ମୁହାଁମୁହିଁ ହେବେ ଦୁଇ ଅଲିମ୍ପିଆନ୍‌

ରାଜ୍ୟବର୍ଦ୍ଧନ ବନାମ କ୍ରୀଷ୍ଣା ପୁନିଆ

ଜୟପୁର: ଚଳିତ ‌ଲୋକସଭା ନିର୍ବାଚନରେ ରାଜସ୍ଥାନର ଜୟପୁର ଗ୍ରାମୀଣ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ୨ ଅଲିମ୍ପିଆନ୍‌ ମୁହାଁମୁହିଁ ହେବେ। ଅଲିମ୍ପିଆନ୍‌ ରାଜ୍ୟବର୍ଦ୍ଧନ ସିଂହ ରାଠୋର ଏବଂ କ୍ରୀଷ୍ଣା ପୁନିଆ ଏଥର ନିର୍ବାଚନରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ। କେନ୍ଦ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କୁ ଏହି ଜୟପୁର ଗ୍ରାମୀଣ ଆସନରୁ ବିଜେପି ପ୍ରାର୍ଥୀ କରିଥିବାବେଳେ ରାଠୋରଙ୍କ ବିରୋଧରେ କଂ‌ଗ୍ରେସ ଅଲିମ୍ପିଆନ୍‌ କ୍ରୀଷ୍ଣା ପୁନିଆଙ୍କୁ ପ୍ରାର୍ଥୀ କରିଛି। ୪୯ ବର୍ଷୀୟ ରା‌ଠୋର ଜୟପୁର ଗ୍ରାମୀଣ ଆସନରୁ ୨୦୧୪ରେ ସାଂସଦ ନିର୍ବାଚିତ ହୋଇ ମନ୍ତ୍ରୀ ହୋଇଥିଲେ। ଉଭୟ ରାଠୋର ଏବଂ କ୍ରୀଷ୍ଣା ପୁନିଆ ଅଲିମ୍ପିକ୍ସରେ ଭାରତକୁ ପ୍ରତିନିଧିତ୍ବ କରିଥ‌ିଲେ ଏବଂ ଉଭୟ ୨୦୧୩ ମସିହାରେ ହିଁ ରାଜନୀତିରେ ପ୍ରବେଶ କରିଥିଲେ। ୩୬ ବର୍ଷୀୟା କ୍ରୀଷ୍ଣା ପୁନିଆ ପ୍ରଥମ ଭାରତୀୟ ମହିଳା ଟ୍ରାକ୍‌ ଆଣ୍ଡ୍‌ ଫିଲ୍ଡ୍‌ ଆଥଲେଟ୍‌ ଭାବେ ୨୦୧୦ ଦିଲ୍ଲୀ କମନ୍‌ୱେଲ୍ଥ୍‌ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେ ୨୦୧୧ରେ ପଦ୍ମଶ୍ରୀରେ ସମ୍ମାନିତ ହୋଇଥିଲେ। ଅନ୍ୟପକ୍ଷରେ ରାଜ୍ୟବର୍ଦ୍ଧନ ରାଠୋର ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ଭାରତ ପାଇଁ ରୌପ୍ୟ ଜିତିଥିବାବେଳେ ୨୦୦୨ରେ ମଞ୍ଚେଷ୍ଟର କମନୱେଲ୍ଥ ଗେମ୍ସ ଏବଂ ୨୦୦୬ରେ ମେଲବୋର୍ନ‌୍ କମନ୍‌ୱେଲ୍ଥ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ୪ ବର୍ଷରେ ସେ ୨୫ ପଦକ ଜିତିଥିଲେ। ୨୦୧୩ରେ ରାଠୋର ବିଜେପିରେ ଯୋଗ ଦେଇଥିଲେ। ୨୦୧୪ ଲୋକସଭା ନିର୍ବାଚନରେ ସେ ଜୟପୁର ଗ୍ରାମୀଣରୁ ନିର୍ବାଚନ ଲଢ଼ି ବରିଷ୍ଠ କଂଗ୍ରେସ ନେତା ସିପି ଯୋଶୀଙ୍କୁ ହରାଇଥିଲେ।

ସମ୍ବନ୍ଧିତ ଖବର