ମାଳଦ୍ୱୀପରେ ଗଣମାଧ୍ୟମର କଣ୍ଠରୋଧ : ଦୁଇ ଭାରତୀୟ ସାମ୍ବାଦିକ ଗିରଫ, ସ୍ଥାନୀୟ ଟିଭି ଚ୍ୟାନେଲ ବନ୍ଦ

ମାଲେ: ଭାରତ ମହାସାଗରୀୟ ଦେଶ ମାଳଦ୍ୱୀପରେ ଜରୁରୀପରିସ୍ଥିତି ଲାଗୁ ହେବା ପରେ ରାଷ୍ଟ୍ରପତି ଅବଦୁଲ୍ଲା ୟମିନ୍‌ ସମସ୍ତ ଅନ୍ତର୍ଜାତୀୟ ନିୟମ କାନୁନକୁ ମଧ୍ୟ ଜଳାଞ୍ଜଳି ଦେଇଛନ୍ତି । ଏବେ ଗଣମାମଧ୍ୟମର କଣ୍ଠରୋଧ ମଧ୍ୟ କରିବାକୁ ଆରମ୍ଭ କରିଛନ୍ତି ୟମିନ ସରକାର । ଶୁକ୍ରବାରଦିନ ନ୍ୟୁଜ ଏଜେନ୍ସି ଏଏଫପି ପାଇଁ କାମ କରୁଥିବା ଦୁଇଜଣ ଭାରତୀୟ ରିପୋର୍ଟରଙ୍କୁ ଗିରଫ କରିଛନ୍ତି ମାଳଦ୍ୱୀପ ସରକାର ।

ତେବେ କେଉଁ କାରଣରୁ ଏହି ସାମ୍ବାଦିକ ଦ୍ୱୟଙ୍କୁ ଗିରଫ କରାଯାଇଛି ତାହା ଜଣାପଡ଼ିନାହିଁ । କେବଳ ଏତିକି ନୁହେଁ ୟମିନ ସରକାରଙ୍କୁ ସମାଲୋଚନା କରୁଥିବା ଏକ ସ୍ଥାନୀୟ ଟିଭି ଚ୍ୟାନେଲ୍‌ ରାଜ୍ଜେଟିଭି ନିଜର ପ୍ରସାରଣ ବନ୍ଦ କରିଛି । ସରକାରଙ୍କୁ ସମାଲୋଚନା କରି ସମ୍ବାଦ ପରିବେଷଣ କଲା ପରେ ଏହି ଚ୍ୟାନେଲର ରିପୋର୍ଟରମାନଙ୍କୁ ସ୍ଥାନୀୟ ପୁଲିସ ଓ ସେନା ପକ୍ଷରୁ ବାରମ୍ବାର ଧମକ ମିଳିଥିଲା । ଏହାପରେ ବାଧ୍ୟ ହୋଇ ଚ୍ୟାନେଲ କର୍ତ୍ତୃପକ୍ଷ ପ୍ରସାରଣ ବନ୍ଦ କରିଦେଇଛନ୍ତି । ନିଜର କର୍ମଚାରୀଙ୍କ ଜୀବନପ୍ରତି ବିପଦ ରହିଥିବା ଚ୍ୟାନେଲ ପକ୍ଷରୁ କୁହାଯାଇଛି ।

ଏହା ପୂର୍ବରୁ ମାଲଦ୍ୱୀପ ସରକାର ୟୁରୋପୀୟ ସଂଘରୁ ଆସିଥିବା ଏକ ପ୍ରତିନିଧିମଣ୍ଡଳକୁ ଭେଟିବାକୁ ମନା କରିଦେଇଥିଲେ । ସେପଟେ ମାଳଦ୍ୱୀପ ପାକିସ୍ତାନ, ଚୀନ ଓ ସାଉଦିଆରବ ଆଦି ଦେଶ ଆଦିକୁ ନିଜର ମିତ୍ର ଦେଶ ଭାବେ ବିବେଚନା କରୁଛି ।

ସମ୍ବନ୍ଧିତ ଖବର