୨ ଲସ୍କର ଆତଙ୍କବାଦୀ ନିପାତ

ଶ୍ରୀନଗର: ଦୀର୍ଘ ୩୦ ଘଣ୍ଟାର ଅପରେସନ୍‌ ପରେ ସୁରକ୍ଷା ବାହିନୀ ସ୍ଥାନୀୟ କରନ୍‌ ନଗରର ଏକ ବହୁତଳ ପ୍ରାସାଦରେ ଛପି ରହିଥିବା ଦୁଇ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ନିହତ ଆତଙ୍କବାଦୀ ଦ୍ୱୟ କେଉଁ ସଂଗଠନର ତାହା ସ୍ପଷ୍ଟ ହୋଇନଥିବା ବେଳେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ଦୁଇ ଆତଙ୍କବାଦୀଙ୍କ ମୃତଦେହ ମିଳିବା ପରେ ମଧ୍ୟ ସୁରକ୍ଷା ବାହିନୀ ପକ୍ଷରୁ ଅଦ୍ୟାବଧି ତଲାସ ଅଭିଯାନ ଚାଲୁ ରହିଛି। ସେହିପରି ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରୀନଗରର ଆଠଟି ଥାନା ଅଞ୍ଚଳରେ ହାଇ ଆଲର୍ଟ ସହ ୧୪୪ ଧାରା ଜାରି କରାଯାଇଛି।
ସୂଚନା ଥାଉ କି, ସୋମବାର ଭୋର୍‌ ପ୍ରାୟ ସାଢ଼େ ୪ଟା ବେଳେ ଦୁଇଜଣ ସଶସ୍ତ୍ର ଆତଙ୍କବାଦୀ ସ୍ଥାନୀୟ କରନ୍‌ ନଗର ସ୍ଥିତ ୨୩ ବାଟାଲିଅନ୍‌ ସିଆର୍‌ପିଏଫ୍‌ ମୁଖ୍ୟାଳୟକୁ ପଶି ଆକ୍ରମଣ ଉଦ୍ୟମ କରିଥିଲେ। ତେବେ ଫାଟକ ପାଖରେ ଦୁଇଜଣ ସନ୍ଦିଗ୍ଧ ବ୍ୟକ୍ତି ପିଠିରେ ବ୍ୟାଗ୍‌ ପକାଇ ହାତରେ ଏକେ ୪୭ ରାଇଫଲ ଧରି ଶିବିର ଭିତରକୁ ପଶିବାକୁ ଚେଷ୍ଟା କରୁଥିବା ଦେଖି ମୁଖ୍ୟ ଫାଟକରେ ଥିବା ସୁରକ୍ଷାକର୍ମୀ ସେମାନଙ୍କ ଉପରକୁ ତୁରନ୍ତ ଗୁଳିମାଡ଼ କରିବା ସହ ଉପରିସ୍ଥ ଅଧିକାରୀଙ୍କୁ ଖବର ଦେଇଥିଲେ। ତେବେ ଆତଙ୍କବାଦୀମାନେ ଆଖିବୁଜା ଗୁଳି ଚଳାଇବା ସହ ତତ୍‌୍‌କ୍ଷଣାତ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ।

ଏଥିରେ ସିଆର୍‌ପିଏଫ୍‌ ଯବାନ୍‌ ଏମ୍‌. ମୋହାଜିଦ୍‌ ସହିଦ ହୋଇଥିଲେ। ଅପରପକ୍ଷେ, ଆତଙ୍କବାଦୀ ଦ୍ୱୟ ଅନ୍ୟ କୁଆଡ଼େ ଖସି ଯାଇନପାରି ଉକ୍ତ ଶିବିର ନିକଟ ସେହି ନିର୍ମାଣାଧୀନ ବହୁତଳ ବିଶିଷ୍ଟ କୋଠାରେ ପଶି ଆଶ୍ରୟ ନେଇଥିଲେ। ସେଠାରୁ ସେମାନେ ଗୁଳିମାଡ଼ ଜାରି ରଖିଥିବା ବେଳେ ଉକ୍ତ କୋଠାକୁ ସିଆର୍‌ପିଏଫ୍‌ ଯବାନ ଘେରି ଯାଇଥିଲେ। ଆଜି ସକାଳୁ ସୁରକ୍ଷା ବାହିନୀର ଚୂଡ଼ାନ୍ତ ଅଭିଯାନ ଆରମ୍ଭ ହୋଇଥିଲା। ଯବାନମାନଙ୍କ ତୁହାକୁ ତୁହା ଗୁଳିବର୍ଷଣରୁ ନିଜକୁ ବଞ୍ଚାଇବା ଲାଗି ଜଣେ ଆତଙ୍କବାଦୀ ପାଖ କୋଠାକୁ ଖସି ପଳାଉଥିବା ବେଳେ ସୁରକ୍ଷାବାହିନୀଙ୍କ ଗୁଳିର ଶିକାର ହୋଇଥିଲା। ଅପରପକ୍ଷେ, ଅନ୍ୟ ଆତଙ୍କବାଦୀ ଜଣକ ସେହି କୋଠା ଭିତରେ ହିଁ କାବୁ ହେବା ସହ ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ ହୋଇଥିଲା। ଚାରି ଦିନ ତଳେ ସୁଞ୍ଜଓ୍ଵାନ୍‌ କ୍ୟାମ୍ପରେ ଆତଙ୍କବାଦୀ ଆକ୍ରମଣ ପରେ ଚାଲିଥିବା ଆତଙ୍କୀ ନିପାତ ଅଭିଯାନ ସରିନଥିବା ବେଳେ ଏବେ ଏହି ସଦ୍ୟ ଆକ୍ରମଣ ସୁରକ୍ଷା ବାହିନୀ ପାଇଁ ଆହ୍ଵାନ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର