ଦିଲ୍ଲୀ ଉପରେ ଆକ୍ରମଣ ପାଇଁ ଭାରତକୁ ଆସିଛନ୍ତି ଦୁଇ ଖଲିସ୍ଥାନୀ ଆତଙ୍କବାଦୀ, ସତର୍କ ହେଲା ସୁରକ୍ଷାବାହିନୀ

ନୂଆଦିଲ୍ଲୀ: ଆସନ୍ତା ସ୍ୱାଧୀନତା ଦିବସ ଅବସରରେ ରାଜଧାନୀ ଦିଲ୍ଲୀରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା ରହିଛି । ଏ ନେଇ ଗୁଇନ୍ଦା ବିଭାଗ ସୁରକ୍ଷାବାହିନୀକୁ ସତର୍କ କରାଇଦେଇଛି । ତେବେ ଏହି ଆକ୍ରମଣ ଇସ୍ଲାମୀୟ ଆତଙ୍କବାଦୀ ନୁହେଁ, ଖଲିସ୍ଥାନୀ ଆତଙ୍କବାଦୀମାନେ କରିପାରନ୍ତି ବୋଲି ଗୁଇନ୍ଦା ସଂସ୍ଥାମାନେ ରିପୋର୍ଟ ଦେଇଛନ୍ତି । ଏହି ଦୁଇଜଣ ସଂଦିଗ୍ଧ ଆତଙ୍କବାଦୀ ହେଉଛନ୍ତି ଲକବିନ୍ଦର ସିଂ ଓ ପରମିନ୍ଦର ସିଂ । ଏହି ଦୁଇଜଣ ନେପାଳ ବାଟ ଦେଇ ଭାରତରେ ପ୍ରବେଶ କରିଛନ୍ତି । ଏମାନେ ଏକ ଉତ୍ତରପ୍ରଦେଶ ନମ୍ବର ଥିବା ଇନୋଭା ଗାଡ଼ିରେ ବିସ୍ଫୋରକ ରଖି ବୁଲୁଛନ୍ତି । କେବଳ ଗୁଇନ୍ଦା ସୁତ୍ର ନୁହେଁ, ଆଉ ଏକ ସୁତ୍ରରୁ ମଧ୍ୟ ଏ ସଂପର୍କରେ ସୂଚନା ମିଳିଛି । ଉତ୍ତରାଖଣ୍ଡରୁ ଜଣେ ବ୍ୟକ୍ତି ନିଜ ନାଁ ଗୋପନ ରଖି ଏହି ଦୁଇଜଣ ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ର ସଂପର୍କରେ ସୂଚନା ଦେଇଛିି । ତାଙ୍କ ସୂଚନା ଓ ଗୁଇନ୍ଦା ସୂଚନା ମେଳ ଖାଉଥିବାରୁ ଏହାକୁ ବେଶ ଗୁରୁତ୍ୱର ସହ ନେଇଛି ଦିଲ୍ଲୀ ପୁଲିସ । ଏମାନଙ୍କୁ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ଅସ୍ତ୍ରଶସ୍ତ୍ର ଓ ଆର୍ଥିକ ସହାୟତା ଦେଉଥିବା ଜଣାଯାଉଛି । ଆଇଏସଆଇ ଏବେ ଖଲିସ୍ଥାନ ଆନ୍ଦୋଳନକୁ ପୁଣିଥରେ ଜୀବିତ କରିବାକୁ ଉଦ୍ୟମ ଚଳାଇଛି । ବ୍ରିଟେନ, ଅଷ୍ଟ୍ରେଲିଆ, କାନାଡା ଆଦି ସ୍ଥାନରେ ଥିବା ଖଲିସ୍ତାନୀ ସମର୍ଥକଙ୍କୁ ଏବେ ଗୋପନରେ ସହାୟତା କରୁଛି ଆଇଏସଆଇ ।

ସମ୍ବନ୍ଧିତ ଖବର