ସିଆର୍‌ପିଏଫ୍‌ କ୍ୟାମ୍ପ ଉପରେ ଆକ୍ରମଣ କରିଥିବା ୨ ଲସ୍କର ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ୍‌ ଜାରି

ଶ୍ରୀନଗର: ପାକିସ୍ତାନ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବାର ଦୁଇଜଣ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀମାନେ ଏନକାଉଣ୍ଟରରେ ନିହତ କରିଛନ୍ତି। ଶ୍ରୀନଗରରେ ସିଆରପିଏଫ୍‌ କ୍ୟାମ୍ପ ନିକଟ ଅଞ୍ଚଳରେ ଥିବା ଏକ କୋଠାଘରେ ଅତ୍ମଗୋପନ କରିଥିବା ଏହି ଦୁଇ ଆତଙ୍କବାଦୀଙ୍କର ଏନ୍‌କାଉଣ୍ଟରରେ ମୃତ୍ୟୁ ଘଟିଛି। ସେମାନେ ସିଆର୍‌ପିଏଫ୍‌ କ୍ୟାମ୍ପ ଉପରେ ଆକ୍ରମଣ କରିବା ପରେ ଏଠାରେ ଆତ୍ମଗୋପନ କରିଥିବା ଜଣାପଡ଼ିଥିଲା। ଏହା ପରେ ସୁରକ୍ଷା କର୍ମୀମାନେ ଏହି କୋଠାକୁ ଘେରି ଯାଇଥିଲେ। ସୋମବାର ରାତି ସାରା ସର୍ଚ୍ଚ ଅପରେସନ୍‌ ଚାଲିବା ପରେ କିଛି ସମୟର ବିରତି ପରେ ମଙ୍ଗଳବାର ସକାଳେ ପୁଣି ଆରମ୍ଭ ହୋଇଥିଲା କାର୍ଯ୍ୟାନୁଷ୍ଠାନ। ସୁରକ୍ଷା କର୍ମୀଙ୍କ ଗୁଳିର ଜବାବରେ ଲୁଚିଥିବା ଆତଙ୍କବାଦୀମାନେ ପାଲଟା ଗୁଳିଚାଳନା କରିଥିଲେ। ଦୀର୍ଘ ସମୟର ଗୁଳି ବିନିମୟ ପରେ ସେମାନଙ୍କର ମୃତ୍ୟୁ ହୋଇଥିଲା।

Outlook India

ସୋମବାର ସିଆର୍‌ପିଏଫ୍‌ କ୍ୟାମ୍ପ୍‌ ଉପରେ ଲସ୍କର ଆତଙ୍କବାଦୀମାନେ ଆକ୍ରମଣ କରି ପାଖରେ ଥିବା ଏକ ବଡ଼ କୋଠାରେ ଲୁଚି ରହିଥିଲେ। ସୂଚନା ମିଳିବା ପରେ ସିଆର୍‌ପିଏଫ୍‌ ପକ୍ଷରୁ ସେମାନଙ୍କ ଉପରେ ଗୁଳିଚାଳନା ଆରମ୍ଭ ହୋଇଥିଲା। ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ପାଲଟା ଆକ୍ରମଣ କରିଥିଲେ। ଏଥିରେ ଜଣେ ସିଆର୍‌ପିଏଫ୍‌ ଯବାନ ସହିଦ୍‌ ହେବା ସହ ଜମ୍ମୁ-କାଶ୍ମୀର ପୁଲିସର ଜଣେ କର୍ମଚାରୀ ଆହତ ହୋଇଛନ୍ତି।

ଜମ୍ମୁ-କାଶ୍ମୀରର ସୁଞ୍ଜଓ୍ଵାନାଠାରେ ଥିବା ସେନା କ୍ୟାମ୍ପ ଉପରେ ଲସ୍କର ଆତଙ୍କବାଦୀ ଆକ୍ରମଣ କରିବାର ଦୁଇ ଦିନ ପରେ ସିଆର୍‌ପିଏଫ୍‌ କ୍ୟାମ୍ପକୁ ଟାର୍ଗେଟ କରିଥିଲେ ଆତଙ୍କବାଦୀ। ଏହି ଘଟଣାରେ ୬ଜଣ ଯବାନ ସହିଦ୍‌ ହୋଇଥିବା ବେଳେ ଜଣେ ନାଗରିକ ମୃତ୍ୟୁମୁଖରେ ପଡ଼ିଥିଲେ। ସୁରକ୍ଷାକର୍ମୀଙ୍କ ପ୍ରତି ଅକ୍ରମଣରେ ତିନି ଲସ୍କର ଆତଙ୍କବାଦୀ ନିହତ ହୋଇଥିଲେ।

ସମ୍ବନ୍ଧିତ ଖବର