ପରିବାରର ଦୁଇ ପିଲାଙ୍କୁ ଆତ୍ମହତ୍ୟା ଲାଗି ବାଧ୍ୟ କରାଯାଇଥିଲା: ସିସିଟିଭି ଫୁଟେଜ୍‌ ପରୀକ୍ଷା ପରେ ପୁଲିସ୍‌ର ଅନୁମାନ

ନୂଆଦିଲ୍ଲୀ: ଦିଲ୍ଲୀର ବୁରାଡ଼ି ଗଣଆତ୍ମହତ୍ୟା ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଘଟଣାର ତଦନ୍ତ ଚଳାଇଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ଆତ୍ମହତ୍ୟା କରିଥିବା ପରିବାରର ୧୧ ଜଣ ସଦସ୍ୟଙ୍କ ମଧ୍ୟରୁ ଦୁଇ ଜଣ ପିଲା ଏହାର ବିରୋଧ କରିଥିଲେ। ଆତ୍ମହତ୍ୟା ପୂର୍ବରୁ ସେମାନେ ଏପରି କାର୍ଯ୍ୟର ବିରୋଧ କରିଥିଲେ ବୋଲି ସୂଚନା ମିଳିଛି। ମାତ୍ର ପରିବାରର ଅନ୍ୟ ସଦସ୍ୟ ସେମାନଙ୍କୁ ଜୋରଜବରଦସ୍ତ ହାତଗୋଡ଼ ବାନ୍ଧିି ପକାଇ ଆତ୍ମହତ୍ୟା ଲାଗି ବିବଶ କରିଥିଲେ। ପୁଲିସ ସୂତ୍ର ଅନୁସାରେ ପରିବାର ଦୁଇ ଜଣ ୧୫ ବର୍ଷୀୟ ସଦସ୍ୟ ଧୃବ ଏବଂ ଶିବମ୍‌ ଆତ୍ମହତ୍ୟାର ବିରୋଧ କରିବାରୁ ବଳପୂର୍ବକ ସେମାନଙ୍କ ହାତଗୋଡ଼ ବାନ୍ଧି ଦିଆଯାଇଥିଲା । ସେମାନଙ୍କ ଶରୀରରେ ଏହି କ୍ରିୟାର ଚିହ୍ନ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି।

ପୁଲିସକୁ ମିଳିଥିବା ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିଛି କି ଆତ୍ମହତ୍ୟା ପୂର୍ବରୁ ଭାଟିଆ ପରିବାରର କିଛି ସଦସ୍ୟ ଆତ୍ମହତ୍ୟାରେ ବ୍ୟବହୃତ ଟୁଲ୍‌ ଓ ତାର ଆଣି ଆତ୍ମହତ୍ୟା ସ୍ଥଳରେ ରଖିଥିଲେ। ଘଟଣାସ୍ଥଳରୁ ସମୁଦାୟ ୧୧ଟି ଡାଏରି ମିଳିଛି। ଏଥିରେ ପରିବାରର ସଦସ୍ୟଙ୍କ ‘ମାନସିକ ସ୍ଥିତି’ର ଉପସ୍ଥାପନା ରହିଛି। ତେବେ ଏହି କାଣ୍ଡର ମାଷ୍ଟର ମାଇଣ୍ଡ ଲଲିତ୍‌ ଭାଟିଆ, ଯିଏକି ତାଙ୍କ ଉପରେ ବାପାଙ୍କ ଆତ୍ମା ସବାର ଥିବା କହୁଥିଲେ, ସେ ମାନସିକ ବିକୃତିର ଶିକାର ଥିଲେ। ତେଣୁ ସେ ପିଲା ଦୁଇ ଜଣଙ୍କୁ ବଳପୂର୍ବକ ମୋକ୍ଷପ୍ରାପ୍ତି ଲାଗି ଆତ୍ମହତ୍ୟା କରିବା ଲାଗି ବାଧ୍ୟ କରିଥିବା ଅସମ୍ଭବ ହୋଇ ନପାରେ।

ସମ୍ବନ୍ଧିତ ଖବର