ଝାଡ଼ଖଣ୍ଡ: ଗାଈ ଚୋର ସନ୍ଦେହରେ ୨ ମୁସଲମାନଙ୍କୁ ପିଟିପିଟି ମାରିଦେଲେ ଉତ୍ୟକ୍ତ ଗ୍ରାମବାସୀ

ରାଞ୍ଚି (ଝାଡ଼ଖଣ୍ଡ): ଝାଡ଼ଖଣ୍ଡର ଗୋଡ଼ା ଜିଲ୍ଲାରେ କିଛି ଉତ୍ୟକ୍ତ ଜନତା ଗାଈ ଚୋର କରୁଥିବା ସନ୍ଦେହରେ ଆଜି (ବୁଧବାର) ମୁସଲମାନ ସଂପ୍ରଦାୟର ଦୁଇ ଜଣ ଲୋକଙ୍କୁ ଧରିବା ସହ ଆଇନ୍‌କୁ ହାତକୁ ନେଇ ପିଟିପିଟି ସେମାନଙ୍କୁ ହତ୍ୟା କରିଛନ୍ତି। ଏହି ଘଟଣାକୁ କେନ୍ଦ୍ରକରି ସଂପୃକ୍ତ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ ଝାଡ଼ଖଣ୍ଡ ଗୋଡ଼ା ଜିଲ୍ଲା ଅନ୍ତର୍ଗତ ଡୁଲୁ ଗ୍ରାମରେ ଆଜି ସକାଳୁ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ବେଳେ ସିରାବୁଦ୍ଦିନ ଅନସାରୀ (୩୫) ଓ ମୁରତାଜ ଅନସାରୀ (୩୦) ନାମକ ଦୁଇଜଣ ବ୍ୟକ୍ତିଙ୍କୁ ଧରିଥିଲେ। ପରେ ଏହି ଦୁଇଜଣ ଗାଈ ଚୋର ଥିବା ଏବଂ ମୁନସୀ ମୁର୍ମୁ ନାମକ ଜନୈକ ବ୍ୟକ୍ତିଙ୍କର ୧୩ଟି ମଇଁଷି ଚୋରାଇ ନେଇଥିବା ଅଭିଯୋଗ କରି ସେମାନଙ୍କୁ ମାଡ଼ ମାରିବା ଆରମ୍ଭ କରି ଦେଇଥିଲେ। ପରେ ପରିସ୍ଥିତି ଏପରି ହୋଇଥିଲା ଯେ ଉତ୍ୟକ୍ତ ଜନତା ଆଇନ୍‌କୁ ହାତକୁ ନେବା ସହ ଏହି ଦୁଇଜଣଙ୍କୁ ପିଟିପିଟି ଜୀବନରୁ ମାରି ଦେଇଥିଲେ ବୋଲି ଗଣମାଧ୍ୟମକୁ କହିଛନ୍ତି ଗୋଡ଼ା ଏସ୍‌ପି ରାଜୀବ କୁମାର ସିଂହ। ଏହି ଘଟଣାକୁ କେନ୍ଦ୍ରକରି ସଂପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୁଲିସ୍‌ ଘଟଣାର ତଦନ୍ତ କରି ଘଟଣାରେ ସଂପୃକ୍ତ ୪ ଜଣଙ୍କୁ ଗିରଫ କରିବା ପରେ ପରିସ୍ଥିତି ଏବେ ନିୟନ୍ତ୍ରଣାଧୀନ ଥିବା କହିଛନ୍ତି ଏସ୍‌ପି ରାଜୀବ କୁମାର ସିଂହ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ସଂପ୍ରତି ଓଡ଼ିଶା ଠାରୁ ଆରମ୍ଭ କରି ଆସାମ, ତେଲେଙ୍ଗାନା, କର୍ଣ୍ଣାଟକ ଓ ଝାଡ଼ଖଣ୍ଡ ପ୍ରଭୃତି ରାଜ୍ୟରେ ଉତ୍ୟକ୍ତ ଲୋକେ ପିଲା ଚୋର, ଗାଈ ଚୋର ସନ୍ଦେହରେ ବିଭିନ୍ନ ଲୋକଙ୍କୁ ଧରିବା ସହ ପରବର୍ତ୍ତୀ ସମୟରେ ଆଇନ୍‌କୁ ହାତକୁ ନେଇ ସେମାନଙ୍କୁ ପିଟିପିଟି ଜୀବନରୁ ମାରି ଦେଉଥିବା ଘଟଣା ଏବେ ପୁଲିସ୍‌ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି।

ସମ୍ବନ୍ଧିତ ଖବର