେଲି ସୋ’ର ଉପସ୍ଥାପକ ଟ୍ରେଓ୍ଵର୍‌ ନୋଆଃ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେ ଭିଡିଓକୁ ପୋଷ୍ଟ୍‌ କରିଛନ୍ତି। ଏହାକୁ ବିବେକ ଓବେରାଇଙ୍କ ଭଳି ବଲିଉଡ୍‌ ସେଲିବ୍ରିଟି ମଧ୍ୟ ପୋଷ୍ଟ୍‌ କରିଛନ୍ତି।

ଅଗଷ୍ଟ ପହିଲା ଦିନ ସୁଟିଙ୍ଗ୍‌ ହୋଇଥିବା ଏହି ଭିଡିଓକୁ ନିଜର ଆଞ୍ଚଳିକ ୟୁଟ୍ୟୁବ୍‌ ଚାନେଲ୍‌ ‘ମାଇଁ ଭିଲେଜ୍‌ ସୋ’ରେ ଅପ୍‌ଲୋଡ୍‌ କରିଛନ୍ତି ଚଳଚ୍ଚିତ୍ର ନିର୍ଦେଶକ ଶ୍ରୀରାମ ଶ୍ରୀକାନ୍ତ। ଚଳନ୍ତା ଗାଡ଼ି ପାଖେ ପାଖେ ନାଚିବାକୁ ପୁଲିସ ବାରଣ କରି ଛାଡ଼ି ଥିବା ମେସେଜ୍‌ ପଢ଼ିବା ପରେ ସେ ଏହି ନୃତ୍ୟ ପ୍ରତି ଆଗ୍ରହୀ ହୋଇ ଉଠିଥିଲେ। ନେଟ୍‌ରେ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ନୃତ୍ୟ ମଧ୍ୟ ଦେଖିଥିଲେ।

ତା’ପରେ ସେ ଅନୀଲ ଓ ତିରୁପତିଙ୍କୁ ନିଜ ଯୋଜନା କଥା କହିଥିଲେ। ସେ କହନ୍ତି: ଆମେ ଏହି ନୃତ୍ୟକୁ ନିରାପଦ ଏବଂ ମଜାଳିଆ ଢଙ୍ଗରେ ଉପସ୍ଥାପନ କରିବାକୁ ଚାହିଁଲୁ।

ପୂର୍ବରୁ ଉଭୟ ନୃତ୍ୟର ପୂର୍ବାଭ୍ୟାସ କରିଥିଲେ ବି ଭିଡିଓ ସୁଟିଙ୍ଗ୍‌ ବେଳେ ତା’ ଅପେକ୍ଷା ଢେର୍‌ ଅଧିକ ଉତ୍ତମ ପ୍ରଦର୍ଶନ କରିଥିଲେ।

ଶ୍ରୀକାନ୍ତ କହନ୍ତି: ଆମେ ଚିତ୍ରତ୍ତୋଳନ କରୁଥାଉ ଓ ସେ ଦୁହେଁ ନାଚୁ ଥାଆନ୍ତି। ହଠାତ୍‌ ବଳଦମାନେ ଅଟକି ଗଲେ। ଅନୀଲ୍‌ ଗୋଟିଏ ବି ବିଟ୍‌ ମିସ୍‌ ନ କରି ବଳଦଙ୍କୁ ହଳ କରିବାକୁ ଟିହାଇବାକୁ ଯାଇ କିଛି ନ ହୋଇଥିବା ପରି ପୁଣି ନାଚ କଲା। ଆମେ ବଡ଼ ଭାଗ୍ୟବାନ ବୋଲି ଭାବୁଛି।
ଦୁଇ ପ୍ରତିଭାଶାଳୀ ଯୁବକଙ୍କୁ ସ୍ଥାନୀୟ ଟିଭି ଚାନେଲ୍‌ ଓ କେତେକ ପ୍ରଯଜୋକ ଅନ୍‌ଲାଇନ୍‌ରେ ଆଗ୍ରହ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର