‘ଚୁମ୍ବନ ପ୍ରତିଯୋଗିତା’ ଆୟୋଜନ କରି ଅଡ଼ୁଆରେ ଝାଡଖଣ୍ଡର ଦୁଇ ବିଧାୟକ

ରାଞ୍ଚି: ଝାଡ଼ଖଣ୍ଡର ଏକ ଆଦିବାସୀ ବହୁଳ ଅଞ୍ଚଳରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଦୁଇ ଜଣ ବିଧାୟକ ‘ଚୁମ୍ବନ ପ୍ରତିଯୋଗିତା’ ଆୟୋଜନ କରି ଏବେ ଅଡ଼ୁଆରେ ପଡ଼ିଛନ୍ତି। ଭାରତୀୟ ଜନତା ପାର୍ଟି ଜେଏମଏମର ଏହି ଦୁଇଜଣ ବିଧାୟକଙ୍କୁ ବିଧାନସଭାରୁ ନିଲମ୍ବନ କରିବା ପାଇଁ ଦାବି କରିଛି। ପକୁର ନିକଟସ୍ଥ ଡୁମରିଆ ଗ୍ରାମରେ ଗତ ୧୦ ତାରିଖରେ ଏକ ପାରମ୍ପରିକ ମେଳାରେ ତଫସିଲଭୁକ୍ତ ଜନଜାତିର ଦମ୍ପତିଙ୍କ ମଧ୍ୟରେ ଏହି ‘ଚୁମ୍ବନ ପ୍ରତିଯୋଗିତା’ ଆୟୋଜନ କରାଯାଇଥିଲା। ଏହି ‘ଚୁମ୍ବନ ପ୍ରତିଯୋଗିତା’ର ଅନ୍ୟତମ ଆୟୋଜକ ଥିଲେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ବିଧାୟକ ସିମନ ମାରାଣ୍ଡି। ଏହି ଚୁମ୍ବନ ପ୍ରତିଯୋଗିତା ସମ୍ପର୍କରେ ବିଧାୟକ ଶ୍ରୀ ମାରାଣ୍ଡି କହିଛନ୍ତି ଯେ ତଫସିଲଭୁକ୍ତ ଜନଜାତି ମଧ୍ୟରେ ଦିନକୁ ଦିନ ବଢ଼ୁଥିବା ଛାଡ଼ପତ୍ର ମାମଲାକୁ ବନ୍ଦ କରିବା ପାଇଁ ଏପରି ଚୁମ୍ବନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏହି ଚୁମ୍ବନ ପ୍ରତିଯୋଗିତାରେ ଶ୍ରୀ ମାରାଣ୍ଡିଙ୍କ ସହିତ ଅନ୍ୟଜଣେ ବିଧାୟକ ଷ୍ଟିଫେନ ମାରାଣ୍ଡି ମଧ୍ୟ ଉପସ୍ଥିତ ଥିଲେ।
ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଭାରତୀୟ ଜନତା ପାର୍ଟି ଝାଡ଼ଖଣ୍ଡ ଶାଖା ଉପସଭାପତି ହେମଲାଲ ମୁର୍ମୁ ଜେଏମଏମର ଏହି ଦୁଇ ବିଧାୟକ ଚୁମ୍ବନ ପ୍ରତିଯୋଗିତା ଆୟୋଜନ କରି ସାନ୍ତାଳ ପ୍ରଗଣାର ସଂସ୍କୃତିକୁ ଅପମାନିତ କରିଛନ୍ତି। ତେଣୁ ସେମାନଙ୍କ ବିଧାନସଭାରୁ ନଲମ୍ବନ କରାଯିବା ସହିତ ବିଧାନସଭାର ଶୀତ ଅଧିବେଶନରେ ଯୋଗ ଦେବାକୁ ସୁଯୋଗ ନ ଦେବାକୁ ଦାବି କରିଛନ୍ତି ଶ୍ରୀ ମୁର୍ମୁ।
କେବଳ ସେତିକି ନୁହେଁ ଏହା ମହିଳାମାନଙ୍କ ପ୍ରତି ମଧ୍ୟ ଅପମାନ। ଏ ନେଇ ବିଧାୟକଦ୍ୱୟ ଗ୍ରାମ ମୁଖିଆଙ୍କ ନିକଟରେ କ୍ଷମା ମାଗିବାକୁ ମଧ୍ୟ ଶ୍ରୀ ମୁର୍ମୁ ଦାବି କରିଛନ୍ତି।


ସୂଚନାଯୋଗ୍ୟ ଯେ ଏହି ଚୁମ୍ବନ ପ୍ରତିଯୋଗିତାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।ଯେଉଁଥିରେ ଆଦିବାସୀ ଦମ୍ପତି ଚୁମ୍ବନ ଦେଉଥିବା ବେଳେ ଅନ୍ୟମାନେ ତାଳି ମାରି ସେମାନଙ୍କ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଛି।
ଏ ନେଇ ବିଧାୟକ ସିମନ ମାରାଣ୍ଡି କହଛନ୍ତି ୨୦ ଯୋଡ଼ିଙ୍କୁ ନେଇ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏହା କେବଳ ସମ୍ପ୍ରଦାୟ ମଧ୍ୟରେ ବଢ଼ୁଥିବା ଛାଡ଼ପତ୍ର ମାନସିକତାକୁ ଦୂର କରିବା ପଇଁ ଆୟୋଜନ କରାଯାଇଥିଲା। ବିଧାୟକ ଷ୍ଟିଫେନ ମାରାଣ୍ଡି ପ୍ରତିଯୋଗିତା ଶେଷ ପରେ ଆସିଥିଲେ ବୋଲି ସିମନ ମାରାଣ୍ଡି କହିଛନ୍ତି। ତେବେ ଏପରି ଏକ ପ୍ରତିଯୋଗିତା ଆୟୋଜନ କରିବା ଓ ବିଜେତାଙ୍କୁ ସିମନ ମାରାଣ୍ଡି ପୁରସ୍କୃତ କରିବା ଘଟଣାକୁ ଝାଡଖଣ୍ଡ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ତଥା ବିଜେପି ନେତା ନୀଳକଣ୍ଠ ସିଂହ ମଧ୍ୟ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର